Latest Odisha News

ଧର୍ମେନ୍ଦ୍ର ବିଜେପୁରରେ ନବୀନଙ୍କ ସହ ଲଢନ୍ତୁ: ସୁବାସ ଚୌହାନ

ଭୁବନେଶ୍ୱର: ପୂର୍ବଥର ପରି ଏଥର ମଧ୍ୟ ବରଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ଦୀର୍ଘ ବର୍ଷ ଧରି ଅଣ୍ଟାଭିଡ଼ି ଅପେକ୍ଷା କରିଥିଲେ ବରଗଡ଼ ବିଜେପିର ଲୋକପ୍ରିୟ ନେତା ସୁବାସ ଚୌହାନ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ଦୀର୍ଘ ୩୦ ବର୍ଷ ଧରି ପ୍ରଚାରକ ଦାୟିତ୍ୱ ବହନ କରି ସମାଜସେବା କରିଥିବା ସୁବାସ ଚୌହାନ ବିଜେପିରେ ଯୋଗଦେବା ସହିତ ସକ୍ରୀୟ ରାଜନୀତିରେ ଅଂଶଗ୍ରହଣ କରିଥିଲେ ୨୦୧୪ ସାଧାରଣ ନିର୍ବାଚନରେ । ସେ ମଧ୍ୟ ସେହି ନିର୍ବାଚନରେ ବରଗଡ଼ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଭାବେ ୩,୭୨,୦୦୦ ଭୋଟ ପାଇ ଓଡ଼ିଶା ରାଜନୀତିରେ ହଇଚଇ ସୃଷ୍ଟି କରିଥିଲେ । ମାତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟପ୍ରକଟ କରି ବିଜେପି ଏଥର ବରଗଡ଼ ଲୋକସଭା ଆସନ ଟିକଟ ସୁବାସଙ୍କୁ ନଦେବାରୁ ସ୍ଥାନୀୟ ବିଜେପି କର୍ମକର୍ତ୍ତାଙ୍କ ସମେତ ସ୍ୱୟଂ ସୁବାସଙ୍କୁ ବ୍ୟଥିତ କରିଛି । ଅବଶ୍ୟ ତାଙ୍କୁ ସନ୍ତୁଷ୍ଟ କରିବାକୁ ତରବରିଆ ଭାବେ ରାଜ୍ୟ ଉପ ସଭାପତି ପଦବୀରେ ଥଇଥାନ କରାଯାଇଛି ।

ତାଙ୍କୁ ଟିକଟ ନଦେବାରୁ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଉପରେ କ୍ଷୁବ୍ଧ ରହିଥିବା ମଧ୍ୟ ସୋସିଆଲ୍ ମିଡ଼ିଆରେ ପ୍ରକାଶ କରିଛନ୍ତି ।

“ମୁଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ଭାବରେ ଦୀର୍ଘ ୩୦ ବର୍ଷ ଧରି ରାଷ୍ଟ୍ରସେବା କରିବାର ସୁଯୋଗ ପାଇଛି ।ପରେ ବିଜେପିରେ ଯୋଗଦାନ କରି ୨୦୧୪ର ଲୋକସଭା ନିର୍ବାଚନ ଲଢ଼ି ଓଡ଼ିଶାର ବିଜେପି ପ୍ରାର୍ଥୀ ମାନଙ୍କ ଭିତରେ ସର୍ବାଧିକ ୩,୭୨,୦୦୦ ଭୋଟ ଦେଇ ଲୋକେ ସମର୍ଥନ କଲେ ।ମୁଁ ନିର୍ବାଚନ ହାରିଲା ପରେ ମଧ୍ୟ ଲଗାତାର ୫ବର୍ଷ ପରିଶ୍ରମ କରି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ଜନତାଙ୍କର ସୁଖ ଦୁଃଖର ସାଥୀ ହେଲି । ବିଜେପି କୁ ଅକୁଣ୍ଠ ସମର୍ଥନ ଦେବାପାଇଁ ବରଗଡ଼ ଲୋକସଭା ବାସୀ ଏଥର ପ୍ରସ୍ତୁତ ହେଉଥିବା ବେଳେ ମୋର ବରଗଡ଼ ଲୋକସଭା ଟିକଟ କାଟି ଦିଆଗଲା ।ଜନସାଧାରଣଙ୍କ ଭିତରେ ଏହାର ତୀବ୍ର ପ୍ରତିକ୍ରିୟା ତଥା ସମାଲୋଚନା ହେଲା ।ପାର୍ଟିର ବରିଷ୍ଠ ନେତାମାନେ ମୋର କାର‌୍ୟ୍ୟକର୍ତା ତଥା ଜନତାଙ୍କୁ ଧମକ ଚମକ ଦେଲେ ।କିନ୍ତୁ ଅପମାନର ସୀମା ଟପିଗଲା ।
ଯାହାବି ହେଉ ପାର୍ଟି ଚାପର ବଶବର୍ତ୍ତୀ ହୋଇ ମତେ ପ୍ରଦେଶର ଉପସଭାପତି ଦାୟିତ୍ୱ ଦେଲା ଏବଂ ବିଜେପୁର ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ନିର୍ଦ୍ଦେଶ ଦେଲା । କିନ୍ତୁ ବିଜେପୁର ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଲଢ଼ୁଥିବା କାରଣରୁ ଧର୍ମେନ୍ଦ୍ର ବାବୁଙ୍କ ଭଳି ଜଣେ ବିତ୍ତଶାଳୀ,ଶକ୍ତିଶାଳୀ ଲୋକ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତାବ ଦେଇଥିଲି ।କିନ୍ତୁ ଫଳ ଓଲଟା ହେଲା ।ଏହା ପଶ୍ଚିମ ଓଡିଶାର ଅବିସି ସମାଜ ପ୍ରତି ଘୋର ଅପମାନ ସଂଗଠନ ରେ ଅଛି ରହିବି ଓ ଲୋକଙ୍କ ସେବା କରିବି ମୋ ପ୍ରତି ଅତୁଟ ବିଶ୍ୱାସ ରଖିଥିବା ପଶ୍ଚିମ ଓଡ଼ିଶା ବାସୀଙ୍କୁ କୃତଜ୍ଞତା ଜଣାଉଛି ।”

