ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”
ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କୁ ନେଇ ଗଢ଼ିଉଠିଥିବା ଧର୍ମ ସଂସ୍କୃତିକୁ ଅବଲୋକନ କଲେ ନଟବର ଶ୍ରୀକୃଷ୍ଣଙ୍କ ପ୍ରାଧାନ୍ୟ ଜଳ ଜଳ ହୋଇ ଦୃଶ୍ୟମାନ ହୁଏ । ବହୁ ଅବତାରର ଆଧାର ପୁରୁଷ ଭାବେ ବର୍ଷର ବିଭିନ୍ନ ଦିନମାନଙ୍କରେ ମହାପ୍ରଭୁ ଭିନ୍ନ ଭିନ୍ନ ଲୀଳା ରଚନା କରିଥାନ୍ତି । ମାୟାଧରଙ୍କ ମାୟାବୀ ଲୀଳା ସଂରଚନାର ପଟାନ୍ତର ନାହିଁ । ବିଶେଷ କରି ଦେଖାଯାଏ ଭାଦ୍ରବ କୃଷ୍ଣ ଅଷ୍ଟମୀ ଦିନ ପାଳିତ ଶ୍ରୀକୃଷ୍ଣ ଜନ୍ମୋତ୍ସବରୁ ଏହି ଲୀଳା ଆରମ୍ଭ ହୋଇ ପ୍ରାୟ ମାସେ ପର୍ଯ୍ୟନ୍ତ ଚାଲିଥାଏ । ଏହି କ୍ଷେତ୍ରରେ ଅବଶ୍ୟ ଆର୍ଯ୍ୟାବର୍ତ୍ତର ବୈଷ୍ଣବ କ୍ଷେତ୍ରଗୁଡ଼ିକରେ ଶ୍ରୀକୃଷ୍ଣ ଉପାସନା ମହା ସମାରୋହର ରୂପ ନିଏ । ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର ଭାବେ ପରିଚିତ ଉତ୍ତର ଭାରତର ମଥୁରା, ବୃନ୍ଦାବନରେ ବାଙ୍କେବିହାରୀ, ପଶ୍ଚିମର ଦ୍ୱାରକା କ୍ଷେତ୍ରରେ ରଣଛୋଡ଼ଜୀ ତଥା ନାଥଦ୍ୱାରା, ଉଦୟପୁରରେ ଶ୍ରୀନାଥଜୀ ଆଦି ନାମରେ ପୂଜିତ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ପର୍ବରେ ପ୍ରେମମୟ ଭକ୍ତିରସ ଉଛୁଳି ପଡ଼େ । ସେହି ଭକ୍ତିରସରେ ନିଜର ଆଧ୍ୟାତ୍ମ ଚେତନାକୁ ସଂଯୁକ୍ତ କଲେ ସବୁ ଲାଗେ କୃଷ୍ଣମୟ, ପ୍ରେମମୟ ।
ପୁରାଣ ବର୍ଣ୍ଣିତ ତଥ୍ୟ ଭିତ୍ତିରେ ଭାଦ୍ରବର କୃଷ୍ଣପକ୍ଷ ରୋହିଣୀ ବୃଷ ତିଥିର ନିଶାର୍ଦ୍ଧରେ କୃଷ୍ଣଜନ୍ମ ନୀତି ସର୍ବତ୍ର ପାଳିତ ହୋଇଥାଏ । ଶ୍ରୀମନ୍ଦିରରେ ଏହି ଲୀଳା ପାଳନ ଅବସରରେ କର୍ମକାଣ୍ଡର ନିର୍ଦ୍ଧାରିତ ପୂଜାବିଧି ସହିତ ଯେଉଁ ସବୁ ନୀତିର ପ୍ରକୃତ ଅଭିନୟ କରାଯାଇଥାଏ ତାହା ଅନନ୍ୟ ତଥା ଅତୀବ ଆନନ୍ଦଦାୟକ ।