Latest Odisha News

BREAKING NEWS

ବିଜେପି ଉପରେ ଖପ୍ପା ଦିଲ୍ଲୀପ ରାୟ, ଛାଡ଼ିବେ ବିଧାୟକ ପଦବୀ !

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ରାଉରକେଲାର ବିଧାୟକ ଦିଲ୍ଲୀପ ରାୟ ରବିବାର ଦିନ ଗଣମାଧ୍ୟମକୁ ଦେଇଥିବା ଏକ ବୟାନ ଓଡ଼ିଶା ରାଜନୀତିରେ ଉଷ୍ମତା ଆଣିଦେଇଛି । ଆଗକୁ ଦୁଇ ଦୁଇଟି ନିର୍ବାଚନ ଆସୁଥିବା ବେଳେ ବେଶ୍ ଗୁରୁତ୍ୱ ବହନ କରୁଥିବା ଦିଲ୍ଲୀପଙ୍କ ଏହି ମନ୍ତବ୍ୟ ରାଜ୍ୟ ରାଜନୀତିକୁ ସରଗରମ କରିଦେବା ସ୍ୱାଭାବିକ ।

ଦିଲ୍ଲୀପ ରାୟ ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି, “ ଏସବୁ ବହୁତ ହୋଇଗଲାଣି, ରାଉରକେଲାର କିଛି ଉନ୍ନତି ହେଇ ଏମାନେ ଚାହୁଁନାହାନ୍ତି । ଗତଥର ନିର୍ବାଚନରେ ରାଉରକେଲା ଓ ସୁନ୍ଦରଗଡ଼ରେ ବିଜେପି ଯେଉଁ ଭୋଟ୍ ହାସଲ କରିପାରିଥିଲା ତାହା ଏଥର ଯେମିତି ନ’ହେବ ତାହା ମଧ୍ୟ ଜଣେ ପାୱାରଫୁଲ ନେତା ଚାହୁଁଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ, ଏଥିରେ ମୁଁ କାଳେ ସବୁ କ୍ରେଡ଼ିଟ୍ ନେଇଯିବି ସେହି ଡ଼ର ତାଙ୍କର ରହୁଛି । ମୁଁ ଶେଷଥର ଲାଗି ଚେଷ୍ଟା କରିବି । ଯଦି କିଛି ନ’ହୁଏ ତେବେ ତିନି ଚାରି ଦିନ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବି । ମୁଁ ହଟିଗଲେ ରାଉରକେଲାର ଯଦି ଉନ୍ନତି ହୋଇପାରିବ ତେବେ ଭଲ କଥା” ।

ଦିଲ୍ଲୀପଙ୍କ ଏହି ବୟାନରୁ ଏତିକି ସ୍ପଷ୍ଟ ବୁଝି ହେଉଛିଯେ, ସେ ନିଜ ଦଳ ଉପରେ ଖପ୍ପା । ଲାଗୁଛି ଯେମିତି ନିଜର ଅନେକ ଦିନର ଅସନ୍ତୋଷକୁ ବ୍ୟକ୍ତ କରିଛନ୍ତି, ପୁଣି ପ୍ରଥମଥର ଲାଗି ଗଣମାଧ୍ୟମ ସାମ୍ନାରେ । ତାଙ୍କ ବୟାନରୁ କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ କଥାର ଆଭାସ ମିଳିପାରିଛି । ଓଡ଼ିଶା ବିଜେପିରେ ଗୋଷ୍ଠୀ କନ୍ଦଳ ରହିଥିବା ଏହି ବୟାନରୁ ସ୍ପଷ୍ଟ ଅନୁମେୟ ।

ଦୀର୍ଘଦିନ ଧରି ଦିଲ୍ଲୀପଙ୍କୁ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ପୂର୍ବପରି ଦେଖିବାକୁ ମିଳୁନାହିଁ । ଏତଦବ୍ୟତୀତ ତାଙ୍କୁ ରାଜ୍ୟସ୍ତରୀୟ ଦଳୀୟ ସାଂଗଠନିକ କାର୍ଯ୍ୟରୁ କୋଣଠେସା କରି ରଖାଯିବା ଦ୍ୱାରା ବିଜେପି ମଧ୍ୟରେ ଦଳୀୟ କନ୍ଦଳ ରହିଥିବା କଥା ସହଜରେ ବାରି ହୋଇପଡୁଛି ।

