Latest Odisha News

BREAKING NEWS

ତାଳଚେରରେ ୧୨ ଘଣ୍ଟିଆ ବନ୍ଦ ଡ଼ାକରା, ଜୀବନ ଯାତ୍ରା ବାଧାପ୍ରାପ୍ତ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ସହରରେ ବୁଧବାର ଦିନ ‘ତାଳଚେର ସୁରକ୍ଷା ପରିଷଦ’ ପକ୍ଷରୁ ୧୨ ଘଣ୍ଟିଆ ତାଳଚେର ବନ୍ଦ ଡ଼ାକରା ଦିଆଯାଇଛି । ଏହି ବନ୍ଦ ଡ଼ାକରା ଯୋଗୁଁ ତାଳଚେର ସହରର ସମସ୍ତ ଦୋକାନ ବଜାର ଏବଂ ରାସ୍ତାରୋକୋ ହେବା ଫଳରେ ଜୀବନ ଯାତ୍ରା ଏକପ୍ରକାର ବ୍ୟାହତ ହୋଇପଡ଼ିଛି ।

ମିଳିଥିବା ସୂଚନାନୁଯାୟୀ, ‘ତାଳଚେର ସୁରକ୍ଷା ପରିଷଦ’ ତରଫରୁ ୪ ଦଫା ଦାବି ନେଇ ଏହି ବନ୍ଦ ଡ଼ାକରା ଦିଆଯାଇଛି । ତାଳଚେରକୁ ପ୍ରଦୁଷଣ ମୁକ୍ତ କରିବା, ସହରରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ସମସ୍ତ ଡ଼ାକ୍ତରଖାନାରେ ଡ଼ାକ୍ତର ପଦବୀ ତୁରନ୍ତ ପୂରଣ ଏବଂ ମାଟି ଧସିବା ପରି ସମସ୍ୟାର ସମାଧାନ ପରି ଦାବିକୁ ନେଇ ପରିଷଦ ପୂର୍ବରୁ ସ୍ଥାନୀୟ ପ୍ରଶାସନକୁ ଅବଗତ କରିଥିଲା । ଏହି ସମସ୍ୟାର ସମାଧାନ ଲାଗି ୧୦ ଦିନ ମହଲତ ଦେଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ତେଣୁ ଏହି ସବୁ ଦାବି ନେଇ ଆଜି ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିଛନ୍ତି ତାଳଚେରବାସୀ ।

ଏହି ବନ୍ଦ ପାଳନ ଯୋଗୁଁ ସମଗ୍ର ତାଳଚେରରେ ଦୋକାନ, ଛୋଟବଡ଼ ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ ବନ୍ଦ ରହିଛି । ଏପରିକି ଆନ୍ଦୋଳନକାରୀମାନେ ରେଳ ଷ୍ଟେସନରେ ରେଳ ରୋକୋ କରି କେତେକ ରେଳ ଚଳାଚଳକୁ ବନ୍ଦ କରିଛନ୍ତି । ଆନ୍ଦୋଳନକାରୀମାନେ ସହରର ମୁଖ୍ୟ ରାସ୍ତାର ଛକ ସ୍ଥାନମାନଙ୍କରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ଫଳରେ ଯାତାୟାତ ବନ୍ଦ ହେବା ଫଳରେ ରାସ୍ତା କଡ଼ରେ ଶହ ଶହ ସଂଖ୍ୟାରେ ଟ୍ରକ୍, ବସ, ଗାଡ଼ି ପଡ଼ି ରହିଛି ।

ଆଜିର ଏହି ବନ୍ଦ ଡ଼ାକରାରେ ଯଦି ପ୍ରଶାସନ ଏହି ଦାବି ପୂରଣ କରିବାକୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଭବିଷ୍ୟତରେ ଏହି ଅନ୍ଦୋଳନ ତୀବ୍ର ରୂପ ଧାରଣ କରିବ ବୋଲି ଜଣେ ଆନ୍ଦୋଳନରତ ବିକ୍ଷୋଭକାରୀ ଗଣମଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.