Latest Odisha News

BREAKING NEWS

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ; କାହିଁକି ପାଳିତ ହୁଏ, ଜାଣନ୍ତୁ

ଭୁବନେଶ୍ୱର: ମହାମାରୀ କରୋନା ସାଧାରଣ ଲୋକଙ୍କ ଜୀବନ ଶୈଳୀକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଦେଇଛି । କରୋନା ଯୋଗୁଁ ଦୀର୍ଘ ଛଅ ମାସ ହେବ ବନ୍ଦ ପଡ଼ିଛି ସମସ୍ତ ପର୍ଯ୍ୟଟନ ସ୍ଥଳୀ । ଯାହା ଫଳରେ ଭ୍ରମଣର ମଜା ନେଇପାରୁନାହାନ୍ତି ଲୋକେ।

ଏହାକୁ ନେଇ ସମଗ୍ର ପର୍ଯ୍ୟଟନ ସଂସ୍ଥା ଏବେ ଚିନ୍ତାରେ । ତେବେ ଏହା ଭିତରେ ଏକ ଆଶ୍ୱସ୍ତିକର ଖବର ଆଣିଛି ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ବିଭାଗ । ଅକ୍ଟୋବରରେ ସମସ୍ତ ପର୍ଯ୍ୟଟନ  ସ୍ଥଳୀ ଖୋଲିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନେକ ଲୋକ ନିଜର ବ୍ୟସ୍ତବହୁଳ ଜୀବନର ଥକ୍କାପଣ ମେଣ୍ଟେଇବା ପାଇଁ ଭ୍ରମଣ କରିବାକୁ ପସନ୍ଦ କରନ୍ତି ।

ବିଶେଷ କରି ଭ୍ରମଣ ଉତ୍ସାହୀମାନେ ଏହାକୁ ଅଧିକ ପସନ୍ଦ କରିଥାନ୍ତି । ଭ୍ରମଣ କଲେ ମନ ଫୁର୍ତ୍ତି ହୁଏ ଏବଂ ଏହା ଶରୀର ପାଇଁ ଔଷଧ ଭଳି କାମ କରିଥାଏ । ଏହାର ପ୍ରଭାବ କେବଳ ଶରୀର ଉପରେ ନୁହେଁ ମାନସିକ ସ୍ତରରେ ମଧ୍ୟ ଆପଣଙ୍କୁ ଶକ୍ତିଶାଳୀ କରିଥାଏ । ଆପଣଙ୍କ ଭିତରେ ସକରାତ୍ମକ ଭାବନା ସୃଷ୍ଟି ହୋଇଥାଏ । ସେଥିପାଇଁ ତ ଆଜିର ଦିନକୁ ବିଶ୍ୱ ପର୍ଯ୍ୟଟନ ପାଇଁ ଉତ୍ସର୍ଗ କରାଯାଇଛି ।

କାହିଁକି ପାଳନ କରାଯାଏ ବିଶ୍ୱ ପର୍ଯ୍ୟଟନ ଦିବସ

ପର୍ଯ୍ୟଟନ ନିଯୁକ୍ତି ଆଶା ବୃଦ୍ଧି କରିଥାଏ । ଲୋକମାନଙ୍କ ପାଇଁ ପର୍ଯ୍ୟଟନ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଅଧିକରୁ ଅଧିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଏ । ପର୍ଯ୍ୟଟନ ଦେଶର ଆର୍ଥିକ ପରିସ୍ଥିତିକୁ ଦୂର କରିବାରେ ସାହାଯ୍ୟ କରିଥାଏ । କେତେକ ଦେଶର ଆର୍ଥିକ ସ୍ଥିତି ପର୍ଯ୍ୟଟନ ଉପରେ ନିର୍ଭର କରେ। ପର୍ଯ୍ୟଟନ ଦିବସର ଉଦ୍ଦେଶ୍ୟ ହେଉଛି ଦେଶ ବିଦେଶରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ।

କ’ଣ ରହିଛି ଏ ବର୍ଷର ବିଷୟବସ୍ତୁ?

ପ୍ରତିବର୍ଷ ପର୍ଯ୍ୟଟନ ଦିବସର ଭିନ୍ନ ବିଷୟବସ୍ତୁ ରହିଥାଏ । ଏ ବର୍ଷର ବିଷୟବସ୍ତୁ ହେଉଛି ପର୍ଯ୍ୟଟନ ଏବଂ ଗ୍ରାମୀଣ ବିକାଶ । ଏହାର ଅର୍ଥ ଗ୍ରାମାଞ୍ଚଳର ଯୁବକ ଏବଂ ଲୋକଙ୍କୁ ରୋଜଗାରକ୍ଷମ କରାଇବା । ପର୍ଯ୍ୟଟନ ଅନେକ ଲୋକଙ୍କୁ ନିଯୁକ୍ତି ଦେଇଥାଏ । ଯେକୌଣସି ଦେଶର ସାଂସ୍କୃତିକ ଐତିହ୍ୟ ମଧ୍ୟ ପର୍ଯ୍ୟଟନ ଦ୍ୱାରା ଉତ୍ସାହିତ ହୋଇଥାଏ ।

କେବେ ଆରମ୍ଭ ହୋଇଥିଲା ବିଶ୍ୱ ପର୍ଯ୍ୟଟନ ଦିବସ

ପର୍ଯ୍ୟଟନ ସହିତ ଜଡ଼ିତ ଥିବା ଲୋକଙ୍କ ପାଇଁ ବିଶ୍ୱ ପର୍ଯ୍ୟଟନ ଦିବସ ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ଦିନ ପର୍ଯ୍ୟଟନ ଏବଂ ପର୍ଯ୍ୟଟକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସମଗ୍ର ବିଶ୍ୱରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ବିଶ୍ୱ ପର୍ଯ୍ୟଟନ ଦିବସ ୧୯୭୦ରେ ବିଶ୍ୱ ପର୍ଯ୍ୟଟନ ସଂସ୍ଥା ଦ୍ୱାରା ଆରମ୍ଭ ହୋଇଥିଲା । ୨୭ ସେପ୍ଟେମ୍ବର ୧୯୮୦ରେ ପ୍ରଥମ ଥର ପାଇଁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଇଥିଲା ।

Leave A Reply

Your email address will not be published.