Latest Odisha News

BREAKING NEWS

ଟ୍ରକ୍ ଚୋରି ପାଇଁ ଡ୍ରାଇଭରକୁ ମହାନଦୀକୁ ଠେଲି ଦେଲେ, ୫ ଗିରଫ

ପାରାଦୀପ: ଫିଲ୍ମ ଷ୍ଟାଇଲରେ ଟ୍ରକ୍ ଚୋରି । ପ୍ରଥମେ ବନ୍ଧୁତା ପରେ ମଦ୍ୟପାନ ଆଉ ବିଶ୍ୱାସଘାତକତା । ଫିଲ୍ମ କାହାଣୀ ଭଳି ପାରାଦୀପରେ ଘଟିଛି ଲୋମଟାଙ୍କୁରା ଘଟଣା । ମହାନଦୀ ଗର୍ଭକୁ ଡ୍ରାଇଭରକୁ ଠେଲି ଦେଇ ଟ୍ରକ୍ ଚୋରି ହୋଇଛି । ତଦନ୍ତ ପରେ ପୋଲିସ ଚୋରି ଟ୍ରକକୁ ଉଦ୍ଧାର କରିଥିବା ବେଳେ ଏଯାଏ ଡ୍ରାଇଭର ସାଦବି ଆଲମ୍ ଓରଫ ଚାନ୍ଦଙ୍କ ପତ୍ତା ମିଳୁନାହିଁ ।

ଗତ ୨୧ ତାରିଖରେ ଦିଲ୍ଲୀର ସାଦବି ଆଲମ ନିଖୋଜ ନେଇ ପରିବାର ପକ୍ଷରୁ ଅଭୟଚାନ୍ଦପୁର ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ କରି ଚୋରି ଟ୍ରକକୁ ଉଦ୍ଧାର କରିବା ସହ ୫ ଜଣଙ୍କୁ ଗିରଫ କରିଛି । ମାମଲାରେ ପୋଲିସ ଅନ୍ୟ ଏକ ଟ୍ରକର ଡ୍ରାଇଭର ହୁକମ ସିଂ ଓ ହରପାଲ ସିଂଙ୍କ ସହ ବାରିପଦାର ୩ ଜଣଙ୍କୁ ଗିରଫ କରିଛି ।

ପୋଲିସ ସୂଚନା ଅନୁସାରେ, ସାଦବି ଆଲମଙ୍କ ସହ ଟାଟାରୁ ଆସିଥିବା ଏକ ଟ୍ରକର ହେଲପର ଓ ଡ୍ରାଇଭରଙ୍କ ଘନିଷ୍ଠତା ବଢଞିଥିଲା । ୨୧ ତାରିଖ ଦିନବେଳା ୩ ଜଣ ମିଶି ସମୁଦ୍ର କୂଳରେ ବୁଲିଥିଲେ । ଆଉ ସେଠି ହିଁ ଚାନ୍ଦର ଗାଡ଼ି ଚୋରି ପାଇଁ ପ୍ଲଟ୍ ରଚିଥିଲେ ହୁକମ ଓ ହରପାଲ । ଯୋଜନା ଅନୁସାରେ, ଦୁହେଁ ସନ୍ଧ୍ୟାରେ ଚାନ୍ଦକୁ ଅତ୍ୟଧିକ ମଦ ପିଆଇ ଦେଇ ଭୁତୁମୁଣ୍ଡାଇ ପୋଲ ଉପରୁ ଟଳମଳ ଅବସ୍ଥାରେ ମହାନଦୀକୁ ଠେଲି ଦେଇଥିଲେ । ଉଛୁଳା ମହାନଦୀର ସ୍ରୋତରେ ଭାସି ଯାଇଥିଲା ଚାନ୍ଦ । ଆଉ ଗାଡ଼ି ନେଇ ଫେରାର୍ ହୋଇ ଯାଇଥିଲେ ହୁକମ ଓ ହରପାଲ୍ ।

ଚୋରି ଟ୍ରକକୁ ନେଇ ମୟୂରଭଞ୍ଜ ବୈଶିଙ୍ଗା ଥାନା ଅଞ୍ଚଳର ଏକ ଢ଼ାବା ମାଲିକଙ୍କୁ ବିକ୍ରି ପାଇଁ ଯୋଜନା କରିଥିଲେ । ଏଥିପାଇଁ ୪ ଲକ୍ଷ ୬୦ ଟଙ୍କାରେ ଡିଲ୍ ହୋଇଥିବା ବେଳେ ୨ ଲକ୍ଷ ଟଙ୍କା ରାଜା ଜରିଆରେ ଅଗ୍ରୀମ ବି ଆଣିଥିଲେ । ପୋଲିସ ଜଙ୍ଗଲରୁ ଚୋରି ଟ୍ରକକୁ ଉଦ୍ଧାର କରି ମାଲିକଙ୍କୁ ହସ୍ତାନ୍ତର କରିଛି । ମାମଲାରେ ଉତ୍ତରପ୍ରଦେଶର ଟ୍ରକ୍ ଡ୍ରାଇଭର ଓ ହେଲପରଙ୍କ ସହ ମୟୂରଭଞ୍ଜର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏବେବି ନିଖୋଜ ଚାନ୍ଦଙ୍କ ପତ୍ତା ମିଳି ନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.