Latest Odisha News

କେନ୍ଦ୍ରାପଡ଼ା ସହରରେ ସାମ୍ପ୍ରଦାୟିକ ଉତ୍ତେଜନା: ଗୁରୁବାର ଦିନ ସମସ୍ତ ସ୍କୁଲ ବନ୍ଦ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରରେ ବୁଧବାର ଦିନ ସାମ୍ପ୍ରଦାୟିକ ଉତ୍ତେଜନା ଉପୁଜିଥିବା ତଥା ଗୁରୁବାର ଏନେଇ ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯିବା ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ଦିନ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ସହିତ ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି ।

ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରାପଡ଼ା ଏଡ଼ିଏମ ବସନ୍ତ ରାଉତ କହିଛନ୍ତି, ଗୁରୁବାର ଦିନ ୧୨ ଘଣ୍ଟିଆ ବନ୍ଦ ପାଳନ ବେଳେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି ଅତିରିକ୍ତ ପୋଲିସ ଫୋର୍ସ ମୂତୟନ ହେବା ସହିତ ସହରରେ ଇଣ୍ଟରନେଟ୍ ସେବା ବିଚ୍ଛିନ୍ନ କରିଦିଆ ଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସହରରେ ସମ୍ପୂର୍ଣ୍ଣ ରୂପେ ଶାନ୍ତି ଫେରିଆସିବା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ ।

ମିଳିଥିବା ସୂଚନାନୁଯାୟୀ, ସହର ମଧ୍ୟରେ ଥିବା ସରକାରୀ ହାଇସ୍କୁଲ ପରିସର ମଧ୍ୟରେ ଏକ ସମ୍ପ୍ରଦାୟ ପକ୍ଷରୁ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଳନ କରିବାକୁ ଚାହୁଁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇନଥିଲା । ତେବେ ବୁଧବାର ଦିନ ଅନ୍ୟ ଏକ ସମ୍ପ୍ରଦାୟ ପକ୍ଷରୁ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ କରିବାକୁ ଏକ ସଭା ଆୟୋଜନ କରିଥିବା ବେଳେ ଏହାକୁ ଅନ୍ୟ ସମ୍ପ୍ରଦାୟର କିଛି ବ୍ୟକ୍ତି ପ୍ରତିରୋଧ କରିଥିଲେ ।

ବୁଧବାର ଦିନ ସରକାରୀ ହାଇସ୍କୁଲ ପଡ଼ିଆରେ ଆୟୋଜିତ ହୋଇଥିବା ସଭାକୁ ବିରୋଧ କରିବାକୁ ଏକ ଗୋଷ୍ଠୀ ପକ୍ଷରୁ କିଛି ବ୍ୟକ୍ତି ସଭାସ୍ଥଳକୁ ଆସିଥିଲେ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିବା ବେଳେ ଆଇନ ଶୃଙ୍ଖଳା ଭଙ୍ଗ ହେବା ଆଶଙ୍କା କରି ପୋଲିସ ବିକ୍ଷୋଭକାରୀଙ୍କୁ ଘଟଣାସ୍ଥଳରୁ ବାହାର କରିଦେଇଥିଲେ । ପରେ ଜିଲ୍ଲା ପ୍ରଶାସନ ସଭାକୁ ବନ୍ଦ କରିଦେବାକୁ ବାଧ୍ୟ ହୋଇଥିଲେ ।

Comments are closed.