ଭୁବନେଶ୍ୱର : ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସ୍ୱୀକୃତି ପ୍ରଦାନ କ୍ଷେତ୍ରରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ। ସଙ୍ଗୀତକୁ ଗୁରୁତ୍ୱ ଦିଆଯାଇ ଓଡ଼ିଶୀ ବିଶେଷଜ୍ଞଙ୍କୁ ନେଇ ଆଲୋଚନାଚକ୍ର କରାଯିବ। ବିଶେଷକରି ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ଅଧିକ ଗବେଷଣା ଉପରେ ଗୁରୁତ୍ୱ ଦିଆଯିବ ବୋଲି ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୨ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ କହିଛନ୍ତି।
କରୋନା ଯୋଗୁଁ ବିନା ଛାତ୍ରଛାତ୍ରୀରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ଅନ୍ୟତମ ଅତିଥିଭାବେ ବିଭାଗୀୟ ନିର୍ଦେଶକ ରଞ୍ଜନ କୁମାର ଦାସ ଯୋଗଦେଇ କହିଲେ, ଏହି ବିଶ୍ୱବିଦ୍ୟାଳୟ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସି ହେବା ନେଇ କାର୍ଯ୍ୟକ୍ରମ ହାତକୁ ନିଆଯିବ। ସଭାପତିତ୍ୱ କରି କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ କହିଲେ ଯେ, ଓଡ଼ିଶାର ଇତିହାସ, କଳା, ସଂସ୍କୃତି ଉପରେ ଗବେଷଣା କରାଯିବ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ବାର୍ଷିକ ନ୍ୟୁଜ୍ଲେଟର ‘ସଂସ୍କୃତି’ ଏବଂ “ଚିତ୍ରକଳା ଓ ଦୃଶ୍ୟକଳା” ବିଭାଗର କ୍ୟାଟଲଗ ‘ସୃଷ୍ଟି’ ଉନ୍ମୋଚିତ ହୋଇଥିଲା। କୁଳସଚିବ ଅନନ୍ତ ବିଜୟ ପଟ୍ଟନାୟକ ବିବରଣୀ ପାଠ କରିଥିବାବେଳେ ପ୍ରଫେସର ଜଗନ୍ନାଥ କୁଅଁର ଅତିଥି ପରିଚୟ ପ୍ରଦାନ କରିଥିଲେ। ପରୀକ୍ଷା ନିୟନ୍ତ୍ରକ ମନୋଜ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.