ଭୁବନେଶ୍ୱର: ଗଞ୍ଜାମ ପାତ୍ରପୁର ବ୍ଲକ ବୁରାତାଲ ଅଞ୍ଚଳରେ ଚାଲିଥିଲା ବାଘଛାଲ ଚାଲାଣ। ମାଡିବସିଲା ଜରଡ଼ା ଥାନା ପୋଲିସ। ଏହି ଘଟଣାରେ ପୋଲିସ ୨ଟି କଲରାପତିରିଆ ବାଘ ଛାଲ ଜବତ କରିଛି। ଏହାସହ ପୋଲିସ ବନ୍ଧୁକ ବ୍ୟାଗ, ଧାରୁଆ ଅସ୍ତ୍ର ସହ ୨ ଜଣ ଅଭିଯୁକ୍ତଙ୍କ ଗିରଫ କରିଛି। ସେମାନେ ହେଲେ କେଶବ ଜମାଦାର(୩୪) ଏବଂ ବିର ଜମାଦାର(୪୫)।
ଜରଡା ପୋଲିସ ବାଘ ଛାଲ ଡିଲ୍ ହେଉଥିବା କୌଣସି ସୂତ୍ରରୁ ସୂଚନା ପାଇ ଉପର ବୁରାତାଲ ଅଞ୍ଚଳରେ ଚଢାଉ କରିଥିଲା। ସେତିକିବେଳେ ପୋଲିସକୁ ଦେଖି ୨ଜଣ ବ୍ୟକ୍ତି ଜଙ୍ଗଲଆଡକୁ ଦୌଡି ଫେରାର ହେବାକୁ ଉଦ୍ୟମ କରିଥିଲେ। ପୋଲିସ ଟିମ୍ ସେମାନଙ୍କୁ ଗୋଡ଼ାଇ ଧରିବାକୁ ଚେଷ୍ଟା କରିଥିବା ବେଳେ ଅଭିଯୁକ୍ତମାନେ ଖଣ୍ଡା ବାହାର କରି ପୋଲିସ କର୍ମଚାରୀଙ୍କୁ ଧମକ ଦେଇଥିଲେ। ହେଲେ ପୋଲିସ ଟିମ୍ କୌଶଲ କ୍ରମେ ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା।
ଅନ୍ୟପଟେ ରାୟଗଡ଼ା ଜିଲ୍ଲାରେ ବିରଳ ପ୍ରାଣୀ ଚୋରା ଚାଲାଣ ରାକେଟ ସକ୍ରିୟ ରହିଛି। କଲ୍ୟାଣସିଂହପୁର ବନାଞ୍ଚଳ ଅଧୀନ ରିବଲକଣା ଗାଁରେ ଚଢ଼ଉ କରି ବାଘଛାଲ ଜବତ କରିଛି ବନ ବିଭାଗ। ଏହି ଘଟଣାରେ କଳାହାଣ୍ଡି ଜିଲ୍ଲାର ୪ଜଣ ଓ ରାୟଗଡା ଜିଲ୍ଲାର ୫ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ସେମାନଙ୍କ ଠାରୁ ତିନୋଟି ବାଇକ୍ ଓ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଛନ୍ତି। ଗତ ବର୍ଷ ନଭେମ୍ବର ମାସରେ ବାଘକୁ ଶିକାର କରି ହାଡ, ନଖ ସବୁ ବିକ୍ରି କରିଥିଲେ। ବର୍ତ୍ତମାନ ବାଘ ଛାଲକୁ ଆନ୍ତଃ ରାଜ୍ୟ ବନ୍ୟଜନ୍ତୁ ଚୋରା ଚାଲାଣକାରୀଙ୍କୁ ବିକ୍ରି କଲା ବେଳେ କାବୁ କରିଥିଲ ବନ ବିଭାଗ। ଗିରଫ ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା ପରେ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।