Latest Odisha News

BREAKING NEWS

ଭୁବନେଶ୍ୱର: ସହିଦନଗର ଥାନାରେ ପଶି ଅଭିଯୁକ୍ତ ଓ ପୋଲିସଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀର ସହିଦନଗର ଥାନା ଭିତରେ ପଶି ରବିବାର ରାତିରେ ଯେଉଁ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିବା ସହିତ ପୋଲିସ ଉପରେ ଆକ୍ରମଣ କରିଥିଲେ ସେହି ଅସାମାଜିକ ବ୍ୟକ୍ତିମାନଙ୍କୁ କମିଶନରେଟ ପୋଲିସ ଧରିବାକୁ ତନାଘନା ଉଦ୍ୟମ ଜାରି ରଖିଛି ।

ଥାନା ରିପୋର୍ଟରେ କୁହାଯାଇଛି ଯେ, ରବିବାର ରାତି ପ୍ରାୟ ୯ଟା ୩୦ ସମୟରେ ଭିଏସଏସ ନଗରସ୍ଥ ଜିଏଲ୍ କଲୋନୀରେ ଦୁଇଟି ଗାଡ଼ି ମଧ୍ୟରେ ଦୁର୍ଘଟଣା ହୋଇଥିଲା ଏବଂ ଏହାକୁ ନେଇ ୨ଜଣ ଗାଡ଼ି ମାଲିକଙ୍କ ମଧ୍ୟରେ ବଚସା ହୋଇ ମାଡ଼ଗୋଳ ହୋଇଥିଲା । ଏହା ଶୁଣି ସ୍ଥାନୀୟ ବିଜେଡ଼ି ନେତା ପ୍ରକାଶ ତ୍ରିପାଠୀ ଯିଏକି ଭିଏସଏସ ନଗରରେ ରୁହନ୍ତି, ଘଟଣାସ୍ଥଳକୁ ଆସି ଉଭୟ ପକ୍ଷ ମଧ୍ୟରେ ବୁଝାସୁଝା କରି ପରସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ବିଜେଡ଼ି ନେତା ପ୍ରକାଶ ତ୍ରିପାଠୀ ଆପୋଷ ସମାଧାନ କରୁଥିବା ବେଳେ ଉଭୟ ପକ୍ଷର ବ୍ୟକ୍ତିମାନେ ତାଙ୍କ ସହିତ ମାରପିଟ କରିଥିଲେ ।

ଏହି ଘଟଣାପରେ ଶ୍ରୀ ତ୍ରିପାଠୀ ସହିଦନଗର ଥାନା ଯାଇ ସେଠାରେ ଏକ ଅଭିଯୋଗ ଦାୟର କରିଥିଲେ । ଏହି ଘଟଣାର ଛାନଭିନ୍ନ କରୁଥିବା ପିସିଆର୍ ଭ୍ୟାନର ପୋଲସ ଦୁର୍ଘଟଣାସ୍ଥଳରୁ ତିନିଜଣଙ୍କୁ ଧରି ଥାନାକୁ ଆଣିଥିଲା ।

ପିସିଆର୍ ଭ୍ୟାନ ସହିଦନଗର ଥାନା ଆଗରେ ପହଞ୍ଚିବା ମାତ୍ରକେ ଆରମ୍ଭ ହୋଇଯାଇଥିଲା ଲଙ୍କାକାଣ୍ଡ । ସେଠାରେ ପୂର୍ବରୁ ଛିଡ଼ା ହୋଇରହିଥିବା ୮ରୁ ୧୦ ଜଣ ଯୁବକ ଅଚାନକ ୩ ଜଣ ଅଭିଯୁକ୍ତଙ୍କ ଉପରେ ଆକ୍ରମଣ କରିବା ସହିତ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀଙ୍କୁ ମଧ୍ୟ ଛାଡ଼ିନଥିଲେ । ପୋଲିସ ଏହି ଯୁବକମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ଥାନା ମଧ୍ୟରେ ପଶି ଦୁବୃର୍ତ୍ତମାନେ ଭଙ୍ଗାରୁଜା କରିଥିଲେ ଏବଂ ଏଏସଆଇ ଏମସିଏଜ ମୁର୍ମୁଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ।

ଏପରିକି ଥାନା ଇନିସପେକ୍ଟର ବିରଞ୍ଚି ପତି ଯୁବକଙ୍କୁ ଏହା ନକରିବାକୁ ବୁଝାଉଥିବା ବେଳେ ତାଙ୍କୁ ମଧ୍ୟ ଉତ୍ୟକ୍ତ ଯୁବକମାନେ ମାରଧର କରିବାକୁ ପଛାଇ ନଥିଲେ ବୋଲି ସୂଚନା ମିଳିଛି ।

ପରେ ଯୁବକମାନେ ଥାନାରେ ଥିବା ଫୁଲକୁଣ୍ଡ, ଟିଭି ସେଟ, ଟେଲିଫୋନ ତଥା ସିସିଟିଭି କ୍ୟାମେରାକୁ ଭାଙ୍ଗି କ୍ଷତିଗ୍ରସ୍ତ କରିଥିଲେ । ବାହାରେ ଥିବା କିଛି ବ୍ୟକ୍ତି ମଧ୍ୟ କହିଛନ୍ତି ଶ୍ରୀ ତ୍ରିପାଠୀଙ୍କ ସମର୍ଥକମାନେ ମଧ୍ୟ ଥାନାକୁ ଟେକା ପଥର ପକାଇଛନ୍ତି । ଏହିପରି ଏକଘଣ୍ଟା ଧରି ରାତିରେ ଖଣ୍ଡଯୁଦ୍ଧ ଚାଲିଥିବାର ସୂଚନା ମିଳିଛି ।

କିଛିସମୟପରେ ଥାନାରେ ୩ ପ୍ଲାଟୁନ ପୋଲିସ ଫୋର୍ସ ପହଞ୍ଚିଥିଲେ । ସେମାନେ ୬ ଜଣ ଯୁବକଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।

ଏହି ଘଟଣା ସମ୍ପର୍କରେ ପୋଲିସ କମିଶନର ସତ୍ୟଜିତ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି, ଏହି ଅପରାଧ ଘଟାଇଥିବା ସମସ୍ତ ଅପରାଧିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । “ପୋଲିସ ସିସିଟିଭି ଯାଞ୍ଚ କରିଛି, ଅପରାଧିଙ୍କୁ ଚିହ୍ନଟ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କର୍ତ୍ତବ୍ୟରତ ପୋଲିସଙ୍କୁ ଆକ୍ରମଣ କରିବା ଏହା ଏକ ନିନ୍ଦନୀୟ ଅପରାଧ ଏବଂ ଏହାକୁ କୌଣସି ମତରେ ସହ୍ୟ କରାଯିବ ନାହିଁ,” ବୋଲି ସେ କହିଛନ୍ତି ।

Leave A Reply

Your email address will not be published.