Latest Odisha News

BREAKING NEWS

୫ଟି ଜିଲ୍ଲାର ୧୪୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ସ୍କୁଲ ରୂପାନ୍ତର ପର୍ବ । 5T ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ପଞ୍ଚମ ଦିବସରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର ୧୪୮ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏଥିରେ ଜଗତସିଂହପୁରର ୧୪ଟି ସ୍କୁଲ, ଦେବଗଡର ୩୨ଟି, ପୁରୀର ୪୮ଟି, ବଲାଙ୍ଗୀରର ୨୪ଟି ଓ କେନ୍ଦ୍ରାପଡାର ୩୦ଟି ସ୍କୁଲ ସାମିଲ ହୋଇଛି । ଆଜି ସୁଦ୍ଧା ୮୩୮ଟି ରୂପାନ୍ତରିତ ସ୍କୁଲ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି ।

ଏହି ଅବସରରେ ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ । ପାଠ ସହ କ୍ରୀଡା, ସଂଗୀତ ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାନ୍ତୁ । ନୂଆ ନୂଆ ବୈଷୟିକ ଜ୍ଞାନ କୌଶଳ ବିଷୟରେ ଜାଣନ୍ତୁ । ବଡ ବଡ ସ୍ବପ୍ନ ଦେଖନ୍ତୁ ଓ ଜୀବନର ସବୁ ପରିସ୍ଥିତିକୁ ସାମନା କରିବା ପାଇଁ ଆତ୍ମବିଶ୍ବାସର ସହ ଆଗକୁ ବଢନ୍ତୁ । ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ । ଜୀବନରେ ସଫଳତା ପାଇଁ ସ୍କୁଲରୁ ହିଁ ମୂଳଦୁଆ ପଡ଼ିଥାଏ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସହର ଓ ଗାଁର ସ୍କୁଲମାନଙ୍କ ଭିତରେ ଥିବା ତଫାତକୁ ଦୂର କରିଛି । ଗାଁର ସ୍କୁଲରେ ଆଜି ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି । ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ହେଲା, ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ଡାକ୍ତର, ଇଞ୍ଜିନିୟର ହେବାର ସ୍ବପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ତୁମ ମାନଙ୍କ ପାଇଁ ୧୫ ପ୍ରତିଶତ ଆସନ ସଂରକ୍ଷିତ କରିଛନ୍ତି । ପିଲାମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥଇଲେ ଯେ, ମାତୃଭୂମି ଓ ପରିବାର ପରେ ସ୍କୁଲ ହେଉଛି ଆମର ସବୁଠାରୁ ବଡ ପରିଚୟ ।

କାର୍ଯ୍ୟକ୍ରମରେ ୫ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସଂପର୍କରେ ନିଜର ମନ କଥା କହିଥିଲେ । ଜଗତସିଂହପୁରର ସୁମିତ୍ରା ସାହୁ, ଦେବଗଡର ପିୟୁଷ ପ୍ରଭା କର, ପୁରୀର ଅପର୍ଣ୍ଣା ପଣ୍ଡା, ବଲାଙ୍ଗୀରର ଆର୍ୟାନ୍‌ ଶତପଥୀ ଓ କେନ୍ଦ୍ରାପଡାର ସୋନମ ପରବିନ ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଭାଗ ନେଇ କହିଥିଲେ ଯେ, ସ୍କୁଲର ସ୍ବଚ୍ଛ ପରିବେଶ ଓ ସ୍ବଚ୍ଛ ଶୌଚାଳୟ ବ୍ୟବସ୍ଥା ପିଲାମାନଙ୍କ ପାଇଁ, ବିଶେଷକରି ଛାତ୍ରୀମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି । ସ୍ମାର୍ଟ ବ୍ୟବସ୍ଥାରେ ପାଠ ବୁଝିବା ସହଜ ହେଉଛି ବୋଲି ସେମାନେ କହିଥିଲେ । ସରକାରୀ ସ୍କୁଲ ପିଲାମାନଙ୍କ ପାଇଁ ଉଚ୍ଚଶିକ୍ଷାରେ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିବାରୁ, ସେମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ ।

କାର୍ଯ୍ୟକ୍ରମରେ ଜଗତସିଂହପୁରରେ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଦେବଗଡରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ପୁରୀରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ବଲାଙ୍ଗୀରରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଏବଂ କେନ୍ଦ୍ରାପଡାରେ ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ । ସ୍କୁଲ ରୂପାନ୍ତର ରାଜ୍ୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଅଭୁତପୂର୍ବ ଉତ୍ସାହ ସୃଷ୍ଟି କରିଛି ବୋଲି ସେମାନେ କହିଛନ୍ତି ।

ଏହି ଅବସରରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ନିଜର ସଫଳତାରେ ସ୍କୁଲର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ଟିଟିଲାଗଡ ହାଇସ୍କୁଲରୁ ପାଠ ପଢିଥିବା ଅସିତ ତ୍ରିପାଠୀ କହିଥିଲେ ଯେ, ମୁଁ ଗୋଟିଏ ସରକାରୀ ସ୍କୁଲରୁ ପାଠ ପଢି ସ୍ବପ୍ନ ପୂରଣ କରିପାରିଛି ଏବଂ ଜିଲ୍ଲା ଓ ରାଜ୍ୟର ବିକାଶରେ କିଛି କିଛି ଯୋଗଦାନ ରଖିପାରିଛି । ଆଜିର ସରକାରୀ ସ୍କୁଲ ଓ ଆମ ବେଳର ସରକାରୀ ସ୍କୁଲର ସୁବିଧା ମଧ୍ୟରେ ଆକାଶ ପାତାଳ ତଫାତ ରହିଛି ।

Leave A Reply

Your email address will not be published.