Latest Odisha News

BREAKING NEWS

ରାଉରକେଲା ଲେପ୍ରୋସି କଲୋନିରେ ୩୯୨ ଜଣଙ୍କ ସ୍କ୍ରିନିଂ, ହିତାଧିକାରୀଙ୍କୁ ମିଳିବ କୃତ୍ରିମ ଅଙ୍ଗ ଓ ସହାୟକ ଉପକରଣ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ପକ୍ଷରୁ ସହରର ୬ଟି ଲେପ୍ରୋସି କଲୋନି ପାଇଁ ସ୍କ୍ରିନିଂ କ୍ୟାମ୍ପ କରାଯାଇଛି । ଯେଉଁମାନେ କୁଷ୍ଠ ରୋଗରୁ ସୁସ୍ଥ ହୋଇ ମଧ୍ୟ ଶାରୀରିକ ବିକୃତି ଭୋଗୁଛନ୍ତି, ସେମାନଙ୍କ ସୁବିଧା ପାଇଁ ଆଗେଇ ଆସିଛି ପ୍ରଶାସନ । ସମାଜରେ ସମ୍ମାନର ସହ ବଞ୍ଚିବା ଏବଂ ସେମାନଙ୍କର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ପାଇଁ ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ଓ ଆନୁଷଙ୍ଗିକ ଉପକରଣ ଯୋଗାଇ ଦିଆଯିବ ।

ଲେପ୍ରୋସି ହିତାଧିକାରୀମାନଙ୍କର କମ୍ପ୍ୟୁଟର ସ୍କାନିଂ କରାଯାଇ ଥ୍ରୀଡି ମଡେଲରେ କୃତ୍ରିମ ଅଙ୍ଗ ପ୍ରସ୍ତୁତ କରାଯାଉଛି । ସୁନ୍ଦରଗଡ଼ ସ୍ଥିତ ଏଆର୍‌ସିଠାରେ କୃତ୍ରିମ ଅଙ୍ଗ ପ୍ରସ୍ତୁତ କରାଯାଇ ଖୁବ୍ ଶୀଘ୍ର ସେମାନଙ୍କୁ ପ୍ରଦାନ କରାଯିବ। ଏହାଛଡ଼ା ଏହାର ବ୍ୟବହାର ଏବଂ ଆବଶ୍ୟକ ଫିଜିଓଥେରାପି ବିଷୟରେ ସେମାନଙ୍କୁ ତାଲିମ ଦିଆଯିବ । କୃତ୍ରିମ ଅଙ୍ଗ ବ୍ୟବହାର ଫଳରେ ସେମାନେ ସମାଜରେ ସ୍ୱାଭିମାନର ସହ ବଞ୍ଚିପାରିବେ । ତା’ ଛଡ଼ା ସେମାନେ ପ୍ରତିଦିନ ଯେଉଁ ଯନ୍ତ୍ରଣା ଭୋଗୁଥିଲେ, ତାହା ମଧ୍ୟ କମ୍ ହୋଇପାରିବ ବୋଲି କହିଛନ୍ତି ରାଉରକେଲା ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡ଼ା ।

ଏହି କ୍ୟାମ୍ପରେ ସହରର ବିଭିନ୍ନ ଲେପ୍ରୋସି କଲୋନିର ମୋଟ ୩୯୨ ଜଣ ହିତାଧିକାରୀଙ୍କର ସ୍କ୍ରିନିଂ କରାଯାଇଥିଲା । ଯେଉଁ ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ଦିଆଯିବ, ସେମାନଙ୍କ ଅଙ୍ଗର ମାପଚୁପ କରାଯିବା ସହ କାହାକୁ କେଉଁ ଅଙ୍ଗ ମିଳିବ, ତାହାର ତାଲିକା ପ୍ରସ୍ତୁତ ହୋଇଥିଲା। ଏଥିରେ କୃତ୍ରିମ ଅଙ୍ଗ ପାଇଁ ୨୭ ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାଛଡ଼ା ୨ ଜଣଙ୍କୁ ହୁଇଲ୍ ଚେୟାର, ୪୧ ଜଣଙ୍କୁ ସର୍ଜିକାଲ ଜୋତା ଓ ୧୭୫ ଜଣଙ୍କୁ ଭିନ୍ନକ୍ଷମ ପରିଚୟପତ୍ର ଯୋଗାଇ ଦେବା ପାଇଁ ନାମ ତାଲିକା ପ୍ରସ୍ତୁତ କରାଯାଇଛି।

ଏହି ରୋଗ ଯୋଗୁଁ ଯେଉଁମାନଙ୍କର ହାତ ଗୋଡ଼ ନାହିଁ, ସେମାନଙ୍କୁ କୃତ୍ରିମ ଅଙ୍ଗ ମିଳିବ । ଏହା ଆମ ପାଇଁ ବଡ଼ ସହାୟକ ହେବ । ଯେଉଁମାନଙ୍କର ଭିନ୍ନକ୍ଷମ ପ୍ରମାଣପତ୍ର ନାହିଁ, ସେମାନଙ୍କୁ ଏହି କୃତ୍ରିମ ଅଙ୍ଗ ମଧ୍ୟ ମିଳିବ। ପ୍ରଶାସନ ଏବଂ ସରକାରଙ୍କ ପକ୍ଷରୁ ଏହି ଯେଉଁ ବ୍ୟବସ୍ଥା କରାଯାଉଛି, ସେଥିରେ ବେଶ ଖସି ଅନୁଭବ କରିଛନ୍ତି ଓଡ଼ିଶା କୁଷ୍ଠରୋଗ ଆକ୍ରାନ୍ତଙ୍କ ସଂଘର ସଭାପତି ଉମେଶ ଚନ୍ଦ୍ର ନାୟକ ।

ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ତଥା ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଛି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର । ସୁନ୍ଦରଗଡ଼ ସମେତ ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲାର ଭିନ୍ନକ୍ଷମଙ୍କ ସଶକ୍ତିକରଣ ପାଇଁ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏଠାରେ କମ୍ପ୍ୟୁଟର ଆଧାରିତ କୃତ୍ରିମ ଅଙ୍ଗ ପ୍ରସ୍ତୁତି ସହ ଅତ୍ୟାଧୁନିକ ରୋବୋଟିକ୍ ଫିଜିଓଥେରାପି ଚିକିତ୍ସା ଯୋଗାଇ ଦିଆଯାଉଛି ।

Comments are closed.