ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଯାହା ବୋଲାଏ ନିରବତା
ତାହା ତ ହୃଦୟର କଥା
ଜିଭରୁ ବାହାରେନି ବାଣୀ
ତଥାପି ମନ ପାରେ ଶୁଣି
ମୁହଁର ବହୁବିଧ ରୂପ
ଦେଖାଏ ଭାବର ସ୍ବରୂପ
କେବଳ ଉଚ୍ଚାରିତ କଥା
ନୁହେ ଭାଷାର ମୂଳାବସ୍ଥା
ପଦଟେ କଥା ବି ନ କହି
ପାରେ ଯେ ଭାବନା ଜଣାଇ
ଇଂଗିତ, ଠାରର ପ୍ରୟୋଗ
କରେ ସେ ନିତି ଉପଯୋଗ
ଯାହାକୁ କହୁଁ ଆମେ ମୂକ
ସେ ମଧ୍ୟ ଭାଷାବଂତ ଲୋକ
କରି ବିଭିନ୍ନ ଅଂଗଭଂଗୀ
ହୋଇଥାଏ ଭାଷାର ସଂଗୀ
ତେଣୁ ତ ମୌନ ଓ ମୁଖର
ଯାହା ହେଲେ ବି ନାରୀ, ନର
ପ୍ରକାଶ କରି ମନୋଭାବ
ବଢ଼ାଂତି ଭାଷାର ଗୌରବ
ବଚନ ହେଉ କି ଅକ୍ଷର
ସବୁଠି ନୁହେ ଦରକାର
ଆଦୌ ନ କହି କିଂବା ଲେଖି
ହୁଏ ଭାଷା ମର୍ଯାଦା ଟେକି
ଧ୍ବନି ଓ ଲିପି ସମାହାର
ସ୍ବର, ବ୍ୟଂଜନ ଲେଖାକ୍ଷର
ସହିତ ଅନେକ ପ୍ରତୀକ
ଭାଷାକୁ କରଂତି ସାର୍ଥକ
ସବୁ ମାଧ୍ୟମ ବ୍ୟବହାର
କରିବା ଯୋଗୁଁ ଏ ସଂସାର
ହୋଇଛି ଯେଣୁ ଭାବମୟ
ଅଲୋଡ଼ା ଭାଷା ପ୍ରତି ଭୟ
ଯାହା ଆସି ଭାଷାରେ ମିଶେ
ନିର୍ଦିଷ୍ଟ ଭାବନା ପ୍ରକାଶେ
ସବୁକୁ କରିଲେ ସ୍ବାଗତ
ଭାଷାଟେ ହୁଏ ସମୁନ୍ନତ
ପ୍ରଫୁଲ୍ଲ କୁମାର ତ୍ରିପାଠୀ