Latest Odisha News

BREAKING NEWS

ଡକାୟତି ଯୋଜନା ପଣ୍ଡ, ୫ ଜଣିଆ ଗ୍ୟାଙ୍ଗକୁ ଗିରଫ କଲା ପୋଲିସ

ଭୁବନେଶ୍ବର: ଡକାୟତି ଯୋଜନା ଚାଲିଥିବାବେଳେ ମାଡିବସିଲା ପୋଲିସ । ଘଟଣାସ୍ଥଳରୁ ୫ ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ଇନଫୋସିଟି ଥାନା ପୋଲିସ । ସେମାନଙ୍କୁ ଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରାଯାଇଛି ।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଇନଫୋସିଟି ଥାନା ଅଧୀନ ପଟିଆ ଷ୍ଟେସନ୍ ରୋଡ଼ରେ ଥିବା ଖେଳପଡିଆ ଗେଟ୍ ନିକଟରେ ୫ ଜଣ ଡକାୟତ ଡକାୟତି ଯୋଜନା କରୁଥିଲେ । ସ୍ଥାନୀୟ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନ ଓ ରାସ୍ତାରେ ଯାତାୟାତ କରୁଥିବା ପଥିକ ମାନଙ୍କୁ ଡକାୟତି କରିବା ନିମନ୍ତେ ମାରଣାସ୍ତ୍ର ରଖି ଘଟଣା ସ୍ଥଳରେ ଏକତ୍ରିତ ହୋଇଥିଲେ ।

ବିଶେଷସୂତ୍ରରୁ ଖବରପାଇ, ଇନଫୋସିଟି ଥାନାଧିକାରୀଙ୍କ ନର୍ଦ୍ଦେଶକ୍ରମେ ସମ୍ପୃକ୍ତ ଥାନାର ପୋଲିସ ଟିମ୍ ଅତର୍କିତ ଚଢାଉ କରି ୫ ଜଣଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ମାନେ ହେଲେ ରୋମି ନାୟକ (୨୪), କାର୍ତ୍ତିକ ବେହେରା ଓରଫ ଦଶାଇ (୩୧), ଜିତେନ୍ଦ୍ର ସାମଲ (୨୦), ଏସ୍.କେ ଇସଲାମ ଓରଫ କଦମ (୨୯), କେ. ଶିବାଜୀ (୨୬) । ତେବେ ଏଓହି ସମସ୍ତ ଅଭିଯୁକ୍ତ ରାଜଧାନୀ ସ୍ଥିତ ଶିଖରଚଣ୍ଡୀ ନଗରର ବୋଲି ଜଣାପଡିଛି ।

ଅଭିଯୁକ୍ତଙ୍କର ତଲାସି ବେଳେ ପୋଲିସ ସେମାନଙ୍କ ଠାରୁ ଦୁଇଟି ଲୁହା ରଡ୍, ଦୁଇଟି ବଡ ବଡ କାତି, ଗୋଟେ ଛୁରୀ, ଗୋଟେ ପ୍ୟାକେଟ୍ ଲଙ୍କା ପାଉଡର, ତିନୋଟି ଖାଲି ମଦବୋତଲ, ଗୋଟିଏ ପାଣି ବୋତଲ ଓ ସିଗାରେଟ ପ୍ୟାକେଟ୍ ଜବତ କରିଛି । ପଚରା ଉଚରା ବେଳେ ଅଭିଯୁକ୍ତମାନେ ସେମାନଙ୍କର ଅପରାଧ ସ୍ଵୀକାର କରିଛନ୍ତି ।

ଅପରାଧିକ ଯାଞ୍ଚ ବେଳେ ସେମାନେ ଦୁର୍ଦ୍ଧାନ୍ତ ଅପରାଧୀ ବୋଲି ଜଣାପଡିଛନ୍ତି । ସେମାନଙ୍କ ନାଁ ରେ ପୂର୍ବରୁ ଅନେକ ଥାନାରେ ମାମଲା ରହିଥିବା ଜଣାପଡିଛି । ଅଭିଯୁକ୍ତ ଇସଲାମ ଓରଫ କଦମଙ୍କ ନାମରେ ବିଭିନ୍ନ ଥାନାରେ ସର୍ବାଧିକ ୪୮ ଟି ମାମଲା ରହିଥିବା ବେଳେ ଅନ୍ୟ ମାନଙ୍କ ନାମରେ ସମୁଦାୟ ୧୭ଟି ମାମଲା ରହିଛି । ବର୍ତ୍ତମାନ ଏହି ମାମଲାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ମାମଲାରେ ଅଧିକ ତଦନ୍ତ ଚାଲୁ ରହିଛି ।

Leave A Reply

Your email address will not be published.