Latest Odisha News

BREAKING NEWS

୨୦୦୩ ବିଶ୍ୱକପ କ୍ରିକେଟ: ଅତି ପାଖରୁ ଭାରତ ହାତଛଡା କରିଥିଲା ଟାଇଟଲ

୨୦୦୩ ଆଇସିସି କ୍ରିକେଟ ବିଶ୍ୱକପ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ କେନିୟାରେ ଆୟାଜିତ ହୋଇଥିଲା । ପ୍ରଥମ ଥର ପାଇଁ ବିଶ୍ୱକପ ଆଫ୍ରିକାରେ ଖେଳା ଯାଇଥିଲା । ଭାରତ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲା । ତେବେ ଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ହରାଇ ଚାମ୍ପିୟନ ହୋଇଥିଲା । ସର୍ବାଧିକ ୧୪ଟି ଟିମ ଏହି ସଂସ୍କରଣରେ ଅଂଶଗ୍ରହଣ କରିଥିଲେ । ଦକ୍ଷିଣ ଆଫ୍ରିିକା, ପାକିସ୍ତାନ, ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ଟିମ ନୈରାଶ୍ୟଜନକ ପ୍ରଦର୍ଶନ କରି ଗ୍ରୁପ ଷ୍ଟେଜରୁ ବିଦାୟ ନେଇଥିଲେ । ଡକ୍ୱୱର୍ଥ ନିୟମ ହିସାବ ଭୁଲ କରି ଦକ୍ଷିଣ ଆଫ୍ରିକା ୧ରନ ପଛରେ ରହି ବିଦାୟ ନେଇଥିଲା । ରାଜନୈତିକ ଅସ୍ଥିରତା ଯୋଗୁ ଜିମ୍ବାୱେରେ ମ୍ୟାଚ ଖେଳିବାକୁ ଇଂଲଣ୍ଡ ଯାଇ ନ ଥିଲା । ଯାହା ଫଳରେ ଟିମ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରି ନ ଥିଲା ।ଭାରତର ପ୍ରଦର୍ଶନ: ୧୯୮୩ ପରେ ୨୦୦୩ ବିଶ୍ୱକପରେ ଭାରତୀୟ କ୍ରିକେଟ ଟିମ ପ୍ରଶଂସନୀୟ ପ୍ରଦର୍ଶନ କର ଫାଇନାଲରେ ପ୍ରବେଶ କରିଥିଲେ । ପ୍ରଥମ ମ୍ୟାଚରେ ଖରାପ ଫର୍ମରେ ଥିବା ଭାରତ ମାତ୍ର ୨୦୫ ରନର ଟାର୍ଗେଟ ନେଦରଲାଣ୍ଡକୁ ଦେଇଥିଲା । ଜଭାଗଲ ଶ୍ରୀନାଥ ଓ ଅନୀଲ କୁମ୍ବଲେଙ୍କ ଚମତ୍କାର ବୋଲିଂ ଯୋଗୁ ଭାରତ ୧୩୬ ରନରେ ବିପକ୍ଷ ଦଳକୁ ଅଲଆଉଟ କରି ଦେଇଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରି ୧୨୫ ରନରେ ଅଲଆଉଟ ହୋଇ ଯାଇଥିଲା । ସଚିନ ତେନ୍ଦୁଲକର ୫୨ ରନ କରିଥିଲେ । ଜବାବରେ ୨୨.୨ ଓଭରରେ ବିଜୟ ହାସଲ କରି ନେଇଥିଲା । ଏହା ପରେ ଭାରତ ଜିମ୍ବାୱେ, ଇଂଲଣ୍ଡ ଓ ନାମ୍ବିଆକୁ ହରାଇ ସୁପର ସିକ୍ସରେ ପ୍ରବେଶ କରିଥିଲା । ସଚିନ ଓ ସୌରଭ ଗାଙ୍ଗୁଲି ଶତକ ହାସଲ କରିଥିବା ବେଳେ ଆଶୀଷ ନେହେରା ଇଂଲଣ୍ଡ ବିପକ୍ଷରେ ୨୩ ରନରେ ୬ ୱିକେଟ ଅକ୍ତିଆର କରି ଫର୍ମକୁ ଫେରିଥିଲେ । ପରବର୍ତୀ ମୁକାବିଲାରେ ଭାରତ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ସଏଦ ଅନୱରଙ୍କ ଶତକ ବଲରେ ପାକିସ୍ତାନ ୨୭୩ ରନ କରିଥିଲା । ସଚିନ ଓ ସେହ୍ୱାଗ ଟାର୍ଗେଟ ଚେଜ କରି ୩୨ ବଲରୁ ୫୦ ରନ ସଂଗ୍ରହ କରିଥିଲେ । ଦଳର ସ୍କୋର ୫୩ ରନ ହୋଇଥିବା ବେଳେ ସେହ୍ୱାଗ ଓ ଗାଙ୍ଗୁଲିଙ୍କ ୱିକେଟ ହରାଇ ଭାରତ ବିପଦରେ ପଡିଥିଲା । ସଚିନ (୯୮), ରାହୁଲ ଡ୍ରାଭିଡ (୪୪ ନଟଆଉଟ) ଓ ଯୁବରାଜ ସିଂ ( ୫୩ ବଲରେ ୫୦) ଭାରତକୁ ବିଜୟୀ କରାଇଥିଲେ ।