ବରଗଡ଼ ଅଞ୍ଚଳର ଲୋକପ୍ରିୟ ବିଜେପି ନେତା ସୁବାସ ଚୌହାନ ଧର୍ମେନ୍ଦ୍ରଙ୍କୁ ମଧ୍ୟ କ୍ଷୁବ୍ଧ ହୋଇ ପ୍ରସ୍ତାବ ଦେଇଛନ୍ତି ଯେ, ବିଜେପୁର ଆସନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢୁଛନ୍ତି ଏବଂ ଧର୍ମେନ୍ଦ୍ର ପ୍ରଧାନ ବିତ୍ତଶାଳୀ ଓ ଶକ୍ତିଶାଳୀ ବ୍ୟକ୍ତି ହୋଇଥିବା ଯୋଗୁଁ ସେ ବିଜେପୁରରେ ନବୀନଙ୍କ ବିରୋଧରେ ନିର୍ବାଚନ ଲଢିବା ଆବଶ୍ୟକ । ଅବଶ୍ୟ ସୁବାସଙ୍କୁ ନବୀନଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ବିଜେପି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା, ମାତ୍ର ସେ ଏଥିରେ ଆଦୌ ରାଜି ହୋଇନଥିଲେ । ଯେହେତୁ ସୁବାସ ଚୌହାନ ଦୀର୍ଘ ୫ ବର୍ଷ ଧରି ଦଳର ତୃଣମୂଳସ୍ତରରେ ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟ କରିଆସିଛନ୍ତି ତେଣୁ ସେ ବରଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ଆଶାୟୀ ଥିଲେ ।

ବିଜେପି ନେତା ସୁବାସ ଚୌହାନଙ୍କ ପରି ନେତାଙ୍କୁ ଟିକଟ ଦିଆ ନଯିବା ଯୋଗୁଁ ଅନେକ ବିଜେପି ନେତାଙ୍କ ସମେତ ବରଗଡ଼ ଜନସାଧାରଣଙ୍କୁ ବିସ୍ମିତ କରିଛି । ହୁଏତ ସୁବାସଙ୍କ ପରି ନେତା ଲୋକସଭା ଜିତିଗଲେ କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାବମୂର୍ତ୍ତି ଏବଂ ପତିଆରା କ୍ଷୁର୍ଣ୍ଣ ହୋଇଯିବ ସେଥିଲାଗି ତାଙ୍କ ଟିକଟ କଟିଯାଇନାହିଁ ତ ବୋଲି ଏବେ ସାଧାରଣରେ ଆଲୋଚନା ହେଉଛି । କେବଳ ସୁବାସ ଚୌହାନ ନୁହଁନ୍ତି ତାଙ୍କପରି ଅନେକ ବିଜେପି ନେତା ଯିଏକି ବିଧାନସଭା ନିର୍ବାଚନ ଲଢିବା ଲାଗି ଆଶାୟୀ ଥିଲେ ସେମାନଙ୍କୁ ଏଥର ଟିକଟ ଦିଆଯାଇନାହିଁ । ଏହାର ଫଳସ୍ୱରୂପ ଅସନ୍ତୁଷ୍ଟ ବିଜେପି ନେତା ତଥା ବିଜେପି କର୍ମୀମାନେ ରାଜ୍ୟ ବିଜେପି କାର୍ଯ୍ୟାଳୟ ଏବଂ ନିଜ ନିଜ ନିର୍ବାଚନ ମଣ୍ଡଳୀର ପାର୍ଟି କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ । ବାସୁଦେବପୁର ହେଉ କି ଭୁବନେଶ୍ୱର ଏକାମ୍ର ବିଧାନସଭା ନିର୍ବାଚନ ଆସନ ହେଉ ଏହିସବୁ ସ୍ଥାନରେ ବିଜେପିର ଅନ୍ତଦ୍ୱର୍ନ୍ଦ୍ୱ ପଦାରେ ଜଣାପଡ଼ିଗଲା ।

ତେବେ ବିଜେପିର ଏହି ଅସନ୍ତୁଷ୍ଟ ନେତାମାନଙ୍କୁ ସନ୍ତୁଷ୍ଟ କରିବାକୁ ଦଳ ବିଭିନ୍ନ ସାଂଗଠନିକ ପଦ ପଦବୀ ଦେବା ଆରମ୍ଭ କରିଛି ।

ଏହି କ୍ରମରେ ସୁବାସ ଚୌହାନଙ୍କୁ ରାଜ୍ୟ ଉପ ସଭାପତି ପଦ ଦିଆଯାଇଛି । ସେହିପରି ଭାବେ ପ୍ରତ୍ୟୁଷା ରାଜେଶ୍ୱରୀ ଓ ପିତାମ୍ବର ଆଚାର୍ଯ୍ୟଙ୍କ ପରି ବରିଷ୍ଠ ନେତା ତଥା ଆଶାୟୀ ପ୍ରାର୍ଥୀ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି ।

Leave A Reply

Your email address will not be published.