Latest Odisha News

BREAKING NEWS

ବଳ ଫେରୁଛି ମହାବଳର : ସାତକୋଶିଆରେ ବାଘର ଅବସ୍ଥା ଏବେ ସ୍ୱାଭାବିକ

ଅନୁଗୁଳ : ମହାବଳ ବାଘର ବଳ ଏବେ ଫେରି ଆସିଲାଣି । ସୁଦୂର ମଧ୍ୟପ୍ରଦେଶର ‘କାହ୍ନା’ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟରୁ ଓଡ଼ିଶାର ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ଦୁଇଦିନ ହେବ ଆସିଥିଲା ଏକ ମହାବଳ ବାଘ । ଏବେ କିନ୍ତୁ ନିଶ୍ଚେତନ ଅବସ୍ଥାରୁ ସ୍ୱାଭାବିକ ଅବସ୍ଥାକୁ ଫେରିଛି ଓଡ଼ିଶାକୁ ଆଗନ୍ତ୍ୁକ ଏହି ବାଘଟି ।

ବନବିଭାଗର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏବେ ସ୍ୱାଭାବିକ ଭାବେ ବାଘଟି ଖିଆପିଆ କରିବା ସହିତ ଚଲାବୁଲା ମଧ୍ୟ କରିବାରେ ଲାଗିଛି ।

 

 

ତେବେ ସାତକୋଶିଆ ଅଭୟାରଣ୍ୟର ଅତିରିକ୍ତ ମୁଖ୍ୟ ବନସଂରକ୍ଷକ ସୁଦର୍ଶନ ପଣ୍ଡାଙ୍କ କହିବାନୁଯାୟୀ ବାଘଟି ଏବେ ସ୍ୱାଭାବିକ ଅବସ୍ଥାକୁ ଫେରିସାରିଛି । ମଧ୍ୟପ୍ରଦେଶରୁ ବାଘଟିକୁ ସାତକୋଶିଆକୁ ଅଣାଯିବା ପରେ ଟ୍ରାଙ୍କୁଲାଇଜର ଜରିଆରେ ବାଘଟିକୁ ଅଚେତ କରି ଦିଆଯାଇ ବାଘଟିକୁ ତାର ଜାଲି ମଧ୍ୟରେ ସଂରକ୍ଷଣ କରାଯାଇଥିଲା । ତେବେ ନିଶ୍ଚେତକ କମିଯିବା ପରେ ବାଘଟି ବେଶ୍ ଫୁର୍ତ୍ତି ଅନୁଭବ କରି ଚଲାବୁଲା କରିଥିଲା ।

ସାତକୋଶିଆ ଅଭୟାରଣ୍ୟର ଅତିରିକ୍ତ ମୁଖ୍ୟ ବନସଂରକ୍ଷକ (ପିସିସିଏଫ) କହିଛନ୍ତି, ବାଘଟିକୁ ରାତି ୨:୩୦ରେ ଏକ ଜୀଅନ୍ତା ବାରହାକୁ ଖାଦ୍ୟ ରୂପେ ଦିଆଯାଇଥିଲା । ବାରହାଟିକୁ ଅଧା ଖାଇଯିବା ପରେ ଅବଶିଷ୍ଟ ବଳକା ମାଂସ ପଡ଼ିରହିଛି । ବାଘଟି ଖାଦ୍ୟ ଖାଇବା ପରେ ବନବିଭାଗ ପକ୍ଷରୁ କରାଯାଇଥିବା କୃତ୍ରିମ ଜଳାଶୟରୁ ପାଣି ପିଇଥିଲା ।

ତିନିବର୍ଷ ବୟସର ଏହି ମହାବଳ ବାଘଟି ସ୍ୱାଭାବିକ ଭାବେ ଚଲାବୁଲା କରିବା ସହିତ ସାତକୋଶିଆର ନୂଆ ପରିବେଶରେ ନିଜକୁ ଖାପଖୁଆଇବାକୁ ଚେଷ୍ଟା କରୁଛି ।

ଅଭୟାରଣ୍ୟର ମୁଖ୍ୟ ବନ୍ୟଜନ୍ତୁ ୱାର୍ଡ଼ନ ସନ୍ଦିପ ତ୍ରିପାଠୀ ସୂଚନା ଦେଇ କହିଛନ୍ତି, ବ୍ୟାଘ୍ରଟିର ଚାଲିଚଳନ ଏବଂ ହାବଭାବକୁ ଆମେ ଭିଡ଼ିଓ ଉତ୍ତୋଳନ କରି ଲକ୍ଷ୍ୟ ରଖିଛୁ । ଏପରିକି ସାଟେଲାଇଟ ଟ୍ରାକର୍ ଏବଂ ଜିପିଏସ ବ୍ୟବସ୍ଥା କରାଯାଇ ବ୍ୟାଘ୍ରଟିର ପ୍ରତି ମୂହୁର୍ତ୍ତର ଗତିବିଧିକୁ ଆମେ ପରୀକ୍ଷା କରୁଛୁ । ଜୁଲାଇ ପ୍ରଥମ ସପ୍ତାହରେ ଏଠାକୁ ଏକ ବାଘୁଣୀ ଅଣାଯିବାର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ବନବିଭାଗ କର୍ତ୍ତୃପକ୍ଷ ।

ଏଠାରେ ସୂଚନାଯୋଗ୍ୟ ଅନୁଗୁଳ ଜିଲ୍ଲା ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟରୁ ଏକ ମହାବଳ ବାଘ ଏକ ସ୍ୱତନ୍ତ୍ର ଗାଡ଼ିରେ ଅଣାଯାଇଥିଲା ।

Leave A Reply

Your email address will not be published.