Latest Odisha News

BREAKING NEWS

ଦେଶରେ କମୁଛି: ଦୁଇ ମାସ ପରେ ୬୦ ହଜାର ତଳକୁ ଖସିଲା ଦୈନିକ କରୋନା କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ଟ୍ରେଣ୍ଡ ଖସୁଛି । କମୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ପାଖାପାଖି ଦୁଇ ମାସ ପରେ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାରରୁ କମ୍ ହୋଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୫୫ ହଜାର ୩୪୨ ନୂଆ ପଜିଟିଭ୍ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୧ ଲକ୍ଷ ୭୫ ହଜାର ୮୮୧କୁ ବୃଦ୍ଧି ପାଇଛି ।

ସେହିପରି କମିଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରେ ପ୍ରାଣ ହରାଇଛନ୍ତି ଆଉ ୭୦୬ ଜଣ କରୋନା ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା ମହାମାରୀ ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୯ ହଜାର ୮୫୬ ।

କରୋନା କାଳରେ ଭଲ ଖବର ହେଉଛି, ଦେଶରେ ସୁସ୍ଥ ହାର କ୍ରମାଗତ ଭାବରେ ବଢ଼ି ଚାଲିଛି । ସାରା ଦେଶରେ କରୋନାରୁ ଆରୋଗ୍ୟ ଲାଭ କଲେଣି ୬୨ ଲକ୍ଷ ୨୭ ହଜାର ୨୯୬ ଆକ୍ରାନ୍ତ । ଆକ୍ଟିଭ୍ କେସ୍ ରହିଛି ୮ ଲକ୍ଷ ୩୮ ହଜାର ୭୨୯ ।

ଗତ ୫ ସପ୍ତାହ ହେବ ଦେଶରେ ଦୈନିକ ହାରାହାରି କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଛି । ସେପ୍ଟେମ୍ବର ୧ରୁ ୧୫ ତାରିଖ ଭିତରେ ଦୈନିକ ହାରାହାରି ୯୨ ହଜାର ୮୩୦ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ସେପ୍ଟେମ୍ବର୧୬ରୁ ୨୨ ତାରିଖ ଭିତରେ ଏହି ସଂଖ୍ୟା ଥିଲା ୯୦ ହଜାର ୩୪୬ । ସେପ୍ଟେମ୍ବର ୨୩ରୁ ୨୯ ତାରିଖ ଭିତରେ ଦୈନିକ ହାରାହାରି ବାହାରିଥିଲା ୮୩ ହଜାର ୨୩୨ ପଜିଟିଭ୍ କେସ୍ ।

ସେପ୍ଟେମ୍ବର ୩୦-ଅକ୍ଟୋବର ୬ ତାରିଖ ଭିତରେ ଦେଶରୁ ଦୈନିକ ହାରାହାରି ୭୭ ହଜାର ୧୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅକ୍ଟୋବର ୭ରୁ ୧୨ ତାରିଖ ଭିତରେ ଏହି ସଂଖ୍ୟା ଖସି ୭୨ ହଜାର ୫୭୬କୁ କମିଛି ।

Leave A Reply

Your email address will not be published.