ପୁଣେ: ମହାରାଷ୍ଟ୍ରର ପୁଣେରେ ଘଟିଥିବା ହୃଦୟ ବିଦାରକ ତଥା ଲୋମହର୍ଷକ ଘଟଣା ଏବେ ଚର୍ଚ୍ଚାରେ। ପ୍ରଥମେ ଯାହା ଏକ ସାଧାରଣ ଦୁର୍ଘଟଣା ବୋଲି ମନେ ହେଉଥିଲା, ତାହା ପଛରେ ଲୁଚି ରହିଥିଲା ଏକ ସୁଚିନ୍ତିତ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର। ନିଜ ଭାବୀ-ସ୍ୱାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ ପ୍ରେମିକ ସହ ମିଶି ଏକ ଭୟଙ୍କର ଖେଳ ଖେଳିଛି ୨୦ ବର୍ଷୀୟା ଯୁବତୀ ସିୟା ଗୋଏଲ। ପୁଣେର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ, ୨୬ ବର୍ଷୀୟ କେତନ ଅଗ୍ରୱାଲଙ୍କୁ ଐତିହାସିକ ଲୋହଗଡ଼ ଦୁର୍ଗରୁ ୪୦୦ ଫୁଟ୍ ତଳକୁ ଠେଲି ଦେଇଛି ତାଙ୍କର ହିଁ ଭାବୀ ପତ୍ନୀ।
ଗତ ଫେବୃଆରୀ ମାସରେ କେତନ ଏବଂ ସିୟାଙ୍କ ନିର୍ବନ୍ଧ ସରିଥିଲା। ଆସନ୍ତା ନଭେମ୍ବରରେ ଉଦୟପୁରରେ ଏକ ରାଜକୀୟ ବାହାଘର ପାଇଁ ଉଭୟ ପରିବାର ଜୋରସୋରରେ ପ୍ରସ୍ତୁତି ଚଳାଇଥିଲେ। କିନ୍ତୁ ସିୟା ଏହି ବିବାହରେ ରାଜି ନଥିଲେ ଏବଂ ସେ ଚେତନ ଚୌଧୁରୀ ନାମକ ଅନ୍ୟ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ପରିବାରର ସମ୍ମାନ ଏବଂ କେତନଙ୍କ ପ୍ରଭାବଶାଳୀ ପରିବାରକୁ ଭୟ କରି ସେ ବିବାହ ଭାଙ୍ଗିବା ପରିବର୍ତ୍ତେ କେତନଙ୍କୁ ସବୁଦିନ ପାଇଁ ଚୁପ୍ କରିଦେବାକୁ ନିଷ୍ପତ୍ତି ନେଇଥିଲେ। ପୋଲିସ ସୂତ୍ରରୁ ଜଣାପଡିଛି ଯେ, ଗତ ୬ ମାସ ମଧ୍ୟରେ ସିୟା ଏବଂ ଚେତନ ପରସ୍ପର ସହ ୨୦୦୪ ଥର ଫୋନରେ କଥା ହୋଇଥିଲେ, ଯେଉଁଥିରେ ପ୍ରାୟ ୨୩୮ ଘଣ୍ଟା ଧରି କେବଳ ଏହି ହତ୍ୟାର ନକ୍ସା ପ୍ରସ୍ତୁତ କରାଯାଇଥିଲା।
ଜୁନ୍ ୧୮ ତାରିଖ ଦିନ ପ୍ରି-ୱେଡିଂ ଫଟୋସୁଟ୍ ବା ବୁଲିବା ବାହାନାରେ ସିୟା ଚାଲାକି କରି କେତନଙ୍କୁ ଲୋହଗଡ଼ ଦୁର୍ଗକୁ ନେଇଯାଇଥିଲେ। ସେମାନଙ୍କ ପଛେ ପଛେ ପ୍ରେମିକ ଚେତନ ମଧ୍ୟ ଦୁର୍ଗରେ ପହଞ୍ଚିଥିଲା। ନିଜ ପରିଚୟ ଲୁଚାଇବା ପାଇଁ ପ୍ରବଳ ଖରା ସତ୍ତ୍ୱେ ଚେତନ ଏକ ହୁଡି ପିନ୍ଧିଥିଲା। ସିସିଟିଭି ଫୁଟେଜରୁ ଜଣାପଡିଛି ଯେ, ପାହାଡ଼ ଉପରେ ପହଞ୍ଚିବା ପରେ ସିୟା ଇସାରା ମାଧ୍ୟମରେ ଚେତନକୁ ନିର୍ଦ୍ଦେଶ ଦେଇଥିଲା ଏବଂ ସୁଯୋଗ ଦେଖି ଚେତନ କେତନଙ୍କୁ ୪୦୦ ଫୁଟ୍ ତଳ ଖାଇକୁ ଠେଲି ଦେଇଥିଲା। ଏହାପରେ ଘଟଣାକୁ ଏକ ଦୁର୍ଘଟଣାର ରୂପ ଦେବା ପାଇଁ ସିୟା ଜୋରରେ “ବଞ୍ଚାଅ ବଞ୍ଚାଅ” ଚିତ୍କାର କରି ଲୋକଙ୍କୁ ଡାକିଥିଲେ ଏବଂ ଫଟୋ ଉଠାଇବା ବେଳେ ଗୋଡ଼ ଖସିଯାଇଥିବାର ମିଛ ନାଟକ କରିଥିଲେ।
ପୋଲିସ ତଦନ୍ତରୁ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ହତ୍ୟା ପୂର୍ବରୁ ବାଲିରେ ହେବାକୁ ଥିବା ପ୍ରି-ୱେଡିଂ ସୁଟ୍କୁ ବାତିଲ କରିବା ପାଇଁ ସିୟା କେତନଙ୍କ ପାସପୋର୍ଟ ଚିରି ଫିଙ୍ଗି ଦେଇଥିଲେ। ଏପରିକି ଜୁନ୍ ୧୪ ତାରିଖରେ ମଧ୍ୟ କେତନଙ୍କୁ ପାହାଡ଼ରୁ ଠେଲି ଦେବାକୁ ଉଦ୍ୟମ ହୋଇଥିଲା, କିନ୍ତୁ ସେ ଏକ ବୁଦାକୁ ଧରି ପକାଇବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ଲୋହଗଡ଼ ଦୁର୍ଗର ସୁରକ୍ଷା କର୍ମୀଙ୍କ ବୟାନ ଏବଂ ସିୟାଙ୍କ ବାରମ୍ବାର ବଦଳୁଥିବା କଥା ପୋଲିସର ସନ୍ଦେହ ବଢ଼ାଇଥିଲା।
ବର୍ତ୍ତମାନ ପୁଣେ ରୁରାଲ ପୋଲିସ ସିୟା ଏବଂ ଚେତନଙ୍କୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ଚେତନର ଗାଡ଼ି ଓ ହୁଡିକୁ ମଧ୍ୟ ଜବତ କରାଯାଇଛି। ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ ମଧ୍ୟ କରିଛି। ଗୋଟିଏ ପଟେ ବାହାଘରର ପ୍ରସ୍ତୁତି ଚାଲିଥିବା ବେଳେ ଅନ୍ୟପଟେ ନିଜ ଭାବୀ-ପତ୍ନୀର ଏଭଳି ଭୟଙ୍କର ବିଶ୍ୱାସଘାତକତା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
