ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଧର୍ମକୁ କଲେ ପ୍ରଦର୍ଶନୀ
ହୁଏ ଧର୍ମର ମାନହାନି
ରହିବା ସ୍ବଧର୍ମ ସହିତ
ହେବାନି ଆଦୌ ପ୍ରଦର୍ଶିତ
ବ୍ୟକ୍ତିର ଅଂତରଂଗ ଭକ୍ତି
ବୁଦ୍ଧି, ଜ୍ଞାନ, ବିବେକ, ଶକ୍ତି
ଲୋଡ଼େନି କାହାର ସ୍ବୀକୃତି
ଅଥବା ଗୋଷ୍ଠୀର ସଂପୃକ୍ତି
ସ୍ବଧର୍ମ ହେଲେ ବ୍ୟକ୍ତିଗତ
ଚିତ୍ତ ହୁଏନି ବିଚଳିତ
ହେଲେ ବାଦବିବାଦ ରତ
ମନରେ ଜାତ ହୁଏ କ୍ଷତ
କୌଣସି ଧର୍ମ ଅନୁଯାୟୀ
ଅନ୍ୟାନ୍ୟ ଧର୍ମ ଚଳେନାହିଁ
ପ୍ରତିଟି ଧର୍ମ ତ ଅନନ୍ୟ
କିପରି ହୋଇବେ ସମାନ ?
ପ୍ରତ୍ୟେକେ ନିଜ ଧର୍ମ ଧରି
ହୋଇପାରିଲେ ହିତକାରୀ
ହିଂସା ଯାଆଂତା ଅପସରି
କ୍ଷତି ନ ହୁଅଂତା କାହାରି
ଧର୍ମ ସହ ସଂସ୍କୃତି, ଭାଷା
ଉପରୁ ତୁଟିଲେ ଭରସା
ଘଟେ ସମୂହ ଅବକ୍ଷୟ
ହୁଏନି ଜୟ, ପରାଜୟ
ପୂର୍ବ ଘଟନାବଳି ଦେଖି
ଯଦି ନ ପାରୁଁ କିଛି ଶିଖି
କରିହେବନି ଆତ୍ମରକ୍ଷା
କାହାକୁ କରିବା ପ୍ରତୀକ୍ଷା ?
ନିଜ ଦାୟିତ୍ବ ନିଜେ ନେଇ
କର୍ତବ୍ୟ ସବୁ କରି ଦେଇ
ସୁଖେ ପାରିବା ସର୍ବେ ଚଳି
ସ୍ବଭାଷା, ସ୍ବଧର୍ମ ସଂଭାଳି