Latest Odisha News

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ତାଗିଦ୍, ନକଲି ଔଷଧ କାରବାରକୁ କରାଯିବନି ବରଦାସ୍ତ

ଭୁବନେଶ୍ବର : ରାଜ୍ୟରେ ନକଲି କରୋନା ଔଷଧ କାରବାରକୁ କରାଯିବନି ବରଦାସ୍ତ । ନକଲି ଔଷଧ କାରବାର କରୁଥିବା ବ୍ୟବସାୟୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଆଜି ନକଲି ଔଷଧ ବ୍ୟବସାୟୀଙ୍କ ଏପରି କଡ଼ା ଚେତାବନୀ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । କଟକରେ ନକଲି ଔଷଧ ଧରାପଡିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ତନାଘନା ।

ମନ୍ତ୍ରୀଙ୍କ କହିବା ଅନୁସାରେ, କେଉଁ ଜିଲ୍ଲାକୁ ନକଲି ଔଷଧ ଯୋଗାଣ ହୋଇଛି, ତାର କଡ଼ା ଯାଞ୍ଚ ପାଇଁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଏହାସହ ଜବତ ଔଷଧର ନମୂନା ପରୀକ୍ଷା ପାଇଁ ଭୁବନେଶ୍ବର ଓ କୋଲକାତାର ଲାବୋରେଟୋରିକୁ ପଠାଯାଇଛି । ଏହାସହ ଆଗକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଗତକାଲି ଅନେକ ସ୍ଥାନରେ ଚଢ଼ାଉ କରି ନକଲି ଔଷଧ ଜବତ କରିଛି ପୋଲିସ । ପୋଲିସ ଓ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି ।

ଗତ ଶୁକ୍ରବାର ଦିନ କଟକ କନିକା ଛକରେ ଥିବା ଏକ ମେଡିସିନ୍ ହୋଲସେଲରରୁ ୬୯ ଲକ୍ଷ ଟଙ୍କାରୁ ଅଧିକ ନକଲି କରୋନା ଔଷଧ ଜବତ କରାଯାଇଥିଲା । ଏହି ଘଟଣା ଜଣାପଡିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଗତକାଲି ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲା ଚଢ଼ାଉ କରାଯାଇ ନକଲି ଔଷଧ ଜବତ କରାଯାଇଛି ।

Comments are closed.