Latest Odisha News

BREAKING NEWS

ବିଜୁବାବୁଙ୍କୁ ‘ଭାରତରତ୍ନ’ ପ୍ରଦାନ କରାନଯିବା ଏକ ଜାତୀୟ ଧୋକ୍କା: ଦିଲ୍ଲୀପ ରାୟ

ଭୁବନେଶ୍ୱର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ କରାନଯିବା ଓଡ଼ିଶାବାସୀଙ୍କ ପ୍ରତି ଏକ ବଡ଼ ଧୋକ୍କା । ଦେଶ ତଥା ରାଜ୍ୟ ପାଇଁ ସ୍ୱାଧୀନତା ଆନ୍ଦୋଳନ ସମୟରୁ ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ବିଜୁବାବୁଙ୍କର ଅବିସ୍ମରଣୀୟ ଅବଦାନ ରହିଥିବା ବେଳେ କେନ୍ଦ୍ର ସରକାର ତାହାକୁ ସ୍ୱୀକାର ନ କରି ହୀନମନ୍ୟତାର ପରିଚୟ ଦେଇଛନ୍ତି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜୁବାବୁଙ୍କ ବହୁ ବର୍ଷର ଘନିଷ୍ଠ ସହକର୍ମୀ ଦିଲ୍ଲୀପ ରାୟ କହିଛନ୍ତି ।

ବିଜୁବାବୁଙ୍କୁ ଭାରତରତ୍ନ ପ୍ରଦାନ ପ୍ରସଙ୍ଗରେ ସେ ନିଜେ ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଓଡ଼ିଶାବାସୀଙ୍କ ଦାବି ଜଣାଇଥିଲେ । ଏ ସଂକ୍ରାନ୍ତରେ ଠିକଣା ସମୟରେ ଠିକଣା ଘୋଷଣା କରାଯିବ ବୋଲି ଶ୍ରୀ ମୋଦୀ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ମୋଦୀଙ୍କ ସରକାରର ଶେଷ ବର୍ଷରେ ବି ଏହି ପ୍ରତିଶ୍ରୁତି ପାଳିତ ହୋଇନାହିଁ ।

କେବଳ ଓଡ଼ିଶାର ବିକାଶ ନୁହେଁ, ଦେଶର ସ୍ୱାଧୀନତା ଆନ୍ଦୋଳନ, ଜାତୀୟ ରାଜନୀତି, ରାଷ୍ଟ୍ରୀୟ ସ୍ୱାର୍ଥରକ୍ଷା ପ୍ରସଙ୍ଗରେ ବିଜୁବାବୁଙ୍କ ଅବଦାନ କିମ୍ବଦନ୍ତୀ ହୋଇ ରହିଯାଇଥିବା ବେଳେ ତାଙ୍କୁ ଭାରତରତ୍ନ ପ୍ରଦାନ କରିଥିଲେ କେନ୍ଦ୍ର ସରକାର ଧନ୍ୟ ହୋଇଥାନ୍ତେ ।

ଏଥିରେ ବିଜୁବାବୁଙ୍କ ଅମ୍ଳାନ ବ୍ୟକ୍ତିତ୍ୱ ପ୍ରଭାବିତ ହୋଇନଥାନ୍ତା, ବରଂ ସାଢ଼େ ୪ କୋଟି ଓଡ଼ିଆଙ୍କ ସମେତ ଜାତୀୟ କ୍ଷେତ୍ରରେ ବିଜୁବାବୁଙ୍କୁ ଶ୍ରଦ୍ଧା ଓ ସମ୍ମାନ ଜଣାଉଥିବା ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଆନନ୍ଦିତ ହୋଇଥାନ୍ତେ । କିନ୍ତୁ ଦୁର୍ଭାଗ୍ୟର କଥା କେନ୍ଦ୍ର ସରକାର ଏହି ସୁଯୋଗ ହାତଛଡ଼ା କରିଛନ୍ତି ।

ରାଉରକେଲାର ଆଇଜିଏଚକୁ ମେଡ଼ିକାଲ କଲେଜ ହସ୍ପିଟାଲରେ ପରିଣତ କରିବା ଓ ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ସମେତ ପ୍ରଧାନମନ୍ତ୍ରୀଙ୍କ ଅନେକ ପ୍ରତିଶ୍ରୁତି ଯେପରି ମରିଚିକା ହୋଇ ରହିଯାଇଛି ବିଜୁବାବୁଙ୍କୁ ମରଣୋତ୍ତର ଭାରତରତ୍ନରେ ଭୂଷିତ କରିବା ଲାଗି ମିଳିଥିବା ପ୍ରତିଶ୍ରୁତି ମଧ୍ୟ ସେହିପରି ମିଳେଇ ଯାଇଛି ବୋଲି ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିଛନ୍ତି ।

ଯେଉଁମାନେ ଏ କ୍ଷେତ୍ରରେ ବାଧକ ହୋଇଛନ୍ତି ସେମାନଙ୍କୁ ଓଡ଼ିଶାବାସୀ କେବେ କ୍ଷମା ଦେବେନାହିଁ, ବୋଲି ଉଲ୍ଲେଖ କରି ଭାରତରତ୍ନ ମିଳୁ କି ନ ମିଳୁ ବିଜୁବାବୁ କିନ୍ତୁ ଓଡ଼ିଶାବାସୀଙ୍କ ହୃଦୟରେ ସବୁଦିନ ପାଇଁ ରହିଥିବେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.