Latest Odisha News

BREAKING NEWS

ଗୋଆରେ କଂଗ୍ରେସର ୧୧ ବିଧାୟକରୁ ୮ ବିଧାୟକ ଦଳ ଛାଡ଼ିଲେ

ପାଣାଜି: ଗୋଆରେ କଂଗ୍ରେସର ୧୧ ବିଧାୟକରୁ ୮ ବିଧାୟକ ଶାସକ ଦଳ ବିଜେପିରେ ସାମିଲ ହେବେ। ଦୀର୍ଘ ଦୁଇ ମାସ ହେବ କଂଗ୍ରେସ ବିଧାୟକ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା। ଏବେ କିନ୍ତୁ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିବାକୁ ଯାଉଛି। ୧୧ ବିଧାୟକରୁ ୮ ବିଧାୟକ ବିଜେପିରେ ସାମିଲ ହେବେ ତେଣୁ ଦଳ ଅଦଳ ବଦଳ ଆଇନ୍ ଲାଗୁ ହେବ ନାହିଁ ବୋଲି ଜଣାପଡ଼ିଛି।

କଂଗ୍ରେସର ଆଠ ବିଧାୟକ ବୁଧବାର ଦଳ ଛାଡିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସହ ସମସ୍ତ ବିଧାୟକ ବିଧାନସଭାରେ ପହଞ୍ଚି ବାଚସ୍ପତି ରମେଶ ତାଭକରଙ୍କୁ କଂଗ୍ରେସ ଛାଡିଥିବା ନେଇ ଅବଗତ କରାଇଥିଲେ। ଗୋଆ ବିଜେପି ରାଜ୍ୟ ସଭାପତି ସଦାନନ୍ଦ ତନୱାଡେ କହିଛନ୍ତି ଯେ ସମସ୍ତ ବିଧାୟକ ବିଜେପିରେ ସାମିଲ ହେବେ।

କଂଗ୍ରେସ ଛାଡିଥିବା ବିଧାୟକଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗାମ୍ବର କାମାତ, ମାଇକେଲ ଲୋବୋ, ଡେଲିଆ ଲୋବୋ, କେଦାର ନାଇକ, ରାଜେଶ ଫଲଦେସାଇଙ୍କ ସମେତ ଆଠ ବିଧାୟକ ରହିଛନ୍ତି। ଯେହେତୁ ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ଦୁଇ ତୃତୀୟାଂଶରୁ ଅଧିକ, ତେଣୁ ଏହି ବିଧାୟକମାନଙ୍କ ପାଇଁ ବିରୋଧୀ ନିୟମ ଲାଗୁ ହେବ ନାହିଁ।

ଚଳିତ ବର୍ଷ ଗୋଆ ବିଧାନସଭା ନିର୍ବାଚନ ହୋଇଥିଲା। ୧୦ ମାର୍ଚ୍ଚ ୨୦୨୨ରେ ଫଳାଫଳ ଆସିଥିଲା। ​​ଯେଉଁଥିରେ କଂଗ୍ରେସ ୪୦ ଟି ଆସନରୁ ୧୧ଟିରେ ଜିତିଥିଲା।କିନ୍ତୁ ୭ ମାସ ମଧ୍ୟରେ ଦଳ ଭାଙ୍ଗିଯାଇଥି। ଦଳ ଭାଙ୍ଗିବା ପଛର କାରଣ କଂଗ୍ରେସର ୩ଟି ବଡ଼ ଭୁଲ ବୋଲି କୁହାଯାଉଛି।

