ରଥଯାତ୍ରାର କିଛି କିମ୍ବଦନ୍ତୀ ଓ କଥା
୧. ରଥଯାତ୍ରାର ଐତିହ୍ୟ କ’ଣ ?
ଶ୍ରୀମନ୍ଦିର ମହାପ୍ରଭୁଙ୍କ ଆବାସ ସ୍ଥଳ ଏବଂ ଗୁଣ୍ଡିଚା ଘର ତାଙ୍କର ପ୍ରକଟ ହୋଇଥିବାର ସ୍ଥାନ । ସ୍କନ୍ଦ ପୁରାଣରେ ବର୍ଣ୍ଣିତ ତଥ୍ୟ ଅନୂଯାୟୀ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଚତୁର୍ଦ୍ଦାମୂର୍ତ୍ତିଙ୍କୁ ଶ୍ରୀମନ୍ଦିରରେ ସ୍ଥାପନା କଲା ପରେ ମହାପ୍ରଭୁ ସ୍ୱୟଂ ବର୍ଷରେ ଥରେ ନିଜ ଜନ୍ମସ୍ଥାନକୁ ଯାତ୍ରା କରିବା ପାଇଁ ଇଛା ପ୍ରକାଶ କରିଥିଲେ । ସେହି କାଳରୁ ରଥଯାତ୍ରା ନିୟମିତ ଅନୁଷ୍ଠିତ ହେଉଅଛି । ଏହାର ପ୍ରାଚୀନତା ଉପରେ କୌଣସି ସନ୍ଦେହ ନାହିଁ ।
୨. ଶ୍ରୀଜଗନ୍ନାଥଙ୍କୁ ଅନ୍ୟ କେଉଁ ରୂପରେ ପୂଜା କରାଯାଏ?
ମହାପ୍ରଭୁ ଶ୍ରୀଜଗନ୍ନାଥ ଦାରୁ ରୂପରେ ଶ୍ରୀମନ୍ଦିରରେ ପୂଜା ପାଆନ୍ତି । ଅଣସର କାଳରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ପ୍ରତିମା ଯାହାକୁ
ପଟିଦିଁଅ ବୋଲି କୁହାଯାଏ ସେହି ରୂପରେ ପୂଜିତ ହୁଅନ୍ତି । ପୁନଶ୍ଚ ଖୋର୍ଦ୍ଧା ନିକଟସ୍ଥ ଏକ ଗ୍ରାମରେ ହାତ ଓ ପାଦଯୁକ୍ତ ପ୍ରସ୍ତର ମୂର୍ତ୍ତି ରୂପରେ ମଧ୍ୟ ପୂଜା ପାଉଛନ୍ତି ।
୩. ରଥଯାତ୍ରାର ଅନ୍ୟ କେଉଁ ସବୁ ନାମ ରହିଛି ?
ଶ୍ରୀଗୁଣ୍ଡିଚା ଯାତ୍ରା, ଘୋଷ ଯାତ୍ରା, ନବଦିନାତ୍ମକ ଯାତ୍ରା, ପତିତପାବନ ଯାତ୍ରା, ଦଶାବତାର ଯାତ୍ରା ଇତ୍ୟାଦି ।
୪. ଅଣସରର ତାତ୍ପର୍ଯ୍ୟ କ’ଣ ?
ଶ୍ରୀମନ୍ଦିରର ଚତୁର୍ଦ୍ଧାମୂର୍ତ୍ତି ଦାରୁ ବିଗ୍ରହ ହେଇଥିବାରୁ ନିୟମିତ ବ୍ୟବଧାନରେ ଏହି ବିଗ୍ରହମାନଙ୍କ ଅବୟବରେ କିଛି ଉପଚାର ଆବଶ୍ୟକ ପଡ଼େ । ଲୋକାଚାରରେ ସ୍ନାନପୂର୍ଣ୍ଣିମୀରେ ଜଳଲାଗି ଜନିତ ଜ୍ୱର ଏବଂ ତହିଁର ଉପଚାର କଥା ପ୍ରଚଳିତ ଥିବାବେଳେ ପ୍ରକୃତରେ ବିଗ୍ରହମାନଙ୍କୁ ଦୀର୍ଘସ୍ଥାୟୀ କରିବା ପାଇଁ କିଛି ଗୁପ୍ତସେବା କରାଯାଏ ।
୫. ପହଣ୍ଡି ଶବ୍ଦର ଅର୍ଥ କ’ଣ ? ଏହା ଏକ ଅପଭ୍ରଂଶିତ ଶବ୍ଦ କି ?
