ନୂଆଦିଲ୍ଲୀ: ଦେଶର ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ଜାରି ରଖିଛି ବିଜେପି । ବିଜେପି ମହାସଚିବ ଅରୁଣ ସିଂହ ଆଜି ଦଳର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ବିଜେପିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଅନେକ ସାଂସଦ, ଅଭିନେତା, ଅଭିନେତ୍ରୀ ଏବଂ ଜଣାଶୁଣା ଚେହେରା ସ୍ଥାନ ପାଇଛନ୍ତି ।
ତାମିଲନାଡୁରେ ଏନ୍ଡିଏ ମେଣ୍ଟ ନିର୍ବାଚନ ଲଢିବ । ସେଠାରେ ବିଜେପି, ସହଯୋଗୀ ଦଳ ସହ ମିଶି ୨୦ଟି ସିଟ୍ରେ ନିର୍ବାଚନ ଳଢିବ । ଏହାସହିତ ଭାରତୀୟ ଜନତା ପାର୍ଟିର ମହାସଚିବ ଅରୁଣ ସିଂହ କହିଛନ୍ତି, କେରଳରେ ଦଳ ମୋଟ ୧୪୦ ସିଟ୍ ମଧ୍ୟରୁ ୧୧୫ଟି ସିଟ୍ରେ ନିର୍ବାଚନ ଲଢିବ ଏବଂ ଅନ୍ୟ ୨୫ଟି ସିଟ୍ ସହଯୋଗୀ ଦଳମାନଙ୍କ ପାଇଁ ଛାଡିବ । କେରଳ ବିଜେପି ପ୍ରମୁଖ କେ. ସୁରେନ୍ଦ୍ରନ୍ ୨ଟି ଆସନ ମଞ୍ଜେଶ୍ବର ଏବଂ କୋନ୍ନୋ ସିଟରୁ ନିର୍ବାଚନ ଲଢିବେ । ଏହା ସହିତ ମେଟ୍ରୋ ମ୍ୟାନ୍ ଇଂ. ଶ୍ରୀଧରନ୍ଙ୍କୁ ଟିକେଟ୍ ଦେଇଛି ବିଜେପି । ସେ କେରଳର ପଲକ୍କଡ ସିଟ୍ରୁ ନିର୍ବାଚନ ଲଢିବେ ।
ସେହିପରି ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ପ୍ରାର୍ଥୀ ତାଲିକା ଘୋଷଣା ବେଳେ ଅରୁଣ ସିଂହ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ମଧ୍ୟ ବିଧାନସଭା ନିର୍ବାଚନ ଲଢ଼ିବେ । ବାବୁଲ ସୁପ୍ରିୟୋଙ୍କୁ ଟୋଲିଗଞ୍ଜ ବିଧାନସଭା କ୍ଷେତ୍ରରୁ ଟିକେଟ ଦିଆଯାଇଥିବା ଜଣାପଡ଼ିଛି ।
ଅନ୍ୟପଟେ ଅଭିନେତା ୟଶଦାସଗୁପ୍ତା ଚଣ୍ଡିତଳାରୁ ନିର୍ବାଚନ ଲଢ଼ିବେ । ସାଂସଦ ଲୋକେଟ ଚାଟାର୍ଜୀ ବିଜେପି ଟିକେଟରୁ ଚୁରୁଚୁରା ମଇଦାନରେ ଭାଗ୍ୟ ପରୀକ୍ଷା କରିବେ । ଅଞ୍ଜନା ବାସୁ ସୋନାରପୁର ସାଉଥ୍ରୁ, ରାଜୀବ ବାନାର୍ଜୀ ଡୋମଜୁର, ପାୟଲ ସରକାର ବେହାଲା ଇଷ୍ଟରୁ ଲଢ଼ିବାକୁ ଯାଉଥିବା ବେଳେ ଅଲିପୁରଦ୍ବାରରୁ ଅଶୋକ ଲାହିରୀଙ୍କୁ ଟିକେଟ ମିଳିଛି ।
ଆସାମରେ ଭାରତୀୟ ଜନତା ପାର୍ଟି ମୋଟ ୯୨ଟି ସିଟ୍ରେ ନିର୍ବାଚନ ଲଢିବାକୁ ଘୋଷଣା କରିଛି । ଅନ୍ୟ ସିଟ୍ଗୁଡିକୁ ସହଯୋଗୀ ଦଳମାନଙ୍କୁ ଛାଡିଛି ଦଳ । ଆସାମରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମୋଟ ୧୭ ଜଣଙ୍କୁ ଟିକେଟ୍ ଦେଇଛି ବିଜେପି ।
Comments are closed.