Latest Odisha News

BREAKING NEWS

୩ ବର୍ଷର ଝିଅକୁ ହତ୍ୟା ପରେ ୭ ରାଜ୍ୟରେ ୧୦ ବର୍ଷର ଲୁଚକାଳି, ମହାରାଷ୍ଟ୍ରରୁ ଗିରଫ ହେଲା ପିଶାଚ ବାପା

ଭୁବନେଶ୍ୱର: ୩ ବର୍ଷର ଝିଅକୁ ମାରିଲା । ୧୦ ବର୍ଷ ଧରି ୭ ରାଜ୍ୟରେ ଲୁଚକାଳି ଖେଳିବା ପରେ ମହାରାଷ୍ଟ୍ରରୁ ଗିରଫ ହୋଇଛି ପିଶାଚ ବାପା । କେନ୍ଦୁଝରର ଜଣେ ବ୍ୟକ୍ତିଙ୍କୁ ନିଜ ୩ ବର୍ଷର ଝିଅକୁ ହତ୍ୟା ଅଭିଯୋଗରେ ପ୍ୟାନ କାର୍ଡ ବ୍ୟବହାରକୁ ଟ୍ରେସ୍ କରି ଗିରଫ କରିଛି ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ।

ଅଭିଯୁକ୍ତ ଜଣଙ୍କ କେନ୍ଦୁଝରର ପ୍ରଶାନ୍ତ ସାହାଣୀ ବୋଲି ଜଣାପଡ଼ିଛି । ଆନନ୍ଦପୁର ଥାନା ଅନ୍ତର୍ଗତ ଫକୀରପୁର ଗାଁର ପ୍ରଶାନ୍ତ ୨୦୧୩ ଅଗଷ୍ଟରେ ପାରିବାରିକ କଳହକୁ ନେଇ ନିଜ ଝିଅକୁ ମାରି ଦେଇଥିବା ଅଭିଯୋଗ ହୋଇଥିଲା ।

ପତ୍ନୀ ସହ ବାରମ୍ବାର ଝଗଡ଼ାରେ ସେ ଅତିଷ୍ଠ ହୋଇ ପଡ଼ିଥିଲା । ଛୋଟ ଝିଅଟି ଦୋକାନକୁ ଚକଲେଟ୍ ଆଣିବା ପାଇଁ ଯାଇଥିବା ବେଳେ ପ୍ରଶାନ୍ତ ତାକୁ ବୈତରଣୀ ନଦୀରେ ଫିଙ୍ଗି ଦେଇ କୋଲକାତା ପଳାଇ ଥିଲା । ପରେ କୋଲକାତାରୁ ହାଇଦ୍ରାବାଦ ଓ ଅନ୍ୟ ଜାଗା ପରିବର୍ତ୍ତନ କରିଥିଲା । ବାରମ୍ବାର ମୋବାଇଲ୍ ନମ୍ବର ବଦଳାଇବା ସହ ପୋଲିସ ନଜରରୁ ଖସି ଚାଲିଥିଲା ।

ଏନେଇ ପୋଲିସରେ ଅଭିଯୋଗ ହୋଇଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲା । ୭ଟି ରାଜ୍ୟରେ ୧୦ ବର୍ଷ ଧରି ଲୁଚିବା ପରେ ପ୍ରଶାନ୍ତ ମହାରାଷ୍ଟ୍ରର ଥାନେ ପହଞ୍ଚିଥିଲା । ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲା । ୨୦୨୨ ଯାଏ କୌଣସି ଆକାଉଣ୍ଟ ଖୋଲି ପାରି ନଥିବା ପ୍ରଶାନ୍ତ ପ୍ୟାନ କାର୍ଡ ବ୍ୟବହାର କରି ସାଲାରି ଆକାଉଣ୍ଟ ଖୋଲିଥିଲା ।

ଅନ୍ୟପଟେ ପ୍ରଶାନ୍ତକୁ ଧରିବା ଲାଗି ପ୍ରୟାସ କରୁଥିବା କ୍ରାଇମବ୍ରାଞ୍ଚ ଏ ସୂଚନା ପାଇବା ପରେ ଥାନେକୁ ଏକ ଟିମ୍ ପଠାଇଥିଲା । ଥାନେରେ ପ୍ରଶାନ୍ତକୁ ଧରିବା ପରେ ଫକୀରପୁର ଗାଁକୁ ଆଣି କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଛି କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.