UP assembly polls 2027: ୧୮୧ ଆସନ ପାଇଁ କଂଗ୍ରେସର ଦାବି, ଅଡୁଆରେ ଅଖିଳେଶ! ମେଣ୍ଟରେ ଫାଟ ସୃଷ୍ଟି କରିବ କି ଆସନ ବୁଝାମଣା?
ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି (SP) ଓ କଂଗ୍ରେସ ମଧ୍ୟରେ ଆସନ ବଣ୍ଟନକୁ ନେଇ ଟଣାଓଟରା ଆରମ୍ଭ ହୋଇଛି। ୪୦୩ଟି ବିଧାନସଭା ଆସନ ମଧ୍ୟରୁ ୧୮୧ଟି ଆସନରେ ନିଜ ପ୍ରାର୍ଥୀ ଦେବାକୁ କଂଗ୍ରେସ ଦାବି କରିବା ପରେ ଅଡୁଆରେ ପଡ଼ିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ଏପରିକି ମଥୁରା ଜିଲ୍ଲାର ସମସ୍ତ ଆସନରେ ମଧ୍ୟ କଂଗ୍ରେସ ନିର୍ବାଚନ ଲଢ଼ିବାକୁ ଚାହୁଁଛି। ତେବେ ଗତ ନିର୍ବାଚନରେ ଏହି ଆସନଗୁଡ଼ିକରେ ଦଳ ବଡ଼ ବ୍ୟବଧାନରେ ପରାଜିତ ହୋଇଥିଲା।
କଂଗ୍ରେସ ଆମେଠୀ, ରାୟବରେଲି, ହାପୁର, ବୁଲନ୍ଦସହର, ଭଦୋହୀ, ଦେଓରିଆ ଓ ଗୌତମବୁଦ୍ଧ ନଗର ଭଳି ଜିଲ୍ଲାର ସମସ୍ତ ଆସନ ଦାବି କରିଛି। ଏହାସହ ଲକ୍ଷ୍ନୌ, ପ୍ରୟାଗରାଜ, ଫତେପୁର, ସାହାରନପୁର, ଜୌନପୁର ଓ ପ୍ରତାପଗଡ଼ର ଅଧିକାଂଶ ଆସନରେ ଲଢ଼ିବାକୁ ଚାହୁଁଛି। ଏପରିକି ସମାଜବାଦୀ ପାର୍ଟିର ବର୍ତ୍ତମାନର ବିଧାୟକ ଥିବା ଆସନଗୁଡ଼ିକ ଉପରେ ମଧ୍ୟ କଂଗ୍ରେସ ଦାବି କରିଥିବାରୁ ଏସପି ଶିବିରରେ ଅସନ୍ତୋଷ ଦେଖାଦେଇଛି।
ଏହି ପ୍ରସଙ୍ଗରେ ଅଖିଳେଶ ଯାଦବ କହିଛନ୍ତି, ସମସ୍ତଙ୍କୁ ନିଜ ମତ ରଖିବାର ଅଧିକାର ଅଛି। ଯାହା ଯୁକ୍ତିଯୁକ୍ତ ହେବ ତାହାକୁ ବିଚାର କରାଯିବ। କିନ୍ତୁ ଆସନ ବଣ୍ଟନ ବାସ୍ତବ ସ୍ଥିତି ଓ ନିର୍ବାଚନୀ ଶକ୍ତି ଆଧାରରେ ହେବ। ଅନ୍ୟପଟେ ଏସପି ସାଂସଦ ଏସ୍.ପି. ପଟେଲ କହିଛନ୍ତି, ଚୂଡ଼ାନ୍ତ ନିଷ୍ପତ୍ତି ଅଖିଳେଶ ନେବେ। ତେବେ ଦଳର ଅନେକ ନେତା କଂଗ୍ରେସକୁ ୫୦ରୁ ଅଧିକ ଆସନ ନଦେବାକୁ ଚାହୁଁଛନ୍ତି।
ଏପଟେ ୟୁପି ନିର୍ବାଚନର ନେତୃତ୍ୱ ପ୍ରିୟଙ୍କା ଗାନ୍ଧୀ ନେବେ ବୋଲି କଂଗ୍ରେସ ନିଷ୍ପତ୍ତି ନେଇଛି। ଏଥିପାଇଁ ପ୍ରିୟଙ୍କା ଗାନ୍ଧୀ, କେ.ସି. ବେଣୁଗୋପାଳ, ରାଜେନ୍ଦ୍ର ଗୌତମ, ଇମ୍ରାନ ମସୁଦ ଓ ଆରାଧନା ମିଶ୍ରଙ୍କୁ ନେଇ ୫ ଜଣିଆ କମିଟି ଗଠନ ହୋଇଛି। ଆସନ ବୁଝାମଣା ନେଇ ଦୁଇ ଦଳ ମଧ୍ୟରେ ବୈଠକ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ହେବ। ଡିସେମ୍ବର ପ୍ରଥମ ସପ୍ତାହରୁ କଂଗ୍ରେସ ୟୁପିରେ ନିର୍ବାଚନ ପ୍ରଚାର ଆରମ୍ଭ କରିବ।
ତେବେ ୨୦୨୨ ନିର୍ବାଚନରେ କଂଗ୍ରେସ ୩୯୯ଟି ଆସନରେ ଲଢ଼ି ମାତ୍ର ୨ଟିରେ ବିଜୟୀ ହୋଇଥିଲା। ୩୮୭ଟି ଆସନରେ ଦଳର ପ୍ରାର୍ଥୀଙ୍କ ଅମାନତ ଜବତ ହୋଇଥିବା ବେଳେ ମୋଟ ଭୋଟ ହାର ଥିଲା ମାତ୍ର ୨.୩୩ ପ୍ରତିଶତ। ଏତେ କମ୍ ଜନସମର୍ଥନ ସତ୍ତ୍ୱେ ୧୮୧ଟି ଆସନ ଦାବି କରିବା ଏବେ ରାଜନୈତିକ ଚର୍ଚ୍ଚା ବଢ଼ାଇଛି। ଏହି ଆସନ ବୁଝାମଣାକୁ ନେଇ ଅଖିଳେଶ କେଉଁ ନିଷ୍ପତ୍ତି ନେବେ ଏବଂ ମେଣ୍ଟର ଭବିଷ୍ୟତ କ’ଣ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର।