‘ପହଣ୍ଡ’ ଶବ୍ଦର ଅର୍ଥ ପଦପାତ । ଓଡ଼ିଆ ଭାଷାରେ ପାହୁଣ୍ଡ ଶବ୍ଦ ମଧ୍ୟ ସେହି
ଅର୍ଥରେ ପ୍ରଚଳିତ । ପାଦବିହୀନ ଦାରୁମୂର୍ତ୍ତି ପହଣ୍ଡିରେ ଆସିଲାବେଳେ ଯେମିତି ତାଙ୍କୁ ଅଣାଯାଏ, ସତେ କି ପାହୁଣ୍ଡ ପକାଇ ଆସୁଛନ୍ତି ସେହିଭଳି ପ୍ରତ୍ୟୟ ହୁଏ ।
୬.ଛେରାପହଁରା କାହିଁକି କରାଯାଏ?
ଶ୍ରୀବିଗ୍ରହମାନେ ପହଣ୍ଡି ହୋଇ ଆସି ବସିବା ପରେ ଗଜପତି ମହାରାଜାଙ୍କ ଦ୍ୱାରା ଏହା କରାଯାଏ । ନିଜ ମନରେ ଅହଙ୍କାରକୁ ଓଳେଇ ସଫା କରି ସମର୍ପଣ ଭାବ ଏହି ସେବା ଦ୍ୱାରା ପ୍ରମାଣିତ ହୋଇଥାଏ । ସ୍ୱଚ୍ଛତା ଓ ପବିତ୍ରତା ରକ୍ଷା ଏହି ସେବାର ଅନ୍ୟ ଏକ ବାର୍ତ୍ତା ।
୭.ରଥଯାତ୍ରାର କେଉଁ ସେବକଙ୍କ ମୁଖ୍ୟ ଭୂମିକା ରହିଥାଏ?
ରଥଯାତ୍ରାରେ ଦେଉଳ ପୁରୋହିତ, ଦଇତା, ପତିମହାପାତ୍ର, ଦତ୍ତ ମହାପାତ୍ର, ଶୁଦ୍ଧସୁଆର, କୋଠସୁଆଁସିଆ, ରାଜବୈଦ୍ୟ ପ୍ରଭୃତି ସେବକଙ୍କ ମୁଖ୍ୟ ଭୂମିକା ରହିଥାଏ ।
୮.ଦଇତା ସେବାର ଅବଧି କେତେ ଦିନ?
ଦଇତା ସେବାର ଅବଧି ପ୍ରାୟ ଏକ ମାସ ଅଟେ । ସ୍ନାନ ପୂର୍ଣ୍ଣମୀର ଦୁଇଦିନ ପୂର୍ବରୁ ସେମାନେ ଦେଉଳ ପ୍ରବେଶ କରିଥାନ୍ତି ଏବଂ ନୀଳାଦ୍ରି ବିଜେ ଦିନ ବିଗ୍ରହମାନଙ୍କୁ ରତ୍ନସିଂହାସନରେ ରୁନ୍ଧାହେବା ପର୍ଯ୍ୟନ୍ତ ସେମାନଙ୍କ ସେବା ରହିଥାଏ । ଏହା ପରଦିନ ଶୟନ ପୂର୍ଣ୍ଣମୀ ହୋଇଥାଏ ।
୯. ରଥ ନିର୍ମାଣର ଅବଧି କେତେ ଦିନ? ଏଥିରେ କେଉଁ ସେବକଙ୍କ ଯୋଗଦାନ ରହିଥାଏ ?
ରଥ ନିର୍ମାଣର ଅବଧି ପ୍ରାୟ ଅଠଚାଳିଶ ଦିନ । ଅକ୍ଷୟ ତୃତୀୟାଠାରୁ ଉଭା ଅମାବସ୍ୟା ପର୍ଯ୍ୟନ୍ତ । ଏଥିରେ ଅମିନ, ବଢେଇ, କମାର, ଚିତ୍ରକାର, ରୂପକାର, ଦରଜୀ ଓ ଭୋଇ ଇତ୍ୟାଦି ସାତ ପ୍ରକାର ସେବକଙ୍କ ଯୋଗଦାନ ରହିଥାଏ । ଏମାନଙ୍କୁ ‘ସପ୍ତରଥୀ’ ମଧ୍ୟ କୁହାଯାଏ ।
୧୦. ଗୁଣ୍ଡିଚାଘରର ଐତିହ୍ୟ କ’ଣ ?
