Latest Odisha News

ଏମପି-ଏମଏଲଏଙ୍କ ବିରୋଧରେ ଫୌଜଦାରୀ ମାମଲା, ପ୍ରଥମରେ ଖୋର୍ଦ୍ଧା ଦ୍ଵିତୀୟରେ ସୁନ୍ଦରଗଡ

କଟକ: ରାଜ୍ୟର ସାସଂଦ ଓ ବିଧାୟକଙ୍କ ନାଁରେ ୨୦୨୩ ଡିସେମ୍ବର ସୁଦ୍ଧା ପଡ଼ିରହିଛି ୪୨୩ ଫୌଜଦାରୀ ମାମଲା । ବିଚାରଧୀନ ମାମଲାର ତ୍ୱରିତ ଶୁଣାଣି ହେବ । ରାଜ୍ୟ ସରକାର ଏ ନେଇ କଣ ପଦକ୍ଷେପ ନେଇଛନ୍ତି, ସେସବୁ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେଥି ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ରହିଛି ସର୍ବାଧିକ ୮୬ଟି ମାମଲା। ସେହିପରି ଦ୍ୱିତୀୟ ସ୍ଥାନରେ ଥିବା ସୁନ୍ଦରଗଡ଼ ଜିଲ୍ଲାରେ ୫୩ଟି ମାମଲା ଥିବାବେଳେ ତୃତୀୟ ସ୍ଥାନରେ ଥିବା ଗଞ୍ଜାମରେ ୫୧ଟି ମାମଲା ରହିଛି ।

ଏନେଇ ହାଇକୋର୍ଟ ରୁଜୁ ହୋଇଥିବା ମାମଲାର ଶୁଣାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଏବଂ ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ସୁଦ୍ଧା ରାଜ୍ୟ ସରକାର ଏହା ଉପରେ ସତ୍ୟପାଠ ଦାଖଲ କରିବେ । ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ନିର୍ଦ୍ଦେଶନାମା ଅନୁସାରେ, ଯେଉଁ ମାମଲାରେ କାହାରି ବିରୋଧରେ ମୃତ୍ୟୁ ଦଣ୍ଡାଦେଶ କିମ୍ବା ଆଜୀବନ କାରାଦଣ୍ଡର ଦଫା ଲାଗିଥିବ ସେହିସବୁ ମାମଲାକୁ ପ୍ରାଥମିକତା ଭିତ୍ତିରେ ଗୁରୁତ୍ୱ ଦେଇ ବିଚାର କରିବାକୁ କୁହାଯାଇଛି । ଯେଉଁ ମାମଲାରେ ୫-୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡବିଧାନର ବ୍ୟବସ୍ଥା ରହିଛି, ସେହିସବୁ ମାମଲାର ଏହା ପରକୁ ଶୁଣାଣି ପାଇଁ ଧାର୍ଯ୍ୟ କରାଯିବ । ଅନ୍ୟସବୁ ମାମଲାର ପର୍ଯ୍ୟାୟ କ୍ରମେ ଶୁଣାଣି ପାଇଁ ଧାର୍ଯ୍ୟ କରାଯିବ । ଏହିସବୁ ମାମଲାର ଶୁଣାଣି ବେଳେ ବିଭିନ୍ନ ପକ୍ଷଙ୍କୁ ଅଯଥାରେ ସମୟ ନଦେବା ଲାଗି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.