Latest Odisha News

BREAKING NEWS

ଧନୁଯାତ୍ରା ୨୦୨୪: ଭଗବାନ ଶ୍ରୀକୃଷ୍ଣଙ୍କ ଯାମଳାର୍ଜୁନ ଭଞ୍ଜନ ଓ କାଳୀୟ ନାଗର ଦର୍ପ ଦଳନ

ବରଗଡ: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପଞ୍ଚମ ଦିନରେ ପହଞ୍ଚିଛି। ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ତଥା ଅଲୌକିକ ଶକ୍ତି ଦିନକୁ ଦିନ ଗୋପପୁର ସମେତ ଆଖ ପାଖ ଅଞ୍ଚଳରେ ପ୍ରଚାରିତ ହେବାକୁ ଲାଗିଛି। ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିନରେ କୃଷ୍ଣ-ବଳରାମଙ୍କ ବାଲ୍ୟ ଲୀଳା ଅଭିନୀତ ହୋଇଥିଲା। କୃଷ୍ଣବଳରାମ ଗୋପାଳ ବାଳକଙ୍କ ସହିତ ଗୋଚାରଣ କରି ବଣଭୋଜି କରିବାର ଦୃଶ୍ୟ ବେଶ ଉପଭୋଗ୍ୟ ହୋଇପାରିଛି।

ଏହି ଅବସରରେ ଭଗବାନ ଶ୍ରୀକୃଷ୍ଣ ସଖା ସୁଦାମଙ୍କ ଖୁଦ ଭଜା ଖାଇବା ଦୃଶ୍ୟ ବେଶ୍ ହୃଦୟସ୍ୱର୍ଶୀ ଥିଲା। ପରେ ପରେ କୃଷ୍ଣ ଦହିହାଣ୍ଡି ଭାଙ୍ଗି ଦେବାରୁ ମା’ ଯଶୋଦା କୃଷ୍ଣଙ୍କୁ ବୃକ୍ଷରେ ବାନ୍ଧି ଦେଇଥିବାବେଳେ ଭଗବାନ ଶ୍ରୀକୃଷ୍ଣ ଶାପଗ୍ରସ୍ତ ଦୁଇ ଗର୍ନ୍ଧବ ଭାଇ ଯାମଳାର୍ଜୁନଙ୍କୁ ମୁକ୍ତ କରିଛନ୍ତି । ଏହି ଅବସରରେ ସୃଷ୍ଟି କର୍ତ୍ତା  ବ୍ରହ୍ମା ଗୋପୀ ତଥା ରାଧାଙ୍କୁ ବିମୋହିତ କରିବା ପାଇଁ କୃଷ୍ଣଙ୍କୁ ମୋହନ ବଂଶୀ ପ୍ରଦାନ କରିଛନ୍ତି । ଅପରପକ୍ଷେ ଦିନକୁ ଦିନ କାଳିୟ ନାଗର ଦର୍ପଦଳନ ପାଇଁ କାଳିନ୍ଦି ହ୍ରଦକୁ ଡ଼େଇଁପଡ଼ିଥିବା ବେଳେ କାଳିନାଗ ସହ ଯୁଦ୍ଧ କରି ତାର ଗର୍ବ ଚୁର୍ଣ୍ଣ କରିଛନ୍ତି ଶ୍ରୀକୃଷ୍ଣ । ଏପଟେ ଗୋପୀ ଗୋପାଙ୍ଗନା ମାନେ କୃଷ୍ଣଙ୍କ ଠାରୁ ଲୁଚି ଛପି ଯମୁନା ପାରି ହୋଇ ମଥୁରାରେ ଦହି ବିକ୍ରି କରିବାକୁ ପହଞ୍ଚିଛନ୍ତି ।

ଅନ୍ୟ ପକ୍ଷରେ ମଥୁରା ନଗରୀରେ ମହାରାଜା କଂସ ବିବ୍ରତ ହୋଇ ପଡ଼ିଛନ୍ତି ଷଡ଼ମଲ୍ଲଙ୍କ ମୁତ୍ୟୁକୁ ନେଇ। ଏହା ସହ ମଗଧ ରାଜା ଜରାସନ୍ଧକୁ ଯୁଦ୍ଧରେ ପରାସ୍ତ କରି ତା’ର ଦୁଇ କନ୍ୟାକୁ ବିବାହ କରିଛନ୍ତି ମଥୁରାଧିପତି ମହାରାଜା କଂସ । ପଞ୍ଚମ ଦିନରେ ଚିନ୍ତିତ କଂସ ରାଜ ଦରବାରରେ ନୃତ୍ୟ ଗୀତରେ ମସଗୁଲ ରହିବା ସହ କୁଷ୍ଣବଳରାମ ବେନୀ ଭାଇଙ୍କୁ କିପରି ହତ୍ୟା କରିବେ ସେ ନେଇ ମହାମନ୍ତ୍ରୀଙ୍କ ସହ ଆଲୋଚନା କରି ନାରଦଙ୍କ ପରାମର୍ଶ କ୍ରମେ କରଦ ରାଜାମାନଙ୍କୁ ଆମନ୍ତ୍ରଣ କରିବା ପାଇଁ ଯୋଜନା କରିଛନ୍ତି।

ବରଗଡ଼ ଧନୁଯାତ୍ରାରେ ଷଷ୍ଠ ଦିନରେ ଆଜି ମଥୁରାରେ ରଙ୍ଗସଭା ଆୟୋଜନ କରି କୃଷ୍ଣବଳରାମଙ୍କୁ ହତ୍ୟା ପାଇଁ ଯୋଜନା ପ୍ରସ୍ତୁତି କରିବେ ମହାରାଜା କଂସ । ସେହିପରି ନାରଦ ମୁନୀଙ୍କ ପ୍ରସ୍ତାବରେ “ଧନୁଯାତ୍ରା ମହୋତ୍ସବ’ର ଘୋଷଣା କରିବା ସହ ଗୋପପୁରରେ ଶ୍ରୀକୃଷ୍ଣଙ୍କ ଦ୍ୱାରା ଗୋପୀଙ୍କ ବସ୍ତ୍ରହରଣ ଏବଂ କୃଷ୍ଣବଳରାମଙ୍କ ବାଲ୍ୟଲିଳା ଓ ଯମୁନା ଆଳତି ଦୃଶ୍ୟ ମଞ୍ଚସ୍ଥ ହେବ ।

Leave A Reply

Your email address will not be published.