ଚତୁର୍ଦ୍ଧମୂର୍ତ୍ତିଙ୍କ ଆଦ୍ୟ ନିର୍ମାଣ ଏହିଠାରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଦ୍ୱାରା ହୋଇଥିଲା । ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କ ଦ୍ୱାରା ଶ୍ରୀବିଗ୍ରହଙ୍କ ପ୍ରତିଷ୍ଠା ହୋମ ମଧ୍ୟ ଏହି କ୍ଷେତ୍ରରେ ସଂପନ୍ନ ହୋଇଥିଲା । ଏହାକୁ ମହାପ୍ରଭୁଙ୍କ ଜନ୍ମବେଦୀ ବୋଲି କୁହାଯାଏ ।
୧୧. ଅଧରପଣା ତିନି ରଥରେ କାହିଁକି କେଉଁ ଦିନ ଲାଗି କରାଯାଏ?
ଆଷାଢ ଶୁକ୍ଳ ଦ୍ୱାଦଶୀ ତିଥିରେ ତିନି ରଥ ଉପରେ ସ୍ୱତନ୍ତ୍ର ଭାବେ ଗଢ଼ାଯାଇଥିବା ହାଣ୍ଡିରେ ଅଧର ପଣା ଅର୍ପଣ ହୋଇ ସେ ହାଣ୍ଡିମାନ ଭାଙ୍ଗି ଦିଆଯାଏ । ଶ୍ରୀବିଗ୍ରହମାନଙ୍କ ରଥ ସାଙ୍ଗରେ ଥିବା ଅଶରୀରୀ ଆତ୍ମାମାନଙ୍କ ତୃଷା ନିବାରଣାର୍ଥେ ଏହି ପଣା ହାଣ୍ଡି ଭାଙ୍ଗି ଦିଆଯାଏ ।
୧୨. ସୁନାବେଶର ଅନ୍ୟ ନାମ କ’ଣ? ଏହା କାହିଁକି କରାଯାଏ?
ସୁନାବେଶର ଅନ୍ୟନାମ ବଡ଼ତଡ଼ାଉ ବେଶ । ତଡ଼ାଉ ଶବ୍ଦର ଅର୍ଥ ଅଳଙ୍କାର । ପୂର୍ବେ ଗଜପତି ରାଜାମାନେ ଗଙ୍ଗଠାରୁ ଗୋଦାବରୀ ଜୟ କରି ଅନେକ ଧନରତ୍ନ ଆଣି ମହାପ୍ରଭୁଙ୍କ ନିକଟରେ ଅର୍ପଣ କରୁଥିଲେ । ଶ୍ରୀମନ୍ଦିର ମୁଖ୍ୟ ଭଣ୍ଡାରରେ ଗଚ୍ଛିତ କେତେଗୋଟି ର୍ଦୁମୂଲ୍ୟ ରାଜମୁକୁଟ ଏହାର ପ୍ରମାଣ । ସେହି ଯୁଦ୍ଧ ଅର୍ଜିତ ସୁନାରେ ଶ୍ରୀବିଗ୍ରହମାନଙ୍କୁ ସଜାଇ
ସେମାନେ ନିଜକୁ କୁତାର୍ଥ ମଣୁଥିଲେ । ଆହୁରି ଅନ୍ୟ ପ୍ରାଦେଶିକ ରାଜା ଏବଂ ଧନାଢ୍ୟ ବ୍ୟକ୍ତିବିଶେଷ ମଧ୍ୟ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁନା ରୂପା ଓ ମୂଲ୍ୟବାନ ପଥର ଇତ୍ୟାଦି ଦାନ କରିଥାଆନ୍ତି । ଏଣୁ ଐଶ୍ୱର୍ଯ୍ୟ ପ୍ରଦର୍ଶନ ସହିତ ତ୍ୟାଗ ଓ ସମର୍ପଣ ଭାବ ମଧ୍ୟ ଏହି ବେଶର ପ୍ରତୀକ ।
କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯
Comments are closed.