Latest Odisha News

BREAKING NEWS

ଓଡିଶାରର ରୋଜଗାର ବଢାଇବା ପାଇଁ ୧୦୦ କ୍ୟୁବ ଷ୍ଟାର୍ଟଅପ୍ ଏକ୍ ଜନଆନ୍ଦୋଳନ:କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ଓଡ଼ିଶାର ଯୁବକଙ୍କ ମଧ୍ୟରେ ନୂଆ ସ୍ପିରିଟ୍ ତିଆରି ହୋଇଛି । ସେହି ସ୍ପିରିଟକୁ ଗତି ଦେବା ତଥା ରାଜ୍ୟରେ ଅଧିକରୁ ଅଧିକ ରୋଜଗାର ସୃଷ୍ଟି କରାଇବା ଦିଗରେ ୧୦୦ କ୍ୟୁବ୍ ଷ୍ଟାର୍ଟଅପ ପଦକ୍ଷେପ ଏକ ଭାବାବେଗ ଓ ବ୍ୟାପକ ଜନଆନ୍ଦୋଳନ ବୋଲି ଶୁକ୍ରବାର ଆଇଆଇଏମ ସମ୍ବଲପୁରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ମହତ୍ୱକାଂକ୍ଷୀ ଷ୍ଟାର୍ଟଅପ କାର୍ଯ୍ୟକ୍ରମ ସହ ଆଇଆଇଏମ ସମ୍ବଲପୁରରେ ଇନକୁବେଟର ହବ୍(ଆଇ-ହବ୍)ର ଶୁଭାରମ୍ଭ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ୨୦୩୬ ସୁଦ୍ଧା ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରିବ । ଏହି ସମୟ ସୀମା ମଧ୍ୟରେ ସମାଜର ସବୁ ଲୋକଙ୍କୁ ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ପାଳନ କରିବାକୁ ହେବ । ଆମ ଦେଶ ଜ୍ଞାନ ଆଧାରିତ ଅର୍ଥନୀତି ଦିଗରେ ଅଗ୍ରସର ହେଉଥିବା ବେଳେ ନୂଆପିଢିର ପିଲାମାନଙ୍କୁ ଆଧୁନିକ ଦୁନିଆ ସହ ରୋଜଗାର ଦେବା ପାଇଁ ଏବେଠାରୁ ପ୍ରସ୍ତୁତ କରାଇବାକୁ ହେବ । ସେମାନଙ୍କୁ ନିଯୁକ୍ତି କରିବା ନୁହେଁ ବରଂ ନିଯୁକ୍ତିଦାତା କରାଇବା ପାଇଁ କର୍ତ୍ତବ୍ୟ କରିବାକୁ ହେବ । ୧୦୦ କ୍ୟୁବ୍ ତନ୍ମଧ୍ୟରୁ ଗୋଟିଏ କର୍ତ୍ତବ୍ୟ । ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ଶତାବର୍ଷିକୀ ପାଳନ କରିବା ବେଳେ ସ୍ଥାପନା ହେବାକୁ ଥିବା ୧୦୦ଟି ଷ୍ଟାର୍ଟଅପର ପ୍ରତ୍ୟେକ ଷ୍ଟାର୍ଟଅପର ମୂଲ୍ୟ ଆନୁମାନିକ ମୂଲ୍ୟ ୧୦୦ କୋଟି ଟଙ୍କା ହେବ । ଆଇଆଇଟି ଭୁବନେଶ୍ୱରରେ ରିସର୍ଚ୍ଚ ପାର୍କ ଭଳି ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଷ୍ଟାର୍ଟ ଅପ୍ ଗୁଡିକୁ ନିବେଶକଙ୍କ ସହ ସମନ୍ୱୟ ସ୍ଥାପନ କରିବା ପାଇଁ ଆବଶ୍ୟକୀୟ ସମ୍ବଳ, ସହଯୋଗ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଓଡ଼ିଶାରେ ରୋଜଗାର ସୃଷ୍ଟି କରାଇବା ପାଇଁ, ଯୁବକଙ୍କୁ ଆତ୍ମନିର୍ଭର କରିବା ପାଇଁ ଏବଂ ଓଡ଼ିଆ ସମ୍ପନ୍ନତାକୁ ପୁଣି ଥରେ ପୁନର୍ଜୀବିତ କରିବା ପାଇଁ ପଡ଼ିବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆଇଆଇଏମ ସମ୍ବଲପୁର ଏକ ଭାରତ, ଶ୍ରେଷ୍ଠ ଭାରତର ପ୍ରତୀକ ଏବଂ ରଙ୍ଗବତୀ ଗୀତ ଭାବାବେଗର ପ୍ରତୀକ । ୧୦୦ କ୍ୟୁବ୍ ଷ୍ଟାର୍ଟଅପ ନବସୃଜନ ସୃଜନଶୀଳତା, ଉଦ୍ୟମିତା ସଂସ୍କୃତିର ପ୍ରତୀକ । ସମ୍ବଲପୁରରେ ଆଇଆଇଏମ ସମ୍ବଲପୁର ସମେତ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ବୁର୍ଲା ମେଡିକାଲ କଲେଜ, ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଭଳି ଜାତୀୟ ସ୍ତରର ଅନୁଷ୍ଠାନ ସ୍ଥାପନା ହୋଇଛି । ଏଠାକାର ଛାତ୍ରଛାତ୍ରୀ ଏବଂ ପ୍ରଧ୍ୟାପକଙ୍କ ମଧ୍ୟରେ ଭରପୁର ପ୍ରତିଭା ଅଛି । ଓ୍ୱେଲଥ କ୍ରିଏଟର ହେବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଓ୍ୱେଲଥ କ୍ରିଏଟର ହେଲେ ହିଁ ଅଧିକ ନିଯୁକ୍ତି, ଆର୍ଥିକ ସୁଯୋଗ ଉପଲବ୍ଧ ହେବା ସହ ସମାଜର ଅନ୍ତିମ ଶ୍ରେଣୀର ଲୋକମାନେ ସମ୍ପନ୍ନ ହେବେ । ଆଗାମୀ ଦିନରେ ନୂଆପିଢିର ଓଡ଼ିଆ ପିଲାମାନଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବ ବଢାଇବା ଦରକାର ।

