Latest Odisha News

କରୋନା ଯୋଗୁ ଏବର୍ଷ କଟକରେ ହେବନି ଐତିହାସିକ ବାଲିଯାତ୍ରା

କଟକ: କରୋନା ମହାମାରୀ ପରମ୍ପରା ଓ ପର୍ବପର୍ବାଣୀ ଉପରେ ପ୍ରଭାବ ପକାଇଛି । ଏବର୍ଷ ହେବନି କଟକର ଐତିହାସିକ ବାଲିଯାତ୍ରା । କରୋନା ଯୋଗୁ ବାଲିଯାତ୍ରା ଆୟୋଜନ ଉପରେ କଟକଣା ଲାଗିଛି । କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ବିରାଟ ଆୟୋଜନ ସମ୍ଭବ ନୁହେଁ ବୋଲି କଟକ ଜିଲ୍ଲାପାଳ କହିଛନ୍ତି । ଏହାସହ ସାମୁହିକ ଭାବରେ ବୋଇତ ବନ୍ଦାଣକୁ ମଧ୍ୟ ବାରଣ କରାଯାଇଛି ।

ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭ ହୁଏ କଟକ ଐତିହାସିକ ବାଲିଯାତ୍ରା । ମହାନଦୀର ବିସ୍ତୀର୍ଣ୍ଣ ବାଲିପଠାରେ ବାଲିଯାତ୍ରା ମହୋତ୍ସବ ଆୟୋଜିତ ହୁଏ । ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ । ବାଲିଯାତ୍ରା ବୁଲିବାରୁ ଏଥର ବଞ୍ଚିତ କରିଛି କରୋନା ମହାମାରୀ ।

ଧବଳେଶ୍ୱର ପୀଠ

ଏହା ବ୍ୟତୀତ ପଞ୍ଚୁକରେ ଧବଳେଶ୍ୱର ପୀଠକୁ ଭକ୍ତଙ୍କ ଯିବା ଉପରେ ବି କଟକଣା ଜାରି କରାଯାଇଛି । ପଞ୍ଚୁକ ବ୍ରତ ଓ ବଡ଼ଓଷା ପାଇଁ ପ୍ରତିବର୍ଷ ଧବଳେଶ୍ୱର ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । କରୋନା ଯୋଗୁ ଏବର୍ଷ ଭକ୍ତ ଓ ଭଗବାନଙ୍କ ମିଳନ ହୋଇ ପାରିବ ନାହିଁ ।

Comments are closed.