Latest Odisha News

BREAKING NEWS

ଆରଏମସି ପକ୍ଷରୁ ପରିମଳ ବ୍ୟବସ୍ଥାର ସୁପରିଚାଳନା ନେଇ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସହ ଏମ୍.ଓ.ୟୁ ସ୍ୱାକ୍ଷର

ରାଉରକେଲା: ରାଉରକେଲା ମହାନଗର ନିଗମ ପକ୍ଷରୁ ଆଜି ବିଶ୍ୱ ଶୌଚାଳୟ ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ ଆଜି ନିଗମ କାର୍ଯ୍ୟାଳୟରେ ଆୟୋଜିତ ଏକ ନିରାଡାମ୍ବର କାର୍ଯ୍ୟକ୍ରମରେ ଯୋଗଦେଇ କମିଶନର ଦିବ୍ୟଜ୍ୟୋତି ପରିଡ଼ା ସାଧାରଣ ଜୀବନରେ ଶୌଚାଳୟ ବ୍ୟବହାରର ଗୁରୁତ୍ୱ ଏବଂ ସ୍ୱାସ୍ଥ୍ୟ ତଥା ସୁପରିମଳ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ମହିଳା ସଶକ୍ତିକରଣ ସହ ପରିମଳ ବ୍ୟବସ୍ଥା ସଜାଡିବା ଏବଂ ତାହାର ପରିଚାଳନା ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଯୁଗାନ୍ତକାରୀ ବୋଲି ସେ କହିଛନ୍ତି।

ସେହିପରି ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇ କହିଛନ୍ତି ଯେ, ରାଉରକେଲା ମହାନଗର ନିଗମ ପକ୍ଷରୁ ସହରରେ ପର୍ଯ୍ୟାପ୍ତ ପରିମାଣର ଶୌଚାଳୟ ନିର୍ମାଣ କରାଯାଇଛି।

ଏପରିକି ମହାନଗର ନିଗମ ପକ୍ଷରୁ ବିଭିନ୍ନ ଶୌଚାଳୟରେ ଫାଷ୍ଟ୍ ଏଡ୍ କିଟ୍, ହ୍ୟାଣ୍ଡ୍ ଡ୍ରାଏର୍ ଏବଂ ମହିଳା ମାନଙ୍କ ପାଇଁ ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ ଲଗାଯାଇଛି। ଜନସାଧାରଣଙ୍କ ସୁବିଧା ଲାଗି ମହାନଗର ନିଗମ ପକ୍ଷରୁ ଏହିପରି ଅତ୍ୟାଧୁନିକ ସେବା ବିଭିନ୍ନ ଶୌଚଳୟ ମାନଙ୍କରେ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।

ମହାନଗର ନିଗମର ଅନ୍ୟ ଦୁଇ ଡେପୁଟି କମିଶନର ଡକ୍ଟର ଗୌରବମୟ ପ୍ରଧାନ ଓ ସୀତାଦେବୀ ମାଝି ନିଜ ବକ୍ତବ୍ୟରେ କହିଛନ୍ତି ଯେ, ମହିଳା ମାନେ ସ୍ୱଚ୍ଛତା ଦିଗରେ ବେଶ ଯତ୍ନବାନ। ବାହାରେ ଶୌଚ କରିବା ଏକ ସାମାଜିକ ବ୍ୟାଧି ଏବଂ ପରିବେଶ ପାଇଁ ମଧ୍ୟ କ୍ଷତିକାରକ।

ପରିମଳ ବ୍ୟବସ୍ଥା ପରିଚାଳନା ଦିଗରେ କାର୍ଯ୍ୟ କରୁଥିବା ସମସ୍ତ ବ୍ୟକ୍ତି ତଥା ଅନୁଷ୍ଠାନ ଲୋକଙ୍କୁ ଏ ଦିଗରେ ନିରନ୍ତର ଭାବେ ସଚେତନ କରାଇବାକୁ ସେ ଆହ୍ୱାନ ଦେଇଛନ୍ତି।

ସେହିପରି ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁଶିଲ କୁମାର ପରିଡ଼ା କହିଛନ୍ତି ଯେ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନଙ୍କୁ ଶୌଚାଳୟ ପରିଚାଳନା ଦାୟିତ୍ୱ ଦିଆଯିବା ନିଷ୍ପତ୍ତି ନିଶ୍ଚିତ ଭାବେ ଯୁଗାନ୍ତକାରୀ। କିନ୍ତୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କ ପାଇଁ ଏହା ଏକ ଚ୍ୟାଲେଞ୍ଜ ମଧ୍ୟ।

ଏହି ଅବସରରେ ଆଜି ସହରର ୩୬ଟି ଗୋଷ୍ଠୀ ଶୌଚାଳୟର ପରିଚାଳନା ନିମନ୍ତେ ୩୬ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କ ସହ ଏମ୍ . ଓ. ୟୁ ସ୍ୱାକ୍ଷର କରାଯାଇଥିଲା। ଗତ ସ୍ୱାୟତ୍ତଶାସନ ଦିବସରେ ଏମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବେଳେ ଆଜି ଏମ୍.ଓ.ୟୁ ସ୍ୱାକ୍ଷର କରାଯାଇଛି।

ସେହିପରି ଆଜି ପ୍ରଥମ ପର୍ଯ୍ୟାୟରେ ୬ ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଶୌଚାଳୟ ସଫେଇ ନିମନ୍ତେ ଅତ୍ୟାଧୁନିକ ୱାଟର ଜେଟିଂ ମେସିନ ପ୍ରଦାନ କରାଯାଇଛି।

Comments are closed.