ସେ ଆହୁରି କହିଛନ୍ତି ଯେ ବିଶ୍ୱର ଅନେକ ରାଷ୍ଟ୍ର ଭାରତକୁ ଉତ୍ସୁକତାର ସହକାରେ ଦେଖୁଛି । ଭାରତ ପୂର୍ବରୁ ଏକ ଜ୍ଞାନଭିତ୍ତିକ ସମାଜ ଭାବରେ ରହିଆସିଛି । ହଜାର ହଜାର ବର୍ଷ ପୂର୍ବରୁ ଆଧୁନିକ ଜୀବନଶୈଳୀର କଳ୍ପନା ଆମେ ହିଁ କରିଥିଲେ । ୮ ହଜାର ବର୍ଷ ପୂର୍ବରୁ ବେଦ ତତ୍ତ୍ୱ ଅଛି । ଉଜ୍ଜୟିନୀର ପାଠଶାଳାରେ ୩୦୦ ବର୍ଷ ପୂର୍ବରୁ ଓଡ଼ିଆ ଲିପିରେ ସଂସ୍କୃତ ଭାଷାରେ ଋଗ୍ ବେଦର କଥା ରହିଛି । ଏହା ଆମ ସଭ୍ୟତାର ଜ୍ଞାନ ଗଭୀରତାର ପ୍ରମାଣ ଦେଉଛି । ଏହାକୁ ଅନୁମେୟ କଲେ ସମ୍ବଲପୁରରେ ଅନେକ ଦର୍ଶନୀୟ ସ୍ଥାନ ଅଛି, ଯାହାକୁ ଇତିହାସ ବିଭାଗର ପିଲାମାନେ ଷ୍ଟୋରୀ ଟେଲିଂ ଆକାରରେ ଷ୍ଟାର୍ଟଅପ୍ ଆକାରରେ ବିକଶିତ କରିପାରିବେ । ଏହା ଆଗାମୀ ଦିନରେ ବଡ ବ୍ୟବସାୟର ରୂପ ନେଇପାରିବ । ସମ୍ବଲପୁରରେ ହୀରାକୁଦ ବନ୍ଧ, ସ୍ଥାନୀୟ ଉତ୍ପାଦ, ଖାଦ୍ୟ ପଦାର୍ଥ ମଧ୍ୟ ଏକ ଷ୍ଟାର୍ଟଅପ ଆଇଡିଆର ଅଂଶବିଶେଷ । ଏହାକୁ ଆର୍ଥିକ ଆକାରରେ କ୍ରିୟାନ୍ୱୟନ କରିବା ପାଇଁ ଆଜିର କାର୍ଯ୍ୟକ୍ରମ ସେ ଦିଗରେ ଗୋଟିଏ ବଡ ପଦକ୍ଷେପ । ସେ ଆହୁରି କହିଥିଲେ ଭାରତ ଯୁବବର୍ଗର ଦେଶ । ଭାରତର ପ୍ରଥମ ପୁଞ୍ଜି ହେଉଛି ପ୍ରତିଭା, ଜ୍ଞାନ ଏବଂ ଯୁବଶକ୍ତି । ଏହାର ଉପଯୋଗ କରି ନୂଆ ଦୁନିଆ ବନାଇବା ଦରକାର ।

