ଭୁବନେଶ୍ୱର: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ପ୍ରାୟ ୪ ମାସ ହେବାକୁ ଆସିଲାଣି । ଏବେବି ତାଙ୍କ ମୃତ୍ୟୁ ଉପରୁ ହଟୁନି ପରଦା । ଦିନ ଯେତେ ଗଢ଼ୁଛି ରହସ୍ୟ ସେତେ ବଢ଼ୁଛି । ଏହି ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି । ଏହାରି ଭିତରେ ବିହାର ମୁଜାଫରପୁର କୋର୍ଟ ବଲିଉଡର ୭ଜଣ ସେଲିବ୍ରିିଟିଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କରଣ ଜୋହର ଓ ଏକତା କପୁରଙ୍କ ଭଳି ବଡ଼ ବଡ଼ ଷ୍ଟାରଙ୍କ ନାଁ ଏଥିରେ ସାମିଲ ଅଛି। ସୁଶାନ୍ତ ସିଂହ ମୃତ୍ୟୁ ପରେ ଓକିଲ ସୁଧୀର ଓଝା ଜୁନ୍ ୧୭ରେ କୋର୍ଟରେ ପରିବାରବାଦ ମାମଲା ଦାୟର କରିଥିଲେ। ଯେଉଁଥିରେ ସୁଶାନ୍ତ ମତ୍ୟୁ ମାମଲାରେ ଏମାନଙ୍କୁ ଦାୟୀ କରାଯାଇ ଥିଲା। କରଣ ଜୋହର, ଆଦିତ୍ୟ ଚୋପ୍ରା, ସଞ୍ଜୟ ଲୀଳା ଭଂସାଲି, ସାଜିଦ ନଦିୟାଓ୍ବାଲା, ଏକତା କପୁର, ଭୂଷଣ କୁମାର ଓ ଦିନେଶ ବିଜାନଙ୍କ ନାଁ ଏଥିରେ ସାମିଲ ଅଛି। ଅକ୍ଟୋବର ୨୧ ସୁଦ୍ଧା ସେମାନଙ୍କୁ ନିଜେ ନଚେତ ଓକିଲଙ୍କ ଜରିଆରେ ଉପସ୍ଥିତ ହେବାକୁ କୁହାଯାଇଛି ।
ଏହା ପୂର୍ବରୁ ସଲମାନ ଖାନ ସମେତ ଅନ୍ୟ ସମସ୍ତ ସେଲିବ୍ରିଟିଙ୍କୁ ଅକ୍ଟୋବର ୭ରେ କୋର୍ଟରେ ହାଜର ହେବାକୁ କୁହାଯାଇ ଥିଲା। ମାତ୍ର ସେତେବେଳେ ସଲମାନଙ୍କ ଓକିଲ କୋର୍ଟରେ ଉପସ୍ଥିତ ହୋଇଥିଲେ। ହେଲେ ଅନ୍ୟ ସାତ ଜଣ ସେଲିବ୍ରିଟି ହାଜର ହୋଇ ନ ଥିଲେ। ସୂଚନାଯୋଗ୍ୟ ଓକିଲ ସୁଧୀରଙ୍କ ଅଭିଯୋଗ ଥିଲା ଯେ ଏ ସମସ୍ତ ସେଲିବ୍ରିଟି ସୁଶାନ୍ତ ସିଂହ ରାଜପୁତଙ୍କ ବିରୋଧରେ ଷଡଯନ୍ତ୍ର କରି ସେମାନଙ୍କ ଠାରୁ ଫିଲ୍ମ ଛଡ଼ାଇ ନେଇ ଥିଲେ ଯାହା ପରେ ସେ ଅବସାଦର ଶିକାର ହୋଇ ଆତ୍ମହତ୍ୟା କଲେ।