ଏହି ଅଭିନୟର ପର୍ଯ୍ୟାୟଗୁଡ଼ିକୁ ଅନୁଧ୍ୟାନ କଲେ ଏହା ମହାପ୍ରଭୁଙ୍କ ରଚିତ ବର୍ଷବ୍ୟାପୀ ମହାନାଟକର ଏକ ସ୍ୱତନ୍ତ୍ର ଦୃଶ୍ୟ ଭାବେ ପ୍ରତୀତ ହୁଏ । ଏବେ ସେ ତିଥି ଅନୁସାରେ ନୀତିଗୁଡ଼ିକର ସମ୍ୟକ ଅବତାରଣା ସହିତ ବିଶେଷ ଭାବେ ଅଭିନୟ ଅଂଶଟିକୁ ଦେଖିବା । ଏହି ଲୀଳାରେ ଶ୍ରୀମନ୍ଦିରରେ ପୂଜିତ ବିଗ୍ରହଙ୍କ ଚଳନ୍ତି ପ୍ରତିମା ତଥା ସମ୍ପୃକ୍ତ ସେବକମାନେ ଭାଗ ନିଅନ୍ତି ପୁଣି ଏକାଧିକ ଚରିତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି, ତାହା ଆମ ସଂସ୍କୃତିର ମହାନତା ।
ନିର୍ଦ୍ଧାରିତ ନୀତିଗୁଡ଼ିକ ପର୍ଯ୍ୟାୟକ୍ରମେ ପାଳନ ହେବା ସହିତ ଅଭିନୟର ବୈଚିତ୍ରମୟ ଫର୍ଦ୍ଦ ସୁନ୍ଦର ଭାବରେ ଯୋଗ କରାଯାଇଛି । ଜଗମୋହନରେ ଅଙ୍କାଯାଇଥିବା ସର୍ବତ୍ରୋଭଦ୍ର ମଣ୍ଡଳ ଉପରେ ଚିତ୍ରକାର ହସ୍ତ ଅଙ୍କିତ ଜନ୍ମପଟି ଓ ବଣିଆ ଦ୍ୱାରା ନିର୍ମିତ ନଅଗୋଟି ରୂପା ପାଖୁଡ଼ା ଉପରେ ଏକ କ୍ଷୁଦ୍ର ସୁବର୍ଣ୍ଣ କୃଷ୍ଣ ମୂର୍ତ୍ତି ସ୍ଥାପନ କରାଯାଏ । ଦକ୍ଷିଣି ଘରୁ ମହାଜନ ସେବକେ ଶ୍ରୀ ମଦନମୋହନଙ୍କୁ ଉଲଗ୍ନ କରି ପ୍ରଥମେ ସିଂହାସନ ଉପରେ ବିଜେ କରାଇ ମୁଦିରସ୍ତଙ୍କଠାରୁ ଧଣ୍ଡି ପ୍ରସାଦ ପାଇ ଜନ୍ମ ଚକଡ଼ାରେ ବିଜେ କରାନ୍ତି । ଏଠାରେ ପୂଜାପଣ୍ଡାଙ୍କ ଦ୍ୱାରା ଗର୍ଭଉଦକ କର୍ମ ବଢ଼ିବା ବେଳକୁ ଦୁଇଜଣ ମହାଜନ ସେବକ ଦେବକୀ ଓ ବସୁଦେବ ବେଶରେ ପ୍ରସବ କାଳରେ ନାରୀର ଯନ୍ତ୍ରଣା ଓ ପୁରୁଷର ସମବେଦନା ପ୍ରଦର୍ଶନ ପୂର୍ବକ ଅଭିନୟ କରନ୍ତି । ଏହି ଅବସରରେ ଶ୍ରୀକୃଷ୍ଣ ଜନ୍ମ ହୁଅନ୍ତି । ଏହା ପରେ ଦୁଧ, ଲହୁଣୀ ଆଦି ସମର୍ପଣ କରାଯାଏ । ଜଣେ ମହାଜନ ଶ୍ରୀକୃଷ୍ଣ ରୂପୀ ମଦନ ମୋହନଙ୍କୁ ବିନା କୌଣସି ଆଡ଼ମ୍ବରରେ ରୂପା ଥାଳିରେ ଧରି ଦେବକୀ ଓ ବସୁଦେବରୂପୀ ଦୁଇଜଣ ମହାଜନଙ୍କ ସାଙ୍ଗରେ ଏକ କାଳ୍ପନିକ ଯମୁନା ନଦୀ ତଟକୁ ନେଇଯାଆନ୍ତି ଠିକ୍ ଯେମିତି ବସୁଦେବ କାରାଗାର ଭିତରୁ ପ୍ରଭୁଙ୍କୁ ବୋଝରେ ମୁଣ୍ଡାଇ ବର୍ଷଣମୁଖର ରାତ୍ରିର ନିଶାର୍ଦ୍ଧରେ ଗୋପପୁରକୁ ସ୍ଥାନାନ୍ତରିତ କରିଥିଲେ ।
ଏହି ବିଜେ କାଳରେ ବେହେରା ଖୁଣ୍ଟିଆ ସେବକ ପ୍ରଭୁଙ୍କ ଶିର ଉପରେ ସପ୍ତଫେଣି ବାସୁକୀ ନାଗ ମୂର୍ତ୍ତି ଧରି ଚାଲିଥାଆନ୍ତି । ଶ୍ରୀମନ୍ଦିରରେ ନିଶାତଳେ ସରସ୍ୱତୀଙ୍କ ମନ୍ଦିର ସାମ୍ନାରେ ଏହି କାଳ୍ପନିକ ଯମୁନା ନଦୀ କୂଳରେ ଜଣେ ପୂଜାପଣ୍ଡା, ଉଗ୍ରସେନ ଭୂମିକାରେ ଘାଟ ଜଗିବା ଅଭିନୟଟି କରନ୍ତି । ସେ ପ୍ରଭୁଙ୍କୁ ଦେଖି ଦଣ୍ଡପ୍ରଣାମ କରିବା ପରେ ବିଗ୍ରହ ସେଠାରୁ ଫେରିଥାଆନ୍ତି । ଯମୁନା କୂଳରେ ମୁଦିରସ୍ତଙ୍କ ଦ୍ୱାରା ଭୋଗ ଓ ବନ୍ଦାପନା ପରେ ଘଣ୍ଟା ଛତା କାହାଳୀ ସହିତ ବିଗ୍ରହ ନାଭିକଟା ମଣ୍ଡପରେ ଖଟ ଶେଯ ଉପରେ ବିଜେ ହୁଅନ୍ତି । ମହାଜନମାନେ ଦକ୍ଷିଣି ଘରୁ ଶ୍ରୀରାମକୃଷ୍ଣଙ୍କ ମୂତ୍ତି ଆଣି ସେଠାରେ ବିଜେ କରନ୍ତି । ଏହିଠାରେ ପଣ୍ଡାଙ୍କ ଦ୍ୱାରା କୁଶ ସାହାଯ୍ୟରେ ସାଙ୍କେତିକ ଭାବରେ ନାଭି ଚ୍ଛେଦନ ନୀତି କରାଯାଏ । ତା’ ପରେ ଭୋଗରାଗ ବନ୍ଦାପନା କର୍ପୂର ଆଳତୀ ଆଦି ପରେ ନାଟ ମଣ୍ଡପରେ ବନ୍ଧାଯାଇଥିବା ଦୋଳିରେ ବିଗ୍ରହମାନଙ୍କୁ ଝୁଲାଇ ଦିଆଯାଏ ଏବଂ ଅନ୍ୟାନ୍ୟ ନୀତି ଯଥାରୀତି କରାଯାଏ ।
ଭାଦ୍ରବ କୃଷ୍ଣ ନବମୀ ଶ୍ରୀମଦ୍ ଭାଗବତରେ ବର୍ଣ୍ଣିତ କଥା ଅନୁସାରେ ଜନ୍ମାଷ୍ଟମୀର ପରଦିନ ଗୋପପୁରରେ ନନ୍ଦରାଜାଙ୍କ ଘରେ ଦିବ୍ୟପୁତ୍ର ସନ୍ତାନ ଜନ୍ମ ନେଇଥିବା ସମ୍ବାଦ ପ୍ରଚାରିତ ହେବା ପରେ ସାରା ନଗରୀ ଉତ୍ସବମୁଖର ହୋଇ ପଡ଼ିଥିଲା । ଏଣେ ମହାରାଜା କଂସ ଦେବକୀ ଗର୍ଭରୁ ଅଷ୍ଟମ ସନ୍ତାନ ଜାତ ହୋଇଥିବା ଖବର ପାଇ ବନ୍ଦୀଶାଳରେ ନିଜର ସମ୍ଭାବ୍ୟ ଘାତକକୁ ହତ୍ୟା କରିବାକୁ ଯାଇ ପ୍ରଭୁଙ୍କ ମାୟା ବୁଝି ନପାରି ଦେବକୀ କୋଳରେ ଥିବା ବିଜୁଳି କନ୍ୟାକୁ କାନ୍ଥରେ କଚାଡ଼ି ମାରି ପକାଇଥିଲା । ଏହି ଅଭାବନୀୟ ଘଟଣାଟି ମଧ୍ୟ ଶ୍ରୀମନ୍ଦିରରେ ପରମ୍ପରାରେ ଏକ ନୀତି ଭାବରେ ପାଳନ କରାଯାଏ ।
ଏହିଦିନ ପ୍ରତ୍ୟୁଷରେ ମଙ୍ଗଳ ଆଳତୀ ପରେ ମହାଜନେ ଶ୍ରୀରାମକୃଷ୍ଣଙ୍କୁ ସିଂହସନରୁ ହାତରେ ଆଣି ଜଗମୋହନରେ ପୂର୍ବ ଦିନରୁ ଲାଗିଥିବା ଦୋଳିରେ ଝୁଲାଇ ଦିଅନ୍ତି । ଦକ୍ଷିଣିଘରୁ ଶ୍ରୀ ମଦନମୋହନଙ୍କୁ ସେହିଭଳି ହାତରେ ଆଣି ଦୋଳିରେ ବିଜେ କରାନ୍ତି । ଶ୍ରୀ ମଦନମୋହନ ଏଠାରେ ନନ୍ଦରାଜା ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି । ମଧ୍ୟାହ୍ନ ଧୂପ ପରେ ମା’ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଷ ୀ, ମାର୍କଣ୍ଡି ପୂଜା ପରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ତିନି ବାଡ଼ରେ ମଙ୍ଗଳାର୍ପଣ ସହିତ ବନ୍ଦାପନା କରନ୍ତି । ପତି ମହାପାତ୍ର ଭଣ୍ଡାର ଘରୁ ମା’ ଦୁର୍ଗା ଦେବୀଙ୍କୁ ହାତରେ ନେଇ ସୁଭଦ୍ରାଙ୍କ ବାଡ଼ରୁ ଆଜ୍ଞାମାଳ ଆସିବା ପରେ ଦୋଳି ସମ୍ମୁଖରେ ଖଟୁଲି ଉପରେ ବିଜେ କରାନ୍ତି । ସେଠାରେ ଭୋଗ ଓ ବନ୍ଦାପନା ପରେ ବିଜୁଳି କନ୍ୟା ରୂପରେ ମା’ ଦୁର୍ଗାଙ୍କୁ ସାତପାହାଚ ଦ୍ୱାର ପାଖରେ ଡମ୍ଭରୁ ଉପରେ ବିଜେ କରାଯାଏ । ଏଠାରେ ଜଣେ ସେବକ କାଠ ନିର୍ମିତ ଏକ ଛୋଟ କନ୍ୟା ମୂର୍ତ୍ତି କୁ ଧରି ଦୂରକୁ ନିକ୍ଷେପ କରିଦିଅନ୍ତି ।
