Latest Odisha News

BREAKING NEWS

ରାସ୍ତା ପ୍ରଶସ୍ତିକରଣ ପାଇଁ ସ୍ଥାନାନ୍ତର ହୋଇଥିଲା ଶହେ ବର୍ଷ ପୁରୁଣା ବରଗଛ, ଏବେ ଥୁଣ୍ଡା ଗଛରେ କଅଁଳିଛି ପତ୍ର

ଭୁବନେଶ୍ବର: ପ୍ରାୟ ଶହେ ବର୍ଷ ତଳର ବୁଢା ବରଗଛ ପୁଣି ପାଇଲା ନୂଆ ଜୀବନ । ଭୁବନେଶ୍ବର ସୈନିକ ସ୍କୁଲ ନିକଟ ରାସ୍ତାକୁ ଚଉଡା କରାଯିବା ସମୟରେ ବୁଢା ବରଗଛ ଟି କୁ ସ୍ଥାନାନ୍ତର କରାଯାଇଥିଲା । ପ୍ରତିରୋପଣ ହେବାର ତିନି ମାସ ପରେ ଏହି ଥୁଣ୍ଟା ଗଛରେ ଏବେ ନୂଆ ପତ୍ର କଅଁଳିବା ଆରମ୍ଭ ହୋଇଯାଇଛି । ଏହା ଦେଖିବାପରେ ଜଙ୍ଗଲ ଅଧିକାରୀ, ପରିବେଶବିତ୍ ତଥା ସ୍ଥାନୀୟ ଲୋକଙ୍କ ଭିତରେ ଏକ ପ୍ରକାର ଖୁସିର ଲହରୀ ଖେଳିଯାଇଛି ।

ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବଂ ଜଙ୍ଗଲ ବିଭାଗର ମିଳିତ ପ୍ରୟାସରେ ଏହି ବୃକ୍ଷକୁ ମଞ୍ଚେଶ୍ୱର ରେଳ ବଜାର ନିକଟରୁ ଗାଢକଣ ସ୍ଥିତ କେଳୁଚରଣ ପାର୍କକୁ ସ୍ଥାନାନ୍ତର କରାଯାଇଥିଲା ।

ଉଦ୍ଭିଦ ବିଜ୍ଞାନୀ ଅଶୋକାନନ୍ଦ ଧର କହିଛନ୍ତି ଯେ, ‘ଆମେ ଏହି ବୃଢା ବରଗଛଟିକୁ ପ୍ରତିରୋପଣ କରିବାକୁ ନିଷ୍ପତ୍ତି ନେଇଥିଲେ । କାରଣ ଏହି ଗଛଟି ଶହେ ବର୍ଷ ପୂରୁଣା ହୋଇଥିବାବେଳେ, ଏହା ସହ ସ୍ଥାନୀୟ ଲୋକଙ୍କ ଭାବନା ଯୋଡିହୋଇ ରହିଛି । ତେବେ ଏହି ଗଛ ରାସ୍ତାର ଏକ କୋଣରେ ଥିଲା ଯେଉଁଥିପାଇଁ ରାସ୍ତା ପ୍ରଶସ୍ତିକରଣରେ ବାଧକ ସାଜୁଥିଲା । ଫଳରେ କାମ ବନ୍ଦ ହୋଇଯାଇଥିଲା । କିନ୍ତୁ ଏହା ଏକ ପୁରୁଣା ଗଛ ହୋଇଥିବାରୁ ଆମେ ଦ୍ୱନ୍ଦ୍ୱରେ ଥିଲୁ ଏଥିପାଇଁ କ’ଣ କରାଯାଇପାରିବ? ଏନେଇ ଜଙ୍ଗଲ ଅଧିକାରୀଙ୍କ ସହିତ ଆଲୋଚନା ପରେ, ସ୍ଥାନ ଚିହ୍ନଟ କରାଯାଇଥିଲା । ୧୫ ଦିନ ପୂର୍ବରୁ ଏହାର ଚେରକୁ ଅତି ସତର୍କତାର ସହ ତଡା ଯାଇଥିଲା । ଏହାସହ ଗଛର ବୃହତକାୟ ଡାଳ ଗୁଡିକୁ ମଧ୍ୟ ହଣାଯାଇଥିଲା । ଏହାପରେ କେଳୁଚରଣ ପାର୍କରେ ଗଛଟିକୁ ପ୍ରତିରୋପଣ କରାଯାଇଥିଲା’ ।

ପ୍ରତିରୋପଣ ପରେ ଗଛ ମୂଳରେ କୀଟନାଶକ ଔଷଧ, ମାଟି, ଗୋବର ଖତ ଓ ଜୈବିକ ସାରର ବ୍ୟବହାର କରାଯାଇଛି । ପାହାଡିଆ ଓ ଗୋଡି ଯାଗା ହୋଇଥିବାରୁ ଏଥିରେ ପ୍ରଚୁର ପରିମାଣର ମାଟି ମଧ୍ୟ ଦିଆଯାଇଛି । ଗଛ ଟିରେ ଦୈନିକ ପ୍ରଚୁର ମାତ୍ରାରେ ପାଣି ଦିଆଯାଉଥିବା କହିଛନ୍ତି କେୟାର ଟେକର ଶିଶିର ଦାସ ।

ଅନ୍ୟପଟେ, ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି ଯେ, ‘ଦୁଇଶହ ଫୁଟ ରାସ୍ତା ପ୍ରଶସ୍ତିକରଣ ବେଳେ ଗଛଟି ବାଟକୁ ଆସୁଥିଲା । ଏହା ଶହେ ବର୍ଷ ପୁରୁଣ ଗଛ ହୋଇଥିବାରୁ ଏହାକୁ କାଟି ଫୋପାଡି ଦେବା ଉଚିତ୍ ହେବନି । ଏହା ବଦଳରେ ଗଛ ଟିକୁ ପ୍ରତିରୋପଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ବରଗଛର ଚେର ଚାରିଆଡେ ବ୍ୟାପିଥାଏ । ଏହାକୁ ମାଟି ସହ ଉଠାଇ ଆଉ ଏକ ସ୍ଥାନରେ ଲଗାଇବା ଆମ ପାଇଁ ଏକ ବଡ ଚ୍ୟାଲେଞ୍ଜ ଥିଲା । ତେବେ ବିଡିଏ ଓ ବନ ବିଭାଗ ର ମିଳିତ ଉଦ୍ୟମରେ ଏହା ଏବେ ସଫଳ ହୋଇଛି । ଯାହା ଦେଖି ବେଶ ଖୁସି ଲାଗୁଛି । ଆଉ ଏହାଠୁ ବଡ ଖୁସି କଥା କଣ ହୋଇପାରେ’ ।

Leave A Reply

Your email address will not be published.