ନିର୍ବାଚନ ଫଳାଫଳ ପରେ, କଂଗ୍ରେସ ମାଇକେଲ ଲୋବୋଙ୍କୁ ବିରୋଧୀ ଦଳର ନେତା କହିଥିଲା। ଯାହାଙ୍କୁ ଅନ୍ୟ ବିଧାୟକ ବିରୋଧ କରିଥିଲେ। ଆଉ କହିଥିଲେ ବିରୋଧୀ ଦଳର ନେତା ବାହାରୁ ଆସିଛନ୍ତି। ଲୋବୋ ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଥିଲେ। ବିରୋଧୀ ଦଳର ନେତା ଦୌଡ଼ରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗାମ୍ବର କାମାତ କଂଗ୍ରେସ ହାଇକମାଣ୍ଡଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ। ସେବେଠାରୁ କଂଗ୍ରେସ ବିଧାୟକଙ୍କ ମଧ୍ଯରେ ଅସନ୍ତୋଷ ଥିବା କୁହାଯାଉଥିଲା।

ସେହିପରି ଗୋଆ ବିଧାନସଭା ନିର୍ବାଚନ ଫଳାଫଳ ପରେ କଂଗ୍ରେସ ହାଇକମାଣ୍ଡ ଗୋଆ କଂଗ୍ରେସ ସଭାପତି ଗିରିଶ ଚୋଦାନକରଙ୍କ ଇସ୍ତଫା ମାଗିଥିଲେ। କିନ୍ତୁ ପ୍ରଭାରୀ ଦାୟିତ୍ୱରେ ଥିବା ଦୀନେଶ ଗୁଣ୍ଡୁରାଓଙ୍କ ବିରୋଧରେ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିନଥିଲେ। ଦଳର ବହୁ ବରିଷ୍ଠ ନେତା କିନ୍ତୁ ନିର୍ବାଚନ ପୂର୍ବରୁ ଗୁଣ୍ଡୁରାଓଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ଏହି କାରଣରୁ ଦଳ ପି. ଚିଦାମ୍ବରମଙ୍କୁ କଂଗ୍ରେସର ପର୍ଯ୍ୟବେକ୍ଷକ ଭାବରେ ପଠାଇଥିଲା।

ସେହିପରି ଗୋଆର ନୂଆ ରାଜ୍ୟ କଂଗ୍ରେସ ସଭାପତି ଭାବେ ଅମିତ ପାଟକର ନିଯୁକ୍ତ ହୋଇଥିଲେ। କିନ୍ତୁ ଅମିତଙ୍କ ବିରୋଧରେ ଅସନ୍ତୋଷ ତେଜିଥିଲା। ଯାହାର ଫଳାଫଳ ରାଷ୍ଟ୍ରପତି ନିର୍ବାଚନରେ ଦେଖିବାକୁ ମିଳିଥିଲା। ଦଳର ପ୍ରାୟ ୪ ଜଣ ବିଧାୟକ ସେହି ସମୟରେ କ୍ରସ୍ ଭୋଟିଂ କରିଥିଲେ।

ତେବେ ଜୁଲାଇରେ କଂଗ୍ରେସ କହିଥିଲା ଦିଗମ୍ବର କାମାତ ଏବଂ ମାଇକେଲ ଲୋବୋଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନେ ଦଳ ବିରୋଧୀ ଷଡଯନ୍ତ୍ରରେ ସମ୍ପୃକ୍ତ ରହିଛନ୍ତି। ଆଉ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଦଳ। ସେତେବେଳେ ଦଳ ଭାଙ୍ଗିପାରେ ଚିନ୍ତା କରି ୫ ବିଧାୟକଙ୍କୁ କଂଗ୍ରେସ ଚେନ୍ନାଇ ନେଇଯାଇଥିଲା।

ଏହା ପୂର୍ବରୁ ୨୦୧୯ରେ ମଧ୍ୟ ଗୋଆର ଅନେକ ବିଧାୟକ ବିଜେପିରେ ସାମିଲ ହୋଇଥିଲେ। ୧୫ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୦ ଜଣ ସେତେବେଳେ ବିଜେପିରେ ଯୋଗ ଦେଇଥିଲେ। ଏଥିରେ ବିରୋଧୀ ଦଳର ନେତା ଚନ୍ଦ୍ରକାନ୍ତ କାଭଲେକର ମଧ୍ୟ ଥିଲେ। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସମସ୍ତ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ବିଜେପିରେ ସାମିଲ କରିଥିଲେ।

Leave A Reply

Your email address will not be published.