Latest Odisha News

BREAKING NEWS

୧୨ ଦିନରେ କରୋନାରେ ପରିବାରର ୪ ମୃତ, ଅନାଥ ହୋଇଗଲେ ୨ ଛୁଆ

ଗାଜିଆବାଦ: ମହାମାରୀ କରୋନା ଆତଙ୍କ ଲାଗି ରହିଛି । ପ୍ରତିଦିନ ଦେଶରେ ହଜାର ହଜାର ପ୍ରାଣ ନେଉଛି ଭୂତାଣୁ । ଉତ୍ତରପ୍ରଦେଶ ଗାଜିଆବାଦରେ କରୋନାର କାଳ ନଜର ଏକ ପରିବାରକୁ ଛାରଖାର୍ କରି ଦେଇଛି । ମାତ୍ର ୧୨ ଦିନରେ ଉଜୁଡ଼ି ଯାଇଛି ପରିବାର । ଚାଲି ଯାଇଛି ୪ ଜୀବନ । ଏବେ ପରିବାରରେ ଖାଲି ୨ ଜଣ ବଞ୍ଚିଛନ୍ତି । ଜଣେ ୬ ବର୍ଷର ଆଉ ଜଣେ ୮ ବର୍ଷର ଝିଅ । କରୋନା ମାଡ଼ରେ ହସଖୁସିର ପରିବାର ଉଜୁଡ଼ି ଯିବା ଦେଖି ସୋସାଇଟିରେ ଭୟର ବାତାବରଣ ଖେଳିଯାଇଛି ।

ସୋସାଇଟିରେ ରହୁଥିବା ଲୋକ କହିଛନ୍ତି, ଟାୱାର-୨ର ଫ୍ଲାଟ୍ ନମ୍ବର- ୨୦୫ରେ ଦୁର୍ଗେଶ ପ୍ରସାଦଙ୍କ ପରିବାର ରହୁଥିଲେ । ଦୁର୍ଗେଶ ଜଣେ ଅବସରପ୍ରାପ୍ତ ଶିକ୍ଷକ । କରୋନା ସଂକ୍ରମିତ ହେବା ପରେ ଦୁର୍ଗେଶ ଘରେ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିଲେ । କିନ୍ତୁ ଗୋଟିଏ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପୂରା ବିଗିଡ଼ି ଗଲା । ଏହି ସମୟରେ ତାଙ୍କ ପତ୍ନୀ, ପୁଅ ଓ ବୋହୂ ମଧ୍ୟ କରୋନା ସଂକ୍ରମିତ ହୋଇଗଲେ ।

Four Member Of A Family Died In Corona Between 12 Days Ghaziabad

ଏହା ପରେ ଦୁର୍ଗେଶଙ୍କ ଘରେ ମୃତ୍ୟୁର ତାଣ୍ଡବ ଲୀଳା ଆରମ୍ଭ ହୋଇଥିଲା । ପ୍ରଥମେ ଏପ୍ରିଲ୍ ୨୭ରେ ଦୁର୍ଗେଶ ପ୍ରସାଦଙ୍କ ମୃତ୍ୟୁ ହୋଇଥିଲା । ମେ ୪ରେ ଦୁର୍ଗେଶଙ୍କ ପୁଅ ଅଶ୍ୱିନଙ୍କ ମୃତ୍ୟୁ ହୋଇଥିଲା । ଏହାର ଦିନକ ପରେ ଦୁର୍ଗେଶଙ୍କ ପତ୍ନୀ ଏବଂ ମେ ୭ରେ ଅଶ୍ୱିନଙ୍କ ପତ୍ନୀ କରୋନାରେ ପ୍ରାଣ ହରାଇଥିଲେ । ୧୨ ଦିନ ମଧ୍ୟରେ ଏମିତି ଉଜୁଡ଼ି ଯାଇଥିଲା ପୂରା ପରିବାର ।

ଏବେ ସେହି ଘରେ କେବଳ ଅଶ୍ୱିନଙ୍କ ୮ ଓ ୬ ବର୍ଷର ଦୁଇ ଝିଅ ବଞ୍ଚିଛନ୍ତି । ଏବେ ୨ ଛୁଆଙ୍କୁ ତାଙ୍କର ପିଉସୀ ଘର ବରେଲିକୁ ପଠାଇ ଦିଆଯାଇଛି । ଲୋକଙ୍କ ଅଭିଯୋଗ ହେଉଛି, ଠିକ୍ ସମୟରେ ଦୁର୍ଗେଶଙ୍କ ପରିବାରକୁ ସହାୟତା ମିଳିନଥିଲା । ଯେଉଁଥି ପାଇଁ ଆଜି ୨ ଛୁଆ ଅନାଥ ହୋଇ ଯାଇଥିବା ବେଳେ ପରିବାର ଉଜୁଡ଼ି ଯାଇଛି ।

Leave A Reply

Your email address will not be published.