ସୁପର ସିକ୍ସରେ ଭାରତ ସହଜରେ କେନିୟା, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । କେନିୟା ୨୨୭ ରନର ବିଜୟ ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଥିଲା । ୨୪ ରନରେ ଭାରତ ୩ଟି ୱିକେଟ ହରାଇଥିଲା । ମାତ୍ର ଏହା ପରେ ସୌରଭ ଗାଙ୍ଗୁଲି (୧୦୭ ନଟଆଉଟ) ଓ ଯୁବରାଜ ସିଂ ୫୮ ରନ କରି ଭାରତ ବିଜୟରେ ମୂଖ୍ୟ କର୍ଣ୍ଣଧାର ସାଜିଥିଲେ । ଶ୍ରୀଲଙ୍କା ବିପକ୍ଷରେ ଭାରତ ପ୍ରଥମେ ବ୍ୟାଟିଂ କରି ସଚିନ (୯୭) ଓ ସେହ୍ୱାଗ (୬୬) ରନର ସହାୟତାରେ ୨୯୩ ରନ କରିଥିଲା । ଶ୍ରୀଲଙ୍କା ୨୩ ଓଭରରେ ୧୦୯ ରନରେ ଅଲଆଉଟ ହୋଇ ଯାଇଥିଲା । ନ୍ୟୁଜିଲାଣ୍ଡ ମଧ୍ୟ ଜବରଦସ୍ତ ଫର୍ମରେ ଥିବା ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୪୫.୧ ଓଭରରେ ୧୪୬ ରନରେ ଅଲଆଉଟ ହୋଇ ଯାଇଥିଲା । ଭାରତ କୈଫ ଓ ଡ୍ରାଭିଡଙ୍କ ଅର୍ଦ୍ଧଶତକ ସହାୟତାରେ ଏହାକୁ ହାସଲ କରି ନେଇଥିଲା ।

ସେମିଫାଇନାଲରେ ଗାଙ୍ଗୁଲି (୧୧୧ ନଟଆଉଟ) ଓ ସଚିନଙ୍କ ୮୩ ରନ ସହାୟତାରେ ୨୭୦ ରନ କରିଥିଲା । ଜବାବରେ କେନିୟା ୧୭୬ ରନରେ ଅଲଆଉଟ ହୋଇ ଯାଇଥିଲା । କେନିୟାକୁ ସହଜରେ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଥିଲା । ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା । ଭାରତକୁ ବିଶ୍ୱ ଚାମ୍ପିୟନ କରାଇବାରେ ପ୍ରତିବନ୍ଧ ସାଜିଥିଲା ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ରିକି ପଂଟିଂଙ୍କ ୧୪୦ ରନ ସହାୟତାରେ ଭାରତ ସମ୍ମୁଖରେ ୩୬୦ ରନର ଲକ୍ଷ୍ୟ ରଖିଥିଲା । ଗ୍ଲେନ ମ୍ୟାକଗ୍ରା ପ୍ରଥମ ଓଭରରେ ସଚିନଙ୍କୁ ଆଉଟ କରି ଭାରତକୁ ଶକ୍ତ ଧକ୍କା ଦେଇଥିଲେ । ସେହ୍ୱାଗଙ୍କ ୮୪ ରନ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରି ନ ଥିଲେ । ୬୭୩ ରନ କରି ସଚିନ ମ୍ୟାନ ଅଫ ଦି ଟୁର୍ଣ୍ଣାମେଂଟ ହୋଇଥିଲେ । ଭାରତୀୟ ପ୍ରଶଂସକଙ୍କ ପାଇଁ ଏହି ମ୍ୟାଚ ଯନ୍ତ୍ରଣା ସଦୃଶ ଥିଲା ।

ସୋଏବଙ୍କ ବିଶ୍ୱ ରେକର୍ଡ: ପାକିସ୍ତାନ ପେସ ବୋଲର ସୋଏବ ଅଖତାର ଦ୍ରୁତ ବୋଲିଂ କରିବାରେ ବିଶ୍ୱରେକର୍ଡ ସ୍ଥାପନ କରିଥିଲେ । ଇଂଲଣ୍ଡ ବିପକ୍ଷରେ ସେ ୧୬୧.୩ କିଲୋମିଟର ପ୍ରତି ଘଂଟା ବେଗରେ ବଲ ପକାଇଥିଲେ ।

କାନାଡାର ଟେଲିଫୋନ ନମ୍ବର ସ୍କୋର: ଶ୍ରୀଲଙ୍କା ବିପକ୍ଷରେ କାନାଡା ୧୮.୪ ଓଭରରେ ୩୬ ରନର ଅଲଆଉଟ ହୋଇ ଯାଇଥିଲା । ବିଶ୍ୱକପରେ ଏହା ସବୁଠାରୁ ଖରାପ ସ୍କୋର ଥିଲା । ଚାମିଣ୍ଡା ଭାସ ୩ଟି ଏବଂ ପ୍ରଭାତ ନିଶାଙ୍କା ୪ଟି ୱିକେଟ ନେଇଥିଲେ । କାନାଡା ବ୍ୟାଟ୍ସମ୍ୟାନଙ୍କ ସ୍କୋର ଟେଲିଫୋନ ନମ୍ବରକୁ ସୂଚାଉଥିଲା । ସେମାନଙ୍କ ବ୍ୟାଟ୍ସମ୍ୟାନ ୯୦୦୧୦୯୦୬୬୦୦ ରନ କରିଥିଲେ ।

Leave A Reply

Your email address will not be published.