Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ୪ ଓଡ଼ିଆ ଶ୍ରମିକ, ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ଵର: ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକ ମାନେ । ଏହି ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ । ସେମାନେ ସମସ୍ତେ ଭଲ ଅଛନ୍ତି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ସହୃଦୟତା ପାଇଁ ଧନ୍ୟବାଦ ଦେଇଥିଲେ । ଏହାପରେ ପ୍ରତ୍ୟେକ ଶ୍ରମିକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ।

ଟନେଲ୍ ଭିତରେ ସେମାନଙ୍କ ସଂଘର୍ଷ ପୂର୍ଣ୍ଣ ଜୀବନ ବିଷୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ସେମାନଙ୍କ ଠାରୁ ଶୁଣିଥିଲେ । ସେମାନେ ବାସ୍ତବରେ ଜଣେ ଜଣେ ହିରୋ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପ୍ରତିକୂଳ ପରିସ୍ଥିତିରେ ସେମାନେ ଯେପରି ଜୀବନ ପାଇଁ ସଂଗ୍ରାମ କରି ବିଜୟୀ ହୋଇଛନ୍ତି ତାହା ବାସ୍ତବିକ ପ୍ରେରଣା ଦାୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଯେଉଁ ଶ୍ରମିକ ମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ସେମାନେ ହେଲେ ମୟୂରଭଞ୍ଜର ରାଜୁ ନାୟକ, ଧିରେନ୍ ନାୟକ, ବିଶେଶ୍ୱର ନାୟକ ଏବଂ ନବରଙ୍ଗପୁରର ଭଗବାନ ଭତ୍ରା । ନବୀନ ନିବାସରେ ସମସ୍ତ ଶ୍ରମିକଙ୍କ ସହିତ ସେମାନଙ୍କ ପରିବାର ଲୋକମାନେ ମଧ୍ୟ ଉପସ୍ଥିତ ଥିଲେ ।

ସୂଚନା ଯୋଗ୍ୟ ଯେ, ପାଣ୍ଡିଆନ ଗତ କାଲି ଉଦ୍ଧାର ପାଇଥିବା ଶ୍ରମିକମାନଙ୍କ ସହ ଭିଡ଼ିଓ ଜରିଆରେ ଆଲୋଚନା କରି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ । ଏହି ସାକ୍ଷାତ୍ ସମୟରେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଉପସ୍ଥିତ ଥିଲେ । ମନ୍ତ୍ରୀ ନାୟକ ସେମାନଙ୍କ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଖବର ରଖିବା ପାଇଁ ଉତ୍ତରାଖଣ୍ଡ ଯାଇଥିଲେ ଓ ସମସ୍ତଙ୍କୁ ଧରି ଓଡ଼ିଶା ଫେରିଥିଲେ । ଏହି ସାକ୍ଷାତ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରମ କମିଶନର ଉପସ୍ଥିତ ଥିଲେ ।

Leave A Reply

Your email address will not be published.