Latest Odisha News

BREAKING NEWS

ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାରେ ସହଯୋଗ କରିବେ ଆନ୍ଦୋଳନରତ ଅଧ୍ୟାପକ, ରଖିଲେ ଏମିତି ସର୍ତ୍ତ

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ନେଇ ଦେଖା ଦେଇଥିବା ସମସ୍ୟା ଦୂର ହୋଇଛି । ଧାରଣାରେ ବସିଥିବା ୬୬୨ ବର୍ଗର ଅଧ୍ୟାପକ ପରିଚାଳନା କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଏହି ଦ୍ୱନ୍ଦ୍ୱ ଦୂର ହୋଇଛି । ଆନ୍ଦୋଳନ ଚାଲୁ ରଖିବା ସହ ପରୀକ୍ଷା ପରିଚାଳନାରେ ବି ସାମିଲ ହେବେ ବୋଲି ଘୋଷଣା କରିଛନ୍ତି ୬୬୨ ବର୍ଗ ଅଧ୍ୟାପକ । ରାଜ୍ୟ ସରକାରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଥିବା ୬୬୨ ବର୍ଗ ଅଧ୍ୟାପକ ସଂଘ ପକ୍ଷରୁ କୁହାଯାଇଛି ।

ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ପରୀକ୍ଷା। ଦାବି ପୂରଣ ନ ହେଲେ ପରୀକ୍ଷା ବର୍ଜନ କରିବେ ବୋଲି କହି ଧାରଣାରେ ବସିଥିଲେ  ୬୬୨ ବର୍ଗ ଅଧ୍ୟାପକ  । ପ୍ରାୟ ୨୦ ଦିନ ହେବ ୪ ଦଫା ଦାବି ପୂରଣ କରିବାକୁ ଲୋୟର ପିଏମଜିରେ ଧାରଣାରେ ବସି ରହିଥିଲେ ।

ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ଗଠିତ ଆନ୍ତଃ ମନ୍ତ୍ରାଳୟ ସ୍ତରୀୟ କମିଟି ସହ ଆଜି ଅଧ୍ୟାପକଙ୍କ ପ୍ରତିନିଧୀ ମଣ୍ଡଳୀ  ଆଲୋଚନା କରିଥିଲା ।   ଅଧ୍ୟାପକମାନଙ୍କୁ  ପରୀକ୍ଷା ପରିଚାଳନାରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ମନ୍ତ୍ରୀ।  ଆସନ୍ତା ୧୨ ତାରିଖ ମଧ୍ୟରେ ପୁନର୍ବାର କମିଟିର ବୈଠକ ବସି ଅଧ୍ୟାପକଙ୍କ ଦାବି ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରତିଶ୍ରୁତି ପାଇବା ପରେ  ଆନ୍ଦୋଳନ ଅଧ୍ୟାପକମାନେ ନରମଭାବ ପୋଷଣ କରିଥିଲେ । ଆନ୍ଦୋଳନ ଚାଲୁ ରଖିବା ସହ ପରୀକ୍ଷା ପରିଚାଳନାରେ ବି ସାମିଲ ହେବେ ବୋଲି କହିଥିଲେ । ତେବେ ଆସନ୍ତା ୧୨ ତାରିଖ ମଧ୍ୟରେ ସେମାନଙ୍କ ଦାବି ପୂରଣ ନ ହେଲେ ପୁଣି ଥରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି।

ତେଣୁ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅଧ୍ୟାପକମାନେ ପରୀକ୍ଷାରେ ସାମିଲ ହୋଇଥିବା କହିଛନ୍ତି। ଏହି ସମୟରେ ପୂର୍ବ ପରି ପ୍ରତିକାତ୍ମକ ଧାରଣା ଚାଲୁ ରହିବ ବୋଲି ସୂଚନା ଦେଇଛନ୍ତି ସଂଘ ସଭାପତି ଗୋଲକ ନାୟକ । ପ୍ରତିଶ୍ରୁତି ମୁତାବକ ୧୨ ତାରିଖ ମଧ୍ୟରେ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଅଧିକ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.