ଏହି ନୀତି କଂସର ବିଜୁଳି କନ୍ୟା ହତ୍ୟା ଭାବରେ ଜଣାଯାଏ । ତା’ପରେ ମା’ ଦୁର୍ଗାଙ୍କ ବିଗ୍ରହ ବନ୍ଦାପନା ପରେ ଯଥାସ୍ଥାନକୁ ବାହୁଡ଼ା ବିଜେ କରନ୍ତି । ଏହି ନୀତି ପରେ ଶ୍ରୀ ରାମକୃଷ୍ଣ ଓ ମଦନମୋହନଙ୍କୁ ଦୋଳିରୁ ଓହ୍ଳାଇ ମାଜଣା, ବନକଲାଗିି କରି ସାତପାହାଚ ନିକଟରୁ ପାଲିଙ୍କିରେ ନେଇ ଲକ୍ଷ୍ମୀ ମନ୍ଦିରର ଜଗମୋହନରେ ଖଟ ଆସନରେ ବିଜେ କରାଯାଏ । ଏହି ସମୟରେ ଭିତରଚ୍ଛୁ ନନ୍ଦରାଜାଙ୍କ ଭଳି ବେଶ ହୋଇ ନଅରରୁ ଆସି ସ୍ନାନବେଦୀ ନିକଟରେ ରହିଥାନ୍ତି । ବାଟଲେଙ୍କା ଏକ ଦୁହାଁଳିଆ ଗାଈ ଆଣି ଲକ୍ଷ୍ମୀ ମନ୍ଦିର ନିକଟରେ ରଖନ୍ତି । ଭରତିଆ ଗଉଡ଼ ନନ୍ଦରାଜାଙ୍କୁ ପୁତ୍ର ଜନ୍ମ ସମ୍ବାଦ ଦେଇ ତାଙ୍କ ଲୁଗାଫେରକୁ ଧରି ଟାଣିଟାଣି ଆଣନ୍ତି । ନନ୍ଦ ରାଜା ନିଜ ହାତରେ ଗୋଦୋହନ କରି କିଛି ଦୁଧ ରୂପା ପିଙ୍ଗଣରେ ଅର୍ପଣ କରନ୍ତି । ନନ୍ଦୋତ୍ସବ ନୀତି ସରିବା ପରେ ତିନି ବିଗ୍ରହ ପୁନର୍ବାର ଦୋଳିକୁ ଫେରନ୍ତି ଏବଂ ଅନ୍ୟାନ୍ୟ ନୀତି ବଢ଼େ ।
ବୈଷ୍ଣବୀୟ ଉପାସନା ପରମ୍ପରାରେ ନନ୍ଦୋତ୍ସବ ମହା ସମାରୋହରେ ପାଳିତ ହୁଏ । ଶ୍ରୀକୃଷ୍ଣ ଉପାସିତ ମଠ ମନ୍ଦିରମାନଙ୍କରେ ଭଜନ କୀର୍ତ୍ତନ ଓ ନୃତ୍ୟ ସଙ୍ଗୀତ ସହିତ ଜଣେ ଭକ୍ତ ନନ୍ଦରାଜାଙ୍କ ରୂପରେ ବେଶ ହୋଇଥାନ୍ତି । ମୁଣ୍ଡରେ ମକୁଟ, ଶ୍ୱେତ ନିଶ ଦାଢ଼ି ସହିତ ବୃହତ ଉଦରରେ ସେ ସାହି ବସ୍ତିରେ ବୁଲି “ଆହା ମୁଁ ନନ୍ଦ, କୋଳେ ଗୋବିନ୍ଦ” ଗୀତ ଗାଇ କୃଷ୍ଣ ଚେତନାର ପ୍ରସାର କରନ୍ତି ।
ଦଶମୀ ତିଥିରେ ଲୀଳାମୟଙ୍କର ପ୍ରକୃତ ଲୀଳାର ଅବତାରଣା ଆରମ୍ଭ ହୋଇଥାଏ । ଏହି ଲୀଳା ଶ୍ରୀମନ୍ଦିର ଭିତରେ ସୀମିତ ନରହି ପୁରୀର ବିଭିନ୍ନ ସାହି ବାସିନ୍ଦାଙ୍କ ସଂପୃକ୍ତିରେ ପ୍ରସାରିତ ହୋଇ ଗଣଚେତନା ସୃଷ୍ଟି କରିଥାଏ । ରତ୍ନସିଂହାସନରେ ମହାପ୍ରଭୁଙ୍କୁ ନିର୍ଦ୍ଦିଷ୍ଟ ଦିନମାନଙ୍କରେ ବିଭିନ୍ନ ବେଶରେ ସଜ୍ଜିତ କରାଗଲା ବେଳେ ନାଟମଣ୍ଡପରେ ଅଷ୍ଟମଲ୍ଲଙ୍କ ସହିତ ଯୁଦ୍ଧ ତଥା ନିଧନ ଦୃଶ୍ୟଗୁଡ଼ିକ ବିଭିନ୍ନ ସାହିର ପ୍ରତ୍ୟକ୍ଷ ସଂପୃକ୍ତିରେ ସମାହିତ ହୋଇଥାଏ ।
