ଭୁବନେଶ୍ୱର: ଶହୀଦ କୋଭିଡ ଯୋଦ୍ଧାଙ୍କ ସ୍ମୃତିରେ ଭୁବନେଶ୍ବରରେ ଏକ ସ୍ମାରକୀ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
ଆଜି ସଂଧ୍ୟାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶହୀଦ କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗଙ୍କ ସହ ଆଲୋଚନା କରି ସେ ସମବେଦନା ଜଣାଇଛନ୍ତି।
ଏହି ଅବସରରେ ଶହୀଦଙ୍କ ତ୍ୟାଗ କେବେ ହେଲେ ବିଫଳ ହେବ ନାହିଁ ଏବଂ କୋଭିଡ ବିରୁଦ୍ଧରେ ଏହି ଲଢେଇରେ ଆମ ନିଶ୍ଚିୟ ଜିତିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢତାର ସହ କହିଛନ୍ତି। ଏଥିରେ ଶହୀଦ ହୋଇଥିବା ସବୁ କୋଭିଡ ଯୋଦ୍ଧାଙ୍କ ନାମ ଲିପିବଦ୍ଧ ହୋଇ ରହିବ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ ଆପଣଙ୍କ ପରିବାରର ତ୍ୟାଗକୁ ଏ ଜାତି ସବୁବେଳେ ସମ୍ମାନର ସହ ମନେ ରଖିବ। ଏହି ଯୁଦ୍ଧରେ ଆମର ୧୦୦ରୁ ଅଧିକ କୋଭିଡ ଯୋଦ୍ଧା ଶହୀଦ ହୋଇଛନ୍ତି।
ଏହି ଶୂନ୍ୟତା କେବେ ବି ପୂରଣ କରିହେବ ନାହିଁ। ପରିବାରର ସଦସ୍ୟଙ୍କ ପରଲୋକ ଯୋଗୁ ଯେପରି ଆପଣଙ୍କ ପରିବାର କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି। ସେଥିପାଇଁ ସରକାର ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି।
ମାଲକାନଗିରି, କଟକ, ବରଗଡ, ବାଲେଶ୍ବର ଓ ଗଞ୍ଜାମରେ ଉପସ୍ଥିତ ଶହୀଦ କୋଭିଡ ଯୋଦ୍ଧାଙ୍କ ପରିବାର ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବ ଓ ତତ୍ତ୍ବାବଧାନରେ ଓଡିଶା ସଫଳତାର ସହ କୋଭିଡ ଯୁଦ୍ଧର ମୁକାବିଲା କରିପାରିଛି।
ସେହିପରି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର କହିଛନ୍ତି ଯେ ଓଡିଶାରେ ୧୦୧ ଜଣ କୋଭିଡ ଯୋଦ୍ଧା ଶହୀଦ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୯୬ ଜଣ ଶହୀଦଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏ ସହାୟତା ଦିଆଯାଇଛି। ଆସନ୍ତା ୨ ଦିନ ମଧ୍ୟରେ ବାକି ୫ ଜଣ ଶହୀଦଙ୍କ ପରିବାରକୁ ସହାୟତା ଦିଆଯିବ।
ଏହି କାର୍ଯ୍ୟକ୍ରମରେ କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ସଂପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ୫ଞ ସଚିବ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ।
Comments are closed.