ଏହି ଅବସରରେ ଶ୍ରୀ ପ୍ରଧାନ ଭାରତରେ ଷ୍ଟେମ୍ ଶିକ୍ଷାରେ ଅଧିକାଂଶ ଛାତ୍ରୀଙ୍କ ଅଂଶଗ୍ରହଣ ଉପରେ ଆଲୋକପାତ କରିଥିଲେ । ମନ୍ କୀ ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା କଳାହାଣ୍ଡିର ଯୁବ ଉଦ୍ୟମୀ ଦମ୍ପତ୍ତି ଜୟନ୍ତୀ ମହାପାତ୍ରଙ୍କୁ ପ୍ରଂଶସା କରିଥିଲେ । ସେ କହିଥିଲେ ଛେଳିପାଳନକୁ ପ୍ରୋତ୍ସାହନ ଦେବା ଦିଗରେ ଜୟନ୍ତୀ ଓ ତାଙ୍କ ସ୍ୱାମୀ ମାଣିକାସ୍ତୁ ଏଗ୍ରି ଏବଂ ମାଣିକାସ୍ତୁ ଗୋଟ୍ ବ୍ୟାଙ୍କ୍ ସ୍ଥାପନ କରି ଛେଳି ପାଳନକୁ ଅତ୍ୟାଧୁନିକ ପଦ୍ଧତିରେ ଆଗକୁ ନେଇ ୧୦୦୦ ଲୋକଙ୍କୁ ଧନୀ ହେବା କାମ କରୁଛନ୍ତି । ଏହି ଉଦ୍ୟମ ପ୍ରଶଂସନୀୟ ।

ଏହି କନକ୍ଲେଭରେରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଗୋଳରେ ସେଣ୍ଟର ଅଫ୍ ମ୍ୟାନେଜମେଣ୍ଟ୍ ଏଜ୍ୟୁକେସନ ସ୍ଥାପନା ପାଇଁ ଆଇଆଇଏମ ସମ୍ବଲପୁର ଓ ଆଇଆଇଏମ ମୁମ୍ବାଇ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର (ଏମଓୟୁ) ସହ ଅନ୍ୟାନ୍ୟ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ଏହି କନକ୍ଲେଭରେ ବଜାଜ ଫିନସର୍ଭର ସିଏମଡି ସଞ୍ଜୀବ ବଜାଜ, କୋଲ ଇଣ୍ଡିଆର ଏମଡି ପିଏମ୍ ପ୍ରସାଦ, ସେଲର ସିଏମଡି ଅମରେନ୍ଦୁ ପ୍ରକାଶ, ନାଲକୋ ଏମଡି ଶ୍ରୀଧର ପାତ୍ର ଉପସ୍ଥିତ ଥିଲେ । ଏହାସହ ଓଡ଼ିଶା ସମେତ ଦେଶର ଷ୍ଟାର୍ଟଅପ୍ ସମୂହର ବ୍ୟକ୍ତିବିଶେଷ, ନିବେଶକ, ଶିଳ୍ପ ପରାମର୍ଶଦାତା ଓ ଛାତ୍ରଛାତ୍ରୀମାନେ ଏଥିରେ ଯୋଗଦେଇଥିଲେ । ଏହି ଅବସରରେ ଆଇଆଇଏମ ସମ୍ବଲପୁର ପକ୍ଷରୁ ଏକ ପ୍ରଦର୍ଶନୀର ଆୟୋଜନ ମଧ୍ୟ କରାଯାଇଥିଲା ।

 

Leave A Reply

Your email address will not be published.