Latest Odisha News

BREAKING NEWS

ବିପଦରେ ଉତ୍ତରାଖଣ୍ଡର ୩୮୫ ଗାଁ, ସ୍ଥାନାନ୍ତରଣ ପାଇଁ ଆବଶ୍ୟକ ୧୦ ହଜାର କୋଟି ଟଙ୍କା

ଡେରାଡୁନ୍: ବିପଦରେ ଉତ୍ତରାଖଣ୍ଡର ୩୮୫ଟି ଗାଁ । ହିମସ୍ଖଳନ ପରେ ସୃଷ୍ଟି ଜଳପ୍ରଳୟ ପରେ ଏବେ ପୁଣି ଲୋକଙ୍କୁ ସ୍ଥାନାନ୍ତରଣ ନେଇ ଉଦ୍ୟମ ଆରମ୍ଭ ହୋଇଛି । ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ରହିଛି ଉତ୍ତରାଖଣ୍ଡର ୧୨ ଜିଲ୍ଲାର ୩୮୫ ଗାଁ । ସେଥିମଧ୍ୟରୁ ୫ଟି ଗାଁକୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରଣ ପାଇଁ ୨.୩୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ ।

ରାଜ୍ୟରୁ ପୂର୍ବରୁ ହୋଇଥିବା ଏକ ଅଧ୍ୟୟନ ଅନୁସାରେ, ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ଥିବା ଏହି ସବୁ ଗାଁର ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରାୟ ୧୦ ହଜାର କୋଟି ଟଙ୍କା ଆବଶ୍ୟକ ।

ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ ଭିତରେ ପିଥୋରାଗଡ଼ ଜିଲ୍ଲାର ସର୍ବାଧିକ ୧୨୯ଟି ଗାଁ ରହିଥିବା ବେଳେ ଉତ୍ତରାକାଶୀର ୬୨ଟି ଗାଁ, ଚାମୋଲିର ୬୧ଟି ଗାଁ, ବାଗେଶ୍ୱରର ୪୨ଟି ଗାଁ, ତେହରିର ୩୩ଟି ଗାଁ, ପାଉରିର ୨୬ଟି ଗାଁ, ରୁଦ୍ରପ୍ରୟାଗର ୧୪ଟି ଗାଁ, ଚମ୍ପାୱତର ୧୦ଟି ଗାଁ, ଆଲମୋରାର ୯ଟି ଗାଁ, ନୈନିତାଲର ୬ଟି ଗାଁ, ଡେରାଡୁନର ୨ଟି ଗାଁ ଓ ଉଧମ ସିଂ ନଗରର ଗୋଟିଏ ଗାଁ ରହିଛି ।

ତେହରି, ଚାମୋଲି, ଉତ୍ତରାକାଶୀ ଓ ବାଗେଶ୍ୱରର ୫ଟି ଗାଁର ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରଣ ଲାଗି ଗୁରୁବାର ନିର୍ଦ୍ଦେଶନାମା ଜାରି ହେବା ସହ ଅନୁଦାନ ପ୍ରଦାନ କରାଯାଇଛି । ଦିଆଯାଇଥିବା ଅନୁଦାନ ଅର୍ଥ ନୂତନ ଘର ନିର୍ମାଣ ସହ ଗୋଶାଳା ଓ ସ୍ଥାନାନ୍ତରଣରେ ଖର୍ଚ୍ଚ ହେବ ।

ରାଇନି ଓ ତପୋବନରେ ପ୍ରକୃତିର ଭୟଙ୍କର ପ୍ରଳୟ ପରେ ଉତ୍ତରାଖଣ୍ଡରେ ସ୍ଥାନାନ୍ତରଣ ପ୍ରସଙ୍ଗ ପୁଣି ତାଜା ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ହରୀଶ ରାୱତ, ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତଙ୍କୁ ଭେଟି ବିପଦପୂର୍ଣ୍ଣ ଗାଁକୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର ପାଇଁ ଅନୁରୋଧ କରିଛନ୍ତି ।

୨୦୨୦ ଜୁଲାଇରେ ମୁନସ୍ୟାରୀ ଜିଲ୍ଲାର ଧାପା ଗାଁରେ ଭୂ-ସ୍ଖଳନ ହୋଇଥିଲା । ଯେଉଁଥିରେ ୬ ଘର ଭାଙ୍ଗିଯିବା ସହ ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିଲା । ସୌଭାଗ୍ୟବଶତଃ ସେଥିରେ କେହି ମୃତାହତ ହୋଇନଥିଲେ । ୧୩୬ଟି ପରିବାର ମଧ୍ୟରୁ ଭୂ-ସ୍ଖଳନରେ ୫୨ ପରିବାର ପ୍ରଭାବିତ ହୋଇଥିଲେ ।

Leave A Reply

Your email address will not be published.