Latest Odisha News

BREAKING NEWS

ଚିଟଫଣ୍ଡ ପ୍ରସଙ୍ଗ: ବାଲେଶ୍ୱର ଓ ମୟୁରଭଞ୍ଜ ସାଂସଦଙ୍କୁ ଏଥର ଟିକଟ ନ’ଦେଇପାରେ ବିଜେଡ଼ି

ଭୁବନେଶ୍ୱର: ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ଏବଂ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ଏଥର ବିଜେଡ଼ି ଲୋକସଭା ନିର୍ବାଚନ ଲାଗି ଦଳୀୟ ଟିକଟ ନ’ଦେଇପାରେ, ଚିଟଫଣ୍ଡ ହେରଫରରେ ଛନ୍ଦି ହୋଇଥିବା ବେଳେ ଏହି ମାମଲାର ଫଇସାଲା ଏଯାଏଁ ହୋଇନାହିଁ ।

ଦଳୀୟ ସୂତ୍ରରୁ ଜଣାପଡ଼ିଛି ଯେ, ହାଁସଦା ଯିଏକି ନବଦିଗନ୍ତ କ୍ୟାପିଟାଲ ସର୍ଭିସେସ ଅର୍ଥ ହେରଫେର ମାମଲାରେ ଛନ୍ଦି ହୋଇ ୪ ବର୍ଷ ବିଚାରବିଭାଗୀୟ ଜେଲରେ ରହିଥିଲେ । ସେପଟେ ବାଲେଶ୍ୱର ସାଂସଦ ଶ୍ରୀ ଜେନାଙ୍କୁ ମଧ୍ୟ ସିସୋର୍ ସ୍କାମ ନେଇ ସିବିଆଇ ପୂର୍ବରୁ ଜେରା କରିଛି, ତେଣୁ ଏହି ଦୁଇ ନେତାଙ୍କୁ ବିଜେଡ଼ି ଆଗାମୀ ନିର୍ବାଚନରେ ଟିକଟ ଦେଇ ନପାରେ ।

ନବଦିଗନ୍ତର ଜଣେ ନିର୍ଦ୍ଦେଶକ ଭାବେ ତାଙ୍କ ବିରୋଧରେ ଅପରାଧିକ ମାମଲା, ଠକେଇ ତଥା ଅର୍ଥ ହେରଫେର ମାମଲା ନେଇ ସିବିଆଇ ପକ୍ଷରୁ ୨୦୧୪ ନଭେମ୍ବରରେ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଗିରଫ କରାଯାଇଥିଲା । ତେବେ ସୁପ୍ରିମକୋର୍ଟରୁ ଜାମିନ ପାଇ ହାଁସଦା ୨୦୧୮ ଜୁଲାଇରେ ଭୁବନେଶ୍ୱର ଝାରପଡ଼ା ଜେଲରୁ ବାହାରିଥିଲେ । ସାଂସଦଙ୍କୁ ଏହି କେନ୍ଦ୍ରୀୟ ସଂସ୍ଥା ଗିରଫ କରିବା ପୂର୍ବରୁ ତାଙ୍କ ବାସଭବନରୁ ୨୮ ଲକ୍ଷ ଟଙ୍କା ଜବତ କରିଥିଲା ।

ପ୍ରଥମେ ଏହି ଏହି ଜବତ ହୋଇଥିବା ଅର୍ଥ ତାଙ୍କ ନିଜର ବୋଲି ସ୍ୱୀକାର କରିଥିଲେ ମଧ୍ୟ ପରେ ଏହା ତାଙ୍କ ସମର୍ଥକଙ୍କର ବୋଲି କହିଥିଲେ ମୟୁରଭଞ୍ଜ ସାଂସଦ ।

ଜାନୁଆରୀ ମାସରେ ବାଲେଶ୍ୱର ସାଂସଦ ଶ୍ରୀ ଜେନାଙ୍କୁ କୋଟି କୋଟି ଟଙ୍କାର ସିସୋର ଚିଟଫଣ୍ଡ ସ୍କାମ ମାମଲାରେ ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ୨୦୧୭ ମସିହାରେ ଏହି ସାଂସଦଙ୍କ ବାଲେଶ୍ୱର ଓ ନୂଆଦିଲ୍ଲୀସ୍ଥିତ ବାସଭବନରେ ଚଢଉ ହେବାପରେ ତାଙ୍କର ଅନ୍ତରୀଣ ସୁରକ୍ଷା ବୃଦ୍ଧି କରାଯାଇଥିଲା । ସଂଦିଗ୍ଧ ଅର୍ଥ ହେରଫେର ଅଭିଯୋଗ ଲାଗି ବାଲେଶ୍ୱରର ଏହି ପ୍ରତିଷ୍ଠିତ ଉଦ୍ୟୋଗୀ ସିବିଆଇ ନଜରରେ ଅନେକ ଦିନ ଧରି ରହିଥିଲେ ।

