ନୂଆଦିଲ୍ଲୀ: ଭାରତକୁ ପ୍ରତ୍ୟାର୍ପଣ ନକରିବାକୁ ଆମେରିକାର ସୁପ୍ରିମକୋର୍ଟରେ ଆବେଦନ କରିଛି ୨୬/୧୧ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା। ଏପରିକି ‘ଜରୁରୀକାଳୀନ ଷ୍ଟେ’ ପାଇଁ ମଧ୍ଯ ଦାବି କରିଛି।
ନିଜ ଆବେଦନରେ ସେ କହିଛି ଯେ ଯଦି ତାଙ୍କୁ ଭାରତ ପଠାଯାଏ ତେବେ ତାଙ୍କୁ “ନିର୍ଯ୍ୟାତନା” ଦିଆଯାଇପାରେ। ସେ ଜଣେ ମୁସଲମାନ ଏବଂ ପାକିସ୍ତାନୀ ବଂଶୋଦ୍ଭବ। ତେଣୁ ସେ ଅଧିକ ବିପଦରେ। ହ୍ୟୁମାନ୍ ରାଇଟ୍ସ ୱାଚର ୨୦୨୩ ରିପୋର୍ଟକୁ ଆଧାର କରି କୁହାଯାଇଛି ଯେ ଭାରତ ସରକାର ସଂଖ୍ୟାଲଘୁ, ବିଶେଷକରି ମୁସଲମାନମାନଙ୍କ ପ୍ରତି ଭେଦଭାବ ପ୍ରଦର୍ଶନ କରିଥାନ୍ତି। ଯାହା ଫଳରେ ତା ଜୀବନ ପ୍ରତି ବିପଦ ରହିଛି।
ସେ ଆହୁରି ମଧ୍ଯ କହିଛି ଯେ, ତାର ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଖରାପ ରହିଛି। ସେ ୩.୫ ସେମି ପେଟର ଆନ୍ୟୁରିଜମ୍, ପାର୍କିନ୍ସନ୍ସ ଏବଂ କର୍କଟ ରୋଗରେ ପୀଡିତ। ଯଦି ଆମେରିକାର ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଖାରଜ କରନ୍ତି ତେବେ ତାଙ୍କୁ ଭାରତ ପଠାଯିବ।
ଉଲ୍ଲେଖଯୋଗ୍ୟ, ରାଣା ଉପରେ ୨୬/୧୧ ମୁମ୍ବାଇ ଆକ୍ରମଣରେ ମୁଖ୍ଯ ଭୂମିକା ଗ୍ରହଣ କରିବା ଅଭିଯୋଗ ରହିଛି। ଆମେରିକାରେ ତାକୁ ଲସ୍କର-ଏ-ତୋଇବା (ଏଲଇଟି)କୁ ସମର୍ଥନ କରିବା ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଅପରପକ୍ଷରେ ଭାରତ ଦୀର୍ଘ ଦିନ ଧରି ତାର ପ୍ରତ୍ୟାର୍ପଣ ନେଇ ଦାବି କରିଆସୁଥିଲା।
Comments are closed.