Latest Odisha News

BREAKING NEWS

କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର ନେଇ ପିଏମ୍ ମୋଦିଙ୍କୁ ୮ଟି ବିରୋଧୀ ଦଳର ଚିଠି, କଂଗ୍ରେସ ଚୁପ୍  

ନୂଆଦିଲ୍ଲୀ: ଇଡି, ସିବିଆଇ ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ନିରପେକ୍ଷ ହୋଇ କାମ କରୁନାହାଁନ୍ତି । କେନ୍ଦ୍ର ସରକାରଙ୍କ ହାତବାରିସୀ ହୋଇ କାମ କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫ ପରେ ସିବିଆଇ ଓ କେନ୍ଦ୍ର ସରକାରଙ୍କୁ ନେଇ ରାଜନୀତି ଜୋର୍ ଧରିଛି । ୮ଟି ବିରୋଧୀ ଦଳର ନେତା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଦୁରୂପଯୋଗ ନେଇ ଅଭିଯୋଗ ଆଣିଛନ୍ତି ।

ତେବେ ୮ ବିରୋଧୀ ଦଳ ଭିତରେ କଂଗ୍ରେସ ନାହିଁ । ଚିଠିରେ ବିଆରଏସ୍ ମୁଖ୍ୟ ତଥା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ଜେକେଏନସି ମୁଖ୍ୟ ଫାରୁକ ଅବଦୁଲ୍ହା, ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ, ଏନସିପି ମୁଖ୍ୟ ଶରଦ ପାୱାର, ଉଦ୍ଧବ ଠାକରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମନ୍ନ, ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ଅଧ୍ୟକ୍ଷ ତେଜସ୍ୱୀ ଯାଦବ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଦସ୍ତଖତ କରିଛନ୍ତି ।

ଯେଉଁ ଚିଠିରେ ଲେଖା ଯାଇଛି, ଆମେ ଆଶା କରିବୁ ଆପଣ ମାନିବେ ଭାରତ ଏବେ ବି ଏକ ଗଣତାନ୍ତ୍ରିକ ରାଷ୍ଟ୍ର । କିନ୍ତୁ ବିରୋଧୀ ସଦସ୍ୟଙ୍କ ପ୍ରତି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଗୁଡ଼ିକର ଖୋଲାଖୋଲି ଦୁରୂପଯୋଗ କରାଯାଉଛି । ଯାହାକୁ ନେଇ ଲାଗୁଛି ଆମେ ଗଣତନ୍ତ୍ରରେ ନୁହଁ ବରଂ ନିରଙ୍କୁଶତାରେ ପରିବର୍ତ୍ତିତ ହୋଇଛେ ।

ବିରୋଧୀ ଚିଠିରେ ଲେଖିଛନ୍ତି, ଲମ୍ବା ସମୟ ଧରି ଟଣାଓଟରା ପରେ ସିବିଆଇ ମନୀଷ ସିସୋଦିଆଙ୍କୁ କୌଣସି ପ୍ରମାଣ ନଥାଇ ଗିରଫ କରିଛି । ୨୦୧୪ ପରେ ଆପଣଙ୍କ ପ୍ରଶାସନ ଦ୍ୱାରା ଯାଞ୍ଚ ଏଜେନ୍ସି ଦ୍ୱାରା ଗିରଫ, ଚଢ଼ାଉ ଅଥବା ଜେରାର ସମ୍ମୁଖୀନ ହୋଇଥିବା ରାଜନେତାଙ୍କ ମଧ୍ୟରୁ ଅଧିକାଂଶ ବିପକ୍ଷ ଦଳର ।

ତେବେ ଆଶ୍ଚର୍ଯ୍ୟର କଥା ବିଜେପିରେ ସାମିଲ୍ ହୋଇଥିବା ବିରୋଧୀ ନେତାଙ୍କ ବିରୋଧରେ ତଦନ୍ତ ଶିଥିଲ ହୋଇ ପଡ଼ିଥିବା କହିଛନ୍ତି ବିରୋଧୀ । ବିରୋଧୀ ନେତା ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମାଙ୍କ ଉଦାହରଣ ଦେଇଛନ୍ତି । କହିଛନ୍ତି ହେମନ୍ତ ୨୦୧୪-୧୫ରେ ଚିଟଫଣ୍ଡ ଠକେଇକୁ ନେଇ ସିବିଆଇ, ଇଡି ସ୍କାନରରେ ଥିଲେ । ସେତେବେଳେ ସେ କଂଗ୍ରେସରେ ଥିଲେ । ବିଜେପିରେ ସାମିଲ୍ ପରେ ତଦନ୍ତ ଧିମେଇ ଯାଇଛି ।

Leave A Reply

Your email address will not be published.