Latest Odisha News

BREAKING NEWS

ରାଜେଶଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନରେ ଓଡ଼ିଶା ଆସାମକୁ ପରାସ୍ତ କଲା

ଗୌହାଟୀ: ଆସାମର ଗୌହାଟୀସ୍ଥିତ ବାରସପରା ଷ୍ଟାଡ଼ିୟମରେ ଓଡ଼ିଶା ତା’ର ରଣଜୀ ଟ୍ରଫି ୩ୟ ରାଉଣ୍ଡ ମ୍ୟାଚରେ ଆସାମକୁ ୯ ୱିକେଟରେ ପରାସ୍ତ କରିଛି । ଦଳର ମିଡ଼ିୟମ ପେସ ବୋଲର ରାଜେଶ ମହାନ୍ତିଙ୍କ ଚମତ୍କାର ବୋଲିଂ ଆଗରେ ଆସାମର ବ୍ୟାଟିଂ ବିପର୍ଯ୍ୟ ଘଟି ଶୋଚନୀୟ ଭାବେ ପରାସ୍ତ ହୋଇଛି ।

ଘରୋଇ ଦଳ ୨ୟ ଇନିଂସରେ ୫୦ ଓଭର ଖେଳି ମାତ୍ର ୧୩୨ ରନ କରିବାକୁ ସକ୍ଷମ ହୋଇଥିଲା । ଓଡ଼ିଶାର ଉଦୀୟମାନ ପେସ ବୋଲର୍ ରାଜେଶ ୬ଟି ୱିକେଟ ହାସଲ କରିଥିଲେ । ଦ୍ୱିତୀୟ ଇନିଂସରେ ଓଡ଼ିଶା ୧୩ ରନର ବିଜୟଲକ୍ଷ୍ୟକୁ ମାତ୍ର ୩.୩ ଓଭରରେ ହାସଲ କରିପାରିଥିଲା ।

ତେବେ ଅନୁରାଗ ଷଡ଼ଙ୍ଗୀଙ୍କ ୱିକେଟ ହରାଇ ଓଡ଼ିଶା ଏହି ମ୍ୟାଚରେ ବୋନସ ପଏଣ୍ଟ ପାଇବାରୁ ବଞ୍ଚିତ ହୋଇଛି । ଅବଶ୍ୟ ଆସାମ ବିପକ୍ଷ ଏହି ମ୍ୟାଚରେ ଓଡ଼ିଶା ୬ ପଏଣ୍ଟ ହାସଲ କରିପାରିଛି ।

ଓଡ଼ିଶା ଟସ ଜିତି ପ୍ରଥମେ ଆସାମକୁ ବ୍ୟାଟିଂ ଲାଗି ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ଆସାମ ୧୨୧ ରନ କରିବାକୁ ସକ୍ଷମ ହୋଇଥିଲା । ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି ସୁନ୍ଦର ବୋଲିଂ ପ୍ରଦର୍ଶନ କରି ୫ଟି ମୂଲ୍ୟବାନ ୱିକେଟ ହାସଲ କରିଥିଲେ ।

ଓଡ଼ିଶା ତା’ର ୧ମ ଇନିଂସ ବ୍ୟାଟିଂ କରି ୨୪୦ ରନ କରିବା ସହିତ ୧୧୯ ରନର ଅଗ୍ରଣୀ ଲାଭ କରିପାରିଥିଲା । ଓଡ଼ିଶା ପକ୍ଷରୁ ବ୍ୟାଟ୍ସମ୍ୟାନ ଅନୁରାଗ ଷଡ଼ଙ୍ଗୀ ସର୍ବାଧିକ ୭୭ ରନ ଏବଂ ଅଧିନାୟକ ବିପ୍ଳବ ସାମନ୍ତରାୟ ୬୨ ରନ କରିଥିଲେ ।

୨ୟ ଇନିଂସରେ ଆସାମର ବ୍ୟାଟିଂ ବିପର୍ଯ୍ୟୟ ଘଟାଇ ୬ଟି ୱିକେଟ ହାସଲ କରିଥିଲେ ଓଡ଼ିଶା ପେସ ବୋଲର୍ ରାଜେଶ ମହାନ୍ତି । ଆସାମ ମାତ୍ର ୧୩୨ ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ କେବଳ ଶିବଶଙ୍କର ରାଏଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଖିଦୃଶିଆ ରନ ସ୍କୋର କରିପାରିନଥିଲେ ।

ଓଡ଼ିଶା ୨ୟ ଇନିଂସରେ ମାତ୍ର ୩.୩ ଓଭରରେ ଗୋଟିଏ ୱିକେଟ୍ ହରାଇ ୧୩ ରନର ବିଜୟଲକ୍ଷ୍ୟକୁ ସହଜରେ ହାସଲ କରିପାରିଥିଲା ।

ଆସାମ ବିପକ୍ଷ ଏହି ରଣଜୀ ମ୍ୟାଚରେ ରାଜେଶ ଉଭୟ ଇନିଂସରେ ୧୧ଟି ୱିକେଟ ନେଇ ପ୍ରଥମଥର ଲାଗି ଏକ ମ୍ୟାଚରେ ୧୦ରୁ ଅଧିକ ୱିକେଟ ହାସଲ କରିପାରିବାର ଗୌରବ ଅର୍ଜନ କରିପାରିଛନ୍ତି । ଏହି ରଣଜୀ ମ୍ୟାଚରେ ଓଡ଼ିଶା ବୋଲର୍ ରାଜେଶ ମହାନ୍ତି ‘ପ୍ଲେୟାର ଅଫ ଦି ମ୍ୟାଚ’ ଘୋଷିତ ହୋଇଛନ୍ତି ।

Leave A Reply

Your email address will not be published.