ସେ ସୁପ୍ରତୀକ ଗ୍ରୁପ ଅଫ କମ୍ପାନୀ ଚଳାଉଥିବା ବେଳେ ସେହି ଆର୍ଥୀକ ସଂସ୍ଥାରୁ ୧୮ କୋଟି ଟଙ୍କା ଋଣ ଆକାରରେ ନେଇଥିଲେ ।

ସେହିପରି ୨୦୧୨ ମସିହାରେ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳ ଏବଂ ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ ତଥା ଅନ୍ୟ କେତେଜଣ ଦଳୀୟ ନେତା ମଧ୍ୟ ଏହି ଚିଟଫଣ୍ଡ ସଂସ୍ଥା ଓ ଅର୍ଥ ହେରଫେର ମାମଲାରେ ଛନ୍ଦି ହୋଇଯାଇଥିଲେ । ସେତେବେଳେ ଏହା ରାଜ୍ୟରେ ଏକପ୍ରକାର ଆଲୋଡ଼ନ ସୃଷ୍ଟି କରିଥିଲା ।

ବାଲେଶ୍ୱର ଓ ମୟୁରଭଞ୍ଜ ଲୋକସଭା ଆସନ ଲାଗି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥୀ ଘୋଷଣାକୁ ଦଳ ଚାହିଁ ରହିଛି । ଦଳୀୟ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ଦୁଇଟି ଲୋକସଭା ଆସନରେ ଦଳ ନୂଆ ଚେହେରାଙ୍କୁ ଟିକଟ ଦେବାର ଯୋଜନା କରୁଛି ।

ଯେପରିକି ମୟୁରଭଞ୍ଜ ଆସନ ଲାଗି ଅନେକ ନେତାଙ୍କ ଦଳ ବିଚାରକୁ ନେଉଛି, ଏହି ଚର୍ଚ୍ଚାରେ ଆଗରେ ରହିଛନ୍ତି ରାଜ୍ୟସଭା ସଦସ୍ୟା ସରସ୍ୱତୀ ହେମ୍ବ୍ରମ । ମାତ୍ର, ଏହାକୁ ସରସ୍ୱତୀ ଅସ୍ୱୀକାର କରିଛନ୍ତି ।

ସେହିପରି ବାଲେଶ୍ୱର ଲୋକସଭା ଆସନରେ ଦଳ ଶ୍ରୀ ଜେନାଙ୍କ ପତ୍ନୀ ସୁବାସିନୀଙ୍କୁ ପ୍ରାର୍ଥୀ କରିବାକୁ ଚିନ୍ତା କରୁଛି ।

ନିର୍ବାଚନ ରଣାଙ୍ଗନରେ ବିଜୁ ଜନତା ଦଳ ମଧ୍ୟ ପୂର୍ବରୁ ୩୩ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ଏଥର ଟିକଟ ଦେବାର ନିଷ୍ପତ୍ତି ନେଇ ସାରିଛି । ଇତିମଧ୍ୟରେ ଦଳ ପକ୍ଷରୁ ମଧ୍ୟ ୩ ଜଣ ମହିଳା ପ୍ରାର୍ଥିନୀଙ୍କ ନାମ ଘୋଷିତ ହୋଇଛି । ସେମାନେ ହେଲେ – କୌଶଲ୍ୟା ହିକ୍କା (କୋରାପୁଟ), ପ୍ରମିଳା ବିଶୋଈ (ଆସ୍କା) ଏବଂ ସୁନୀତା ବିଶ୍ୱାଳ (ସୁନ୍ଦରଗଡ଼) । ମହିଳାଙ୍କ ଲାଗି ୩୩ ପ୍ରତିଶତ ଆରକ୍ଷଣ କୋଟା ପୂରଣ କରିବା ଲାଗି ଏହି ତିନିଜଣ ପ୍ରାର୍ଥୀଙ୍କ ବ୍ୟତୀତ ଦଳ ଆହୁରି ୪ଜଣ ମହିଳା ପ୍ରାର୍ଥୀ ଆବଶ୍ୟକ କରୁଛି ।

Leave A Reply

Your email address will not be published.