ଗଣମାଧ୍ୟମକୁ ଦେଇଥିବା ବୟାନରେ ଦିଲ୍ଲୀପ ବିଜେପି ନାମ ନେଇନଥିଲେ ଏବଂ ଏହି କଥାକୁ ସ୍ପଷ୍ଟ ଭାବେ କହି ନଥିଲେ ମଧ୍ୟ ତାଙ୍କ ବୟାନରୁ ଏତିକି ଜଣା ପଡୁଛି ଯେ, ସେ ନିଜ ଦଳ ଉପରେ ଅତ୍ୟନ୍ତ ଅସନ୍ତୁଷ୍ଟ ଅଛନ୍ତି ଏବଂ ରାଉରକେଲାର ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାରୁ ସେ ଅତ୍ୟନ୍ତ ଅସନ୍ତୁଷ୍ଟ ରହିଛନ୍ତି ।

ପ୍ରାୟ ଛଅମାସ ପୂର୍ବରୁ ବିଧାୟକ ଦିଲ୍ଲୀପ ରାୟ ରାଉରକେଲାର ୨ୟ ବ୍ରାହ୍ମଣୀ ସେତୁ ଏବଂ ଆଇଜିଏଚ୍ ହସ୍ପିଟାଲ ଲାଗି ଅସନ୍ତୋଷ ବ୍ୟକ୍ତ କରିଥିଲେ । ରାଉରକେଲାରେ ୨ୟ ବ୍ରାହ୍ମଣୀ ସେତୁ ନିର୍ମାଣ କାର୍ଯ୍ୟକୁ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ପତ୍ର ଲେଖିଛନ୍ତି । ଏପରିକି ଏସମ୍ପର୍କରେ ସେ ଅନେକ ଥର ଗଣମାଧ୍ୟମ ସାମ୍ନାରେ କ୍ଷୋଭ ପ୍ରକାଶ ମଧ୍ୟ କରିଛନ୍ତି । ତେବେ ଅନେକ ଦିନଧରି ରାଜନୈତିକ ବିଶାରଦମାନେ ଦିଲ୍ଲୀପ ବିଜେପି ଛାଡ଼ିବାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ ମଧ୍ୟ ଦିଲ୍ଲୀପ ଦଳ ବଦଳାଇବା ବା ଦଳ ଛାଡ଼ିବା ନେଇ ସେପରି କିଛି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇନଥିଲେ ।

ଦିଲ୍ଲୀପ ଗଣମାଧ୍ୟମକୁ କହିଛନ୍ତି ଆସନ୍ତା ତିନି ଚାରି ଦିନ ମଧ୍ୟରେ ସେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ସେ ଦେଇଥିବା ବୟାନରେ ଏହି ଉକ୍ତିଟି ହିଁ ରାଜନୈତିକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ତଥା ଦିଲ୍ଲୀପଙ୍କ ରାଜନୈତିକ ଜୀବନରେ କିଛି ପରିବର୍ତ୍ତନ ହେବାର ବେଶ୍ ସ୍ପଷ୍ଟ ସୂଚନା ଦେଉଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ତାଙ୍କର ଥିବା ତିକ୍ତ ସମ୍ପର୍କ କଥା କାହାକୁ ଅବଶ୍ୟ ଅଛପା ନୁହେଁ । ବିଶେଷ ସୂତ୍ରରୁ ଜଣାପଡ଼ିଛି, ଯେହେତୁ ଧର୍ମେନ୍ଦ୍ରଙ୍କ ସହିତ ତାଙ୍କର ଭଲ ପଡୁନାହିଁ ତେରୁ ଦିଲ୍ଲୀପ ଅନ୍ୟ କିଛି ପନ୍ଥା ଖୋଜି ପାରନ୍ତି । ପୂର୍ବରୁ କେନ୍ଦ୍ର କୋଇଲା ମନ୍ତ୍ରୀ ରହିଥିବା ଦିଲ୍ଲୀପ ରାୟଙ୍କ ବିରୋଧରେ ଏକ ସିବିଆଇ ମାମଲା ରୁଜୁ କରାଯିବା ଯୋଗୁଁ ସେ ଦୀର୍ଘ ଦିନ ଧରି ଅସନ୍ତୁଷ୍ଟ ଅଛନ୍ତି ।

ଏହା ବ୍ୟତୀତ ଦିଲ୍ଲୀପଙ୍କ ଏହି ବୟାନକୁ ବିଜେପି କିପରି ଗ୍ରହଣ କରୁଛି ଏବଂ ଦଳୀୟ ନେତୃବର୍ଗଙ୍କ ଠାରେ ଯଦି କୌଣସି ପ୍ରତିକ୍ରିୟା ପ୍ରକାଶ ନପାଏ ତେବେ ଦିଲ୍ଲୀପ କେଉଁ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟହେବେ ତାହା ଆଗକୁ ସମୟ ହିଁ କହିବ ।

Leave A Reply

Your email address will not be published.