ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ବ୍ରିଜ୍ ନିକଟରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ପିଟି ପିଟି ହତ୍ୟା କରିବା ଘଟଣାରେ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓ ଆଧାରରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଗୁରୁବାର ଅପରାହ୍ନରେ ଭିଙ୍ଗାରପୁର ଅଞ୍ଚଳରେ ଦୁଇଜଣ ଯୁବକ ଏକ ବାଇକ୍ରେ ଯାଉଥିବା ସମୟରେ ଦୁଇଜଣ ମହିଳା ଯାଉଥିବା ଏକ ସ୍କୁଟର ସହିତ ସାମାନ୍ୟ ଧକ୍କା ହୋଇଥିଲା। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ମହିଳା ଦ୍ୱୟ ଅଭିଯୋଗ କରିଥିଲେ ଯେ ଯୁବକମାନେ ତାଙ୍କ ସହ ଦୁର୍ବ୍ୟବହାର କରିବା ସହ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ।
ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇଯାଇଥିଲେ। ଉତ୍ତ୍ୟକ୍ତ ଲୋକେ ଦୁଇ ଯୁବକଙ୍କ ହାତ ଗୋଡ଼ ବାନ୍ଧି ସର୍ବସମ୍ମୁଖରେ ବାଉଁଶ ବାଡ଼ିରେ ନିର୍ମମ ଭାବେ ମାଡ଼ ମାରିଥିଲେ।
ଏହି ଆକ୍ରମଣରେ ସୌମ୍ୟରଞ୍ଜନ ସ୍ୱାଇଁ ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଓମ୍ ପ୍ରକାଶ ରାଉତ ନାମକ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଓମ୍ ପ୍ରକାଶ ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି।
ବାଲିଅନ୍ତା ପୋଲିସ ଏହି ମାମଲାରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ଅନ୍ୟ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଭାଇରାଲ ଭିଡିଓକୁ ଯାଞ୍ଚ କରି ଆଗାମୀ ଦିନରେ ଅଧିକ ଗିରଫଦାରୀ ହେବାର ସମ୍ଭାବନା ରହିଛି। ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।