ପ୍ରୟାଗରାଜ: ମହାସ୍ନାନର ଶେଷ ସପ୍ତାହ । ଆଉ ଦୁଇ ତିନି ଦିନ ପରେ ଖାଁ ଖାଁ ହେବାକୁ ଯାଉଛି ସଙ୍ଗମ ସ୍ଥଳ । ୧୪୪ ବର୍ଷ ପରର ଏ ପବିତ୍ର ମୂହୂର୍ତ୍ତ ହାରୁ ଖସିଯାଉଥିବାରୁ, ଏବେ ଆସ୍ତାର ବୁଡ ପାଇଁ, ସଙ୍ଗମ ସ୍ଥଳରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ୨୬ ତାରିଖରେ ମହାକୁମ୍ଭ ସରୁଛି , ତା ଉପରେ ପୁଣି ସେଦିନ ମହାଶିବରାତ୍ରି, ଏହି ଦୁର୍ଲଭ ଅବସରରେ ସଙ୍ଗମରେ ପବିତ୍ର ବୁଡ ପକାଇବାକୁ ପ୍ରୟାଗରାଜରେ ଭକ୍ତଙ୍କ ସମାବେଗ ବଢୁଛି । ଅନ୍ୟପଟେ ଆଜି ରବିବାର ଥିବାରୁ ସମସ୍ତେ ଛୁଟିରେ ମହାକୁମ୍ଭରେ ସାମିଲ ହେବାକୁ ପ୍ରୟାଗରାଜ ମୁହାଁ ହୋଇଛନ୍ତି । ଯେଉଁଥିପାଇଁ ଭିଡ ଅଧିକ ବଢିଯାଇଛି ।
ଭିଡର ପରିମାଣ ଏତେ ବୃଦ୍ଧି ହୋଇଯାଇଛି, କି ପାଖାପାଖି ୨୫ କିଲୋମିଟର ଯାଏଁ ଭିଡ ଲମ୍ବିଛି । ଲମ୍ବା ଲାଇନ ଭିତରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ଟ୍ରାଫିକ୍ ଜାମ୍ ସଫା ହେବା ପୂର୍ବରୁ ଭକ୍ତମାନେ କିଛି ଘଣ୍ଟା ଧରି ଟ୍ରାଫିକ୍ ଜାମ୍ ରେ ଫସି ରହିଥିଲେ। ପରେ ଏହା ଧିରେ ଧିରେ ଖାଲି ହୋଇଥିଲା ।
ସେପଟେ ଆଜି ରବିବାର ହୋଇଥିବାରୁ ଉତ୍ତରପ୍ରଦେଶର ମୁଗଲସରାଇର ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଜଙ୍କସନ୍ରେ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ରେଳ ଷ୍ଟେସନ୍ ବିହାର, ବଙ୍ଗଳା, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଉତ୍ତର-ପୂର୍ବ ରାଜ୍ୟ ପାଇଁ ଏକ ପ୍ରମୁଖ ପ୍ରବେଶ ପଥ। ତେଣୁ ଶେଷ ସପ୍ତାୟରେ ଭକ୍ତଙ୍କ ସୁଅ ଛୁଟିଥିବା ବେଳେ ଜାମ୍ ବୃଦ୍ଧି ପାଇଛି ।
ତେବେ ୧୪୪ ବର୍ଷ ପରେ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ମହାକୁମ୍ଭ, ଆସନ୍ତା ଫେବୃଆରୀ ୨୬ରେ ସରିବ । ଏପର୍ଯ୍ୟନ୍ତ ପ୍ରାୟ ୬୦ କୋଟି ଭକ୍ତ ଗଙ୍ଗା, ଯମୁନା ଏବଂ ସରସ୍ୱତୀଙ୍କ ପବିତ୍ର ସଙ୍ଗମରେ ପବିତ୍ର ବୁଡ଼ ପକାଇ ବିଶ୍ୱର ସର୍ବବୃହତ ଧାର୍ମିକ ଏବଂ ସାଂସ୍କୃତିକ ସମାବେଶରେ ସାମିଲ ହୋଇସାରିଛନ୍ତି । ମହାକୁମ୍ଭ ଶେଷ ପର୍ଯ୍ୟାୟରେ ଥିବା ବେଳେ, ପ୍ରାୟ କୋଟି କୋଟି ଭକ୍ତ ପ୍ରତିଦିନ ସଙ୍ଗମ ଆସୁଛନ୍ତି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed.