Latest Odisha News

BREAKING NEWS

ଓଡ଼ିଶାର ପାରମ୍ପରିକ ଦାସକାଠିଆ ନାଚ ସମ୍ପର୍କରେ, ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶା କଳା, ନାଚ, ସଂଗୀତରେ ଭରା ଏକ ରାଜ୍ୟ । ଅତୀତରେ ଅନେକ ରାଜାଙ୍କ ଶାସନ କାଳାରେ ଏଠାକାର କଳା, ନାଚ ଆଦି ଖୁବ ସମୃଦ୍ଧ ହୋଇଅଛି । ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି ।

ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ନେଇ ଲୋକନୃତ୍ୟର ସୃଷ୍ଟି ହୋଇଛି । ଗ୍ରାମବହୁଳ ଓଡ଼ିଶାରେ ଦୈନନ୍ଦିନ ଜୀବନରେ ଟିକେ ଆନନ୍ଦ ଉପଭୋଗ କରିବାକୁ ଅନୁଷ୍ଠିତ କରାଯାଏ ଯାତ୍ରା ଓ ମହୋତ୍ସବମାନ । ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣୀ ସହ ବିଭିନ୍ନ ଲୋକନୃତ୍ୟର ପ୍ରଚଳନ ରହିଛି ।

ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଇଥାଏ । ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହୋଇଥାଏ । ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର କରାଯାଇଥାଏ ।

ଆଜି ଆମେ ଆପଣଙ୍କୁ ଜଣାଇବୁ ଓଡ଼ିଶାର ପାରମ୍ପରିକ ଦାସକାଠିଆ ନାଚ ସମ୍ପର୍କରେ…

ଦାସକାଠିଆ ଏକ ପାରମ୍ପରିକ ଓଡ଼ିଆ ସଙ୍ଗୀତ-ନାଟ କଳା । ଏହା ଗଞ୍ଜାମ ସମେତ ଓଡ଼ିଶାର ଅନେକ ଜିଲ୍ଲାରେ ଅଭିନୀତ ହୋଇଥାଏ । ଏହା ଆଗକାଳରେ ମନୋରଞ୍ଜନର ଏକ ମୁଖ୍ୟ ମାଧ୍ୟମ ଥିଲା । ଏଥିରେ ଏକ କାଠ ଯୋଡ଼ାକୁ ପରଷ୍ପର ସହିତ ପିଟିଲେ ଏକ ନିଆରା ଶବ୍ଦ ସୃଷ୍ଟି ହୋଇଥାଏ, ପାଳିଆ ଓ ଗାହାଣ ଏହାକୁ ବ୍ୟବହାର କରି ଗୀତ ଓ ଅଭିନୟ ମାଧମରେ ଏକ ପୁରାଣ ବର୍ଣ୍ଣନାକୁ ପରିବେଷଣ କରିଥାନ୍ତି।

“ଦାସକାଠିଆ” ରାମାୟଣ ଯୁଗରୁ ଆରମ୍ଭ ବୋଲି କେତେକ ମତବ୍ୟକ୍ତ କରନ୍ତି । ପାଲା ଭଳି ଏଥିରେ ବନ୍ଦନା, ଶ୍ଳୋକ, କଥା ବର୍ଣ୍ଣନା ଆଦି ରହିଥାଏ । ଆଲୋଚକ ସଚ୍ଚିଦାନନ୍ଦ ମିଶ୍ରଙ୍କ ଭାଷା ଦାସକାଠିଆର ବୈଷ୍ଣବ ଭାବ ସେଥିରେ ବୀର ରସର ପ୍ରାଧାନ୍ୟ, ହିନ୍ଦୁ ରାଜୁଡ଼ା ବେଶଭୂଷା, ସାରଳା ଦାସଙ୍କର ରଚନାକୁ ଆଶ୍ରୟ, ପୋଥିରେ ପ୍ରାଚୀନତା ଆଦି କୃଷ୍ଣ ପାଲା ଅପେକ୍ଷା ଏହା ପ୍ରାଚୀନ କଳା ବୋଲି ନିରୂପଣ କରିବାକୁ ହେଉଛି।

Comments are closed.