Latest Odisha News

BREAKING NEWS

କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟା: ଓଡ଼ିଶୀ ଓ କୁଚିପୁଡ଼ିରେ ନାଚରେ ଦୁଲୁକିଲା ମଞ୍ଚ 

କୋଣାର୍କ: ଅର୍କକ୍ଷେତ୍ର କୋଣାର୍କର ମୁକ୍ତାକାଶ ମଞ୍ଚରୁ ଶିବଲୀଳାର ପ୍ରସଙ୍ଗ ସହ ବର୍ଷା ଅଭିସାରର ଅଭିନୟ ବର୍ଷୀ ଯାଇଥିବା ବେଳେ ଚନ୍ଦ୍ରଭାଗା ବେଳାଭୂମିରେ ପର୍ଯ୍ୟାବରଣ, ବନ୍ୟଜନ୍ତୁ ସଂରକ୍ଷଣ ଓ କୋରନା ସଚେତନତାର ବର୍ତ୍ତା ଦେଉଥିଲା ବାଲୁକାକଳା ପରିପାଟୀ ।କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟା ଯେତିକି ମନରୋମ ଥିଲା ଶାସ୍ତ୍ରୀୟ ନୃତ୍ୟର ମଞ୍ଚାୟନ ସେତିକିଥିଲା ଭାବମୟ ।

ପ୍ରଥମ ଚରଣରେ ଓଡ଼ିଶୀ ନୃତ୍ୟଶିଳ୍ପୀ ମଞ୍ଚପ୍ରବେଶ କରିବା ସହ ମଧୁଲିତା ମହାପାତ୍ରଙ୍କ ନୃତ୍ୟ ସଂଯୋଜନାରେ ଶକ୍ତିଙ୍କ ବିବିଧ ପ୍ରକାଶକୁ ନେଇ ପରିବେଷଣ କରିଥିଲେ ଇଶ୍ୱରୀ । ଦ୍ୱିତୀୟ ପ୍ରସ୍ତୁତିରେ ମଧୁଲିତାଙ୍କ ନୃତ୍ୟାନ୍ତର ଅନୁଷ୍ଠାନର ଶିଳ୍ପୀମାନେ ଶୁଦ୍ଧ ନୃତ୍ୟ ମହ୍ଲାରପଲ୍ଲବୀ ବାଢିଦେଇଥିବା ବେଳେ କାଳିଦାସଙ୍କ ଋତୁ ସଂହାର ପୃଷ୍ଟଭୁମିରେ ଶିଳ୍ପୀଙ୍କ ବର୍ଷା ଅଭିସାର ଦର୍ଶକଙ୍କ ଚେତନାକୁ ଆଦ୍ର କରିଥିଲା । ଓଡ଼ିଶୀର ଅନ୍ତିମ ଅଧ୍ୟାୟରେ ଉପସ୍ଥାପିତ ହୋଇଥିଲା ହରିସ୍ମରଣେ ।

ଦ୍ୱିତୀୟ ପର୍ଯ୍ୟାୟରେ ଚେନ୍ନାଇରୁ ଆସିଥିବା କଳାସମର୍ପଣ ପ୍ରତିଷ୍ଠାନର ଶିଳ୍ପୀବୃଦ୍ଧ ପରିବେଶଣ କରିଥିଲେ କୁଚିପୁଡ଼ି ଶାସ୍ତ୍ରୀୟ ପରମ୍ପରାରେ ନୃତ୍ୟାଭିନୟ ଶିବଲୀଳା । ପୌରାଣୀକ ପୃଷ୍ଟଭୁମିରେ ଭଗବାନ ଶଙ୍କରଙ୍କ ବିବିଧ ଲୀଳା ମାଧୁରିକୁ ନେଇ ଉପସ୍ଥାପିତ ହୋଇଥିଲା କ୍ଷୀର ସାଗର ମଥନମ୍‍, ମନ୍ମଥଭଂଗମ୍‍ ଓ ଆନନ୍ଦ ତାଣ୍ଡବମ୍‍ । ଶିବପୁରାଣ ଆଧାରରେ ପ୍ରତିଟି ଉପସ୍ଥାପନାକୁ ନିଖୁଣ ଭାବରେ ବାଢିଦେଇଥିଲେ କୁଚିପୁଡ଼ି ଶିଳ୍ପୀ । ବସନ୍ତଲକ୍ଷ୍ମୀ ନରସିଂହାଚାରୀଙ୍କ ବଳିଷ୍ଠ ନୃତ୍ୟ ସଂଯୋଜନାର ପରିବେଷଣ, ସଂଗୀତ-ବାଦ୍ୟ-ନୃତ୍ୟ ଓ ଅଭିନୟର ମିଶ୍ର ପ୍ରକାଶକୁ ତୋଳି ଧରିଥିଲା ।

ସଂଧ୍ୟାର ଅତିଥିଭାବେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର, ବାଲକ୍ରିଷ୍ଣନ୍‍ ଏବଂ ପର୍ଯ୍ୟଟନ ବିଭାଗର ଶାସନ ସଚିବ ବିଶାଲ କୁମାର ଦେବ ।

ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ରତିକାନ୍ତ ପଟ୍ଟନାୟକ, ଅଜୟ କୁମାର ରାଉତ, ସରୋଜ କୁମାର ଜେନା, ସୁଶାନ୍ତ କୁମାର ପାଣିଗ୍ରାହୀ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନଙ୍କ ସହ ସଙ୍ଗୀତ ନାଟକ ଏକାଡ଼େମୀ ସଚିବ ପ୍ରବୋଧ କୁମାର ରଥ ପରିଚାଳନାରେ ସହାୟତା ଦେଇଥିଲେ । ଅଧ୍ୟାପକ ଡ଼. ମୃତ୍ୟୁଞ୍ଜୟ ରଥ ଓ ସଂହତି ପାଣି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । କୋଭିଡ଼ କଟକଣା ଅନୁପାଳନରେ ମୁକ୍ତାକାଶ ମଞ୍ଚ ଓ ବେଳାଭୂମି ପରିସରରେ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.