ଯାଜପୁର: ଡ୍ୟୁଟି ସମୟରେ ମଦ୍ୟପାନ କରିବା ପଡିଲା ମହଙ୍ଗା। ନିଲମ୍ବିତ ହେଲେ ୪ ପୋଲିସ କର୍ମଚାରି। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧିନସ୍ଥ ଜାରକା ଫାଣ୍ଡିର ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଯାଜପୁର ଏସ.ପି । ସେମାନଙ୍କ ମଧ୍ୟରେ ରହିଛନ୍ତି ୨ ଜଣ କନଷ୍ଟେବଳ ତପନ ଦାସ, ସଞ୍ଜୟ ଭୋଳ ଏବଂ ଅନ୍ୟ ୨ଜଣ ଓଏପିଏଫ ଯବାନ ହେଉଛନ୍ତି ବେଣୁଧର ଖଟୁଆ ଓ ଅନନ୍ତ ଚରଣ ସାମଲ। ଫାଣ୍ଡିରେ ଡ୍ୟୁଟି କରୁଥିବା ସମୟରେ ମଦ୍ୟପାନ କରିଥିବାରୁ ସେମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡିଛି।
ସୂଚନା ମୁତାବକ ଗତ ୧୯ ତାରିଖ ସନ୍ଧ୍ୟାରେ ଯାଜପୁର ଏସ.ପି ରାହୁଲ ପି.ଆର କଟକ ରୁ ଯାଜପୁର ଫେରୁଥିବା ସମୟରେ ଜାରକା ନିକଟରେ ରାସ୍ତାରେ ପ୍ରବଳ ଭିଡ ଥିବାରୁ ତାଙ୍କୁ ଅଟକିବାକୁ ପଡିଥିଲା। ଫଳରେ ରାସ୍ତା କଡରେ ଥିବା ଜାରକା ଫାଣ୍ଡି କୁ ଏସ.ପି ଅଚାନକ ପଶି ଯାଇଥିଲେ। ସେ ସମୟରେ ଫାଣ୍ଡିରେ ଉପସ୍ଥିତ ଥିବା ୨ ଜଣ କନେଷ୍ଟବଳ ଓ ୨ ଜଣ ଓଏପିଏଫ୍ ଯବାନ ମଦ୍ୟପାନ କରିଥିବା ଏସ.ପି ସେମାନଙ୍କ କଥାବାର୍ତ୍ତା ଓ ମଦ ଗନ୍ଧରୁ ଜାଣି ପାରିଥିଲେ।
ଏହାପରେ ଏସ.ପି ସେମାନଙ୍କୁ ଧର୍ମଶାଳା ଥାନାକୁ ପଠାଇବା ସହ ସେମାନଙ୍କର ମେଡ଼ିକାଲ ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ସେମାନେ ମଦ୍ୟପାନ କରିଥିବା ସ୍ପଷ୍ଟ ହୋଇଥିଲା। ତେବେ ଏହି ଆଧାରରେ ଏହି ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଥିବା ଯାଜପୁର ଏସ.ପି ରାହୁଲ ପିଆର ସୂଚନା ଦେଇଛନ୍ତି।
Comments are closed.