Latest Odisha News

BREAKING NEWS

ଭାରତର ୫ଟି ପ୍ରସିଦ୍ଧ ଗଣେଷ ମନ୍ଦିର, ଜାଣନ୍ତୁ କେଉଁଠି ଅଛି ଏହି ମନ୍ଦିର

ନୂଆଦିଲ୍ଲୀ: ରାତି ପାହିଲେ ଶ୍ରୀଗଣେଷ ପୂଜା । ହିନ୍ଦୁ ସମ୍ପ୍ରଦାୟର ସମସ୍ତ ଦେବଦେବୀଙ୍କ ମଧ୍ୟରେ ଅଗ୍ରପୂଜ୍ୟ ଦେବତା ହେଲେ ଶ୍ରୀଗଣେଶ। ଯେକୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଶ୍ରୀଗଣେଶଙ୍କୁ ଆବାହନ କରାଯାଏ । ସମସ୍ତ ବାଧାବିଘ୍ନକୁ ଦୂର କରିବା ଶକ୍ତି ତାଙ୍କ ପାଖରେ ଥିବାରୁ ସେ ହେଉଛନ୍ତି ବିଘ୍ନବିନାଶକ । ଆମ ଦେଶରେ ଏମିତି କିଛି ଗଣେଶଙ୍କ ମନ୍ଦିର ରହିଛି, ଯାହା ସାରା ବିଶ୍ଵରେ ଖ୍ୟାତି ଅର୍ଜନ କରିଛି । ତେବେ ଆସନ୍ତୁ ଜାଣିବା ସେହି ବିଶ୍ଵବିଖ୍ୟାତ ମନ୍ଦିର ବିଷୟରେ …

ଉଚ୍ଚି ପିଲ୍ଲାର ମନ୍ଦିର:

ତାମିଲନାଡ଼ୁ ତିରୁଚିରାପଲ୍ଲୀରେ ରହିଛି ଏହି ବହୁପୁରାତନ ‘ଉଚ୍ଚି ପିଲ୍ଲାର ମନ୍ଦିର’ ନାମକ ଗଣେଶ ମନ୍ଦିର। ୨୭୨ ଫୁଟ ଉଚ୍ଚ ଏକ ପଥର ଉପରେ ଏହି ବିନାୟକ ମନ୍ଦିରଟି ପ୍ରତିଷ୍ଠିତ। ପୁରାଣରେ ଏହି ମନ୍ଦିର ସମ୍ପର୍କରେ ଅନେକ ବିବରଣୀ ଉଲ୍ଲେଖିତ ରହିଛି ।

ସିଦ୍ଧିବିନାୟକ:

ମହାରାଷ୍ଟ୍ରର ମୁମ୍ବାଇରେ ରହିଛି ବିଶ୍ଵପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିର । ମୁମ୍ବାଇ ସିଦ୍ଧିବିନାୟକ ମନ୍ଦିର ଏହି ସହରର ଆଉ ଏକ ପରିଚୟ । ୧୮୦୧ ମସିହାରେ ଲକ୍ଷ୍ମଣ ଓ୍ଵିଠୁ ଓ ଦିଉବାଇ ପାଟିଲ ଏହି ଐତିହାସିକ ମନ୍ଦିରର ନିର୍ମାଣ କରିଥିଲେ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପ୍ରତିଦିନ ଏଠାକୁ ଆସନ୍ତି ଶ୍ରୀଗଜାନନଙ୍କ ଦର୍ଶନ ପାଇଁ ।

ତ୍ରିନେତ୍ର ଗଣେଶ ମନ୍ଦିର :

ରାଜସ୍ଥାନର ସାୱାଇ ମାଧୋପୁର ଜିଲ୍ଲାରେ ଥିବା ଐତିହାସିକ ରଣଥମ୍ବୋର ଦୁର୍ଗରେ ରହିଛି ଶ୍ରୀଗଣେଷଙ୍କର ଏହି ତ୍ରିନେତ୍ର ଗଣେଷ ମନ୍ଦିର । ଭାରତର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ପରିଦର୍ଶକ ଏଠାକୁ ପ୍ରଭୁ ତ୍ରିନେତ୍ର ଗଣେଶଙ୍କ ଦର୍ଶନ କରିବାକୁ ଆସିଥାନ୍ତି । ବିଶ୍ଵାସ ଥାଏ ସ୍ଵଚ୍ଛ ମନରେ ଏଠାରେ ଯିଏ ଯାହା ମାଗେ ତାହା ଭଗବାନ ତ୍ରିନେତ୍ର ଗଣେଶ ପୂରଣ କରିଥାନ୍ତି ।

କାନିପକମ୍ ବିନାୟକ ମନ୍ଦିର :

ବିଘ୍ନବିନାଶକଙ୍କ ଏହି ମନ୍ଦିର ଆନ୍ଧ୍ରପ୍ରଦେଶର ଚିତ୍ତୁରରେ ଅବସ୍ଥିତ । ଭକ୍ତଙ୍କ ସର୍ବଦୁଃଖନାଶ କରୁଥିବା ଏହି ବିଶାଳ ମନ୍ଦିର ନଦୀ ମଧ୍ୟଭାଗରେ ପ୍ରସ୍ତୁତ ହୋଇଛି । ଏକାଦଶ ଶତାବ୍ଦୀରେ ଏହି ମନ୍ଦିରକୁ ଚୋଳ ରାଜା କୁଲୋତୁଙ୍ଗ୍ ଚୋଳ ପ୍ରଥମ ସ୍ଥାପନା କରିଥିଲେ । ଯାହାର ବିସ୍ତାର ୧୩୩୬ ରେ ବିଜୟନଗର ସାମ୍ରାଜ୍ୟରେ ପ୍ରସ୍ତୁତ କରାଗଲା ।

ଦଗୁଡୁସେଠ୍ ହଲ୍ଓ୍ଵାଇ ଗଣେଶ ମନ୍ଦିର:

ମହାରାଷ୍ଟ୍ରର ଅନ୍ୟ ଏକ ସହର ପୁଣେ। ଏଠାରେ ଥିବା ‘ଶ୍ରୀମନ୍ତ ଦଗୁଡୁସେଠ୍ ହଲ୍ଓ୍ଵାଇ ଗଣେଶ ମନ୍ଦିର’ ଭାରତର ଦ୍ୱିତୀୟ ପ୍ରସିଦ୍ଧ ମନ୍ଦିର ଭାବେ ପରିଚିତ । ‘ଶ୍ରୀମନ୍ତ ଦଗୁଡୁସେଠ୍ ହଲ୍ଓ୍ଵାଇ’ ମନ୍ଦିର ଏହାର ଆଭ୍ୟନ୍ତରିଣ ଡିଜାଇନ୍ ଓ ଆକର୍ଷଣୀୟ କାରୁକାର୍ଯ୍ୟ ପାଇଁ ପରିଚିତ । ୧୮୯୩ ମସିହାରେ ପୁଣେର ମିଠା ତିଆରି କାରିଗର ଦଗୁଡୁସେଠ୍ ହଲ୍ଓ୍ଵାଇ ଏହି ଗଣେଶ ମନ୍ଦିରଟିକୁ ନିର୍ମାଣ କରାଇଥିଲେ।

 

Leave A Reply

Your email address will not be published.