କୃଷ୍ଣ ଦଶମୀ ଦିନ ମଧ୍ୟାହ୍ନ ଧୂପ ପରେ ଶ୍ରୀ ରାମକୃଷ୍ଣଙ୍କୁ ପାଲିଙ୍କିରେ ବିଜେ କରାଇ ବଡ଼ଦାଣ୍ଡରେ ଲକ୍ଷ ଆଖଡ଼ା ବା ବଡ଼ଛତା ମଠ ସାମନାରେ କାଠ ସିଂହାସନରେ ବିଜେ କରାଯାଏ । ସେଠାରେ କୋଳିବିକା ନୀତି ସଂପନ୍ନ ହୁଏ । ଜଣେ ଲୋକ ଶବରୁଣୀ ବେଶ ହୋଇ ଗୁଆ କୋଳି ଓ ନଡ଼ିଆ ଇତ୍ୟାଦି ଧରି ନିମ୍ନ ଲିଖିତ ମତେ ଡାକେ –
“ପାଣିର ଫଳ ସିିଙ୍ଗଡ଼ାର କୋଳି ଖାଇବ ଆସ ହେ ପୁଏ”
ଭିତରଚ୍ଛ ମହାପାତ୍ର ଏହି ଶବରୁଣୀଠାରୁ କୋଳି ନେଇ ରୂପା ପିଙ୍ଗଣରେ ରଖି ସମର୍ପଣ ଉପରାନ୍ତ ବନ୍ଦାପନା କରନ୍ତି ଓ ବିଗ୍ରହମାନେ ଶ୍ରୀମନ୍ଦିରକୁ ବାହୁଡ଼ନ୍ତି । ଏହି ଦିନ ସନ୍ଧ୍ୟା ଧୂପ ବେଳକୁ ରତ୍ନ ସିଂହାସନରେ ବଣଭୋଜି ବେଶରେ ଅନୁଷ୍ଠିତ ହୁଏ । ଏହି ବେଶରେ ବିବିଧ ସୁବର୍ଣ୍ଣ ଅଳଙ୍କାର ସହିତ ମସ୍ତକରେ ଚୂଳ, ହସ୍ତରେ ଝୁଲୁଥିବା ଶିକାରେ ରୂପା ପିଙ୍ଗଣରେ ସର ରହିଥାଏ । ଶ୍ରୀକୃଷ୍ଣ ଓ ବଳରାମ ଗୋବତ୍ସା ଓ ଗୋପାଳମାନଙ୍କ ସହିତ ରଚିଥିବା ବଣଭୋଜିର ଅବତାରଣା ଏହି ବେଶର ଆଭିମୁଖ୍ୟ । ଆହୁରି ଏହି ତିଥିରେ ଦୁଇ ଅସୁରଙ୍କ ବଧ ଲୀଳା ମଧ୍ୟ ହୋଇଥାଏ । ଶ୍ରୀବିଗ୍ରହମାନେ ଜଗମୋହନରେ ବିଜେ ହେବା ପରେ ବାଲିସାହି ଆଖଡ଼ାର ଲୋକେ ବକାସୁର ବଧ ପ୍ରସ୍ତାବ କରନ୍ତି । ଜଣେ ଶ୍ରୀକୃଷ୍ଣ ଓ ଅନ୍ୟ ଜଣେ ବକାସୁର ବେଶରେ ଆସି ଯୁଦ୍ଧ ଓ ବଧ ଲୀଳା ଅଭିନୟ କରିଥାନ୍ତି । ଏହା ପରେ ହରଚଣ୍ଡୀ ସାହିର ଲୋକେ ଅର୍ଘାସୁର ବଧ ପ୍ରସ୍ତାବ କରନ୍ତି ଓ ସେହି ଭଳି ଲୀଳା ସମ୍ପନ୍ନ ହୁଏ ।
ଭାଦ୍ରