କଟକ : କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ଘଟଣାରେ ତନାଘନା । ତୁଷାରଙ୍କର କେମିତି ମୃତ୍ୟୁ ହେଲା ? ତାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ସେନେଇ ଛାନବିନ୍ କରୁଛି ପୋଲିସ । ଏହି ଘଟଣାକୁ ନେଇ ପରିବାର ଲୋକ କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦେଇଛନ୍ତି । ତୁଷାରଙ୍କ ମୃତ୍ୟୁ ପାଇଁ ବାନଦ୍ଧବୀ, ତାଙ୍କ ଭଉଣୀ, ୩ ଜଣ ସମ୍ପର୍କୀୟ ଭାଇ ଓ ବାନ୍ଧବୀଙ୍କ ପୁରୁଷ ବନ୍ଧୁ ଦାୟୀ ବୋଲି ଏତଲାରେ ଦର୍ଶାଇଛନ୍ତି ପରିବାର ଲୋକେ ।
ଗତକାଲି ଯୋବ୍ରା ନିକଟରୁ ତୁଷାରଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ, ଏବେ ସାମ୍ନାକୁ ଆସିଛି ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ । ତୁଷାରକାନ୍ତ ଓ ବାନ୍ଧବୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ହେଲେ ପ୍ରେମ ସମ୍ପର୍କକୁ ନେଇ ଅନ୍ୟ ଜଣେ ପୁରୁଷ ବନ୍ଧୁ ଉତକ୍ଷିପ୍ତ ହୋଇଥିଲେ । ଯାହାକୁ ନେଇ ବାନ୍ଧବୀଙ୍କ ଠାରୁ ସମ୍ପର୍କ ଛିନ୍ନ କରି ଦେଇଥିଲେ ଅନ୍ୟ ଜଣେ ପୁରୁଷ ବନ୍ଧୁ । ତେବେ ଏହି ଘଟଣା ପାଇଁ ବାନ୍ଧବୀ ଜଣକ ତୁଷାରକାନ୍ତଙ୍କୁ ଦାୟୀ କରିଥିଲେ । ଏଥିପାଇଁ ସଂପୃକ୍ତ ପୁରୁଷ ବନ୍ଧୁଙ୍କୁ କ୍ଷମା ମାଗିବାକୁ ତୁଷାରଙ୍କୁ ବାରମ୍ବାର ଚାପ ପକାଉଥିଲେ ବାନ୍ଧବୀ ଜଣକ । ଘଟଣା ପାଇଁ ତୁଷାର କ୍ଷମା ମଧ୍ୟ ମାଗିଥିଲେ ।
କିନ୍ତୁ ମଙ୍ଗଳବାର ସଂଧ୍ୟାରେ ପୁଣି ଥରେ ବାନ୍ଧବୀ ଜଣକ, ତାଙ୍କ ଭଉଣୀ ଓ ୩ ଜଣ ସମ୍ପର୍କୀୟ ଭାଇ ତୁଷାରଙ୍କୁ ସତ୍ୟବ୍ରତ ଷ୍ଟାଡିୟମ ନିକଟକୁ ଡକାଇ ସଂପୃକ୍ତ ପୁରୁଷ ବନ୍ଧୁଙ୍କୁ ଆଉ ଥରେ କ୍ଷମା ମାଗିବାକୁ ବାଧ୍ୟ କରିଥିଲେ । ହେଲେ କ୍ଷମା ମାଗିବାକୁ ରାଜି ହୋଇନଥିଲେ ତୁଷାର । ଯାହାକୁ ନେଇ ବାନ୍ଧବୀଙ୍କର ଜଣେ ସମ୍ପର୍କୀୟ ଭାଇ ତୁଷାରଙ୍କୁ ମାଡ଼ ମାରିଥିଲେ । ଏସବୁ ଘଟି ସାରିବା ପରେ ସେହି ଦିନ ତୁଷାର ଗାଡି ନେଇ ଘରୁ ବାହାରକୁ ଯାଇଥିଲେ । ହେଲେ ଆଉ ଫେରିନଥିଲେ । ଶେଷରେ ଗତକାଲି ଯୋବ୍ରାରୁ ଜବତ ହୋଇଥିଲା ତୁଷାରଙ୍କ ମୃତଦେହ । ତୁଷାର ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣା ସହ ସଂପୃକ୍ତ ତୁଷାରଙ୍କ ବାନ୍ଧବୀ, ତାଙ୍କ ଭଉଣୀ, ୩ ଜଣ ସମ୍ପର୍କୀୟ ଭାଇ ଓ ପୁରୁଷ ବନ୍ଧୁଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ପରିବାର ଲୋକ ଦାବି କରିଛନ୍ତି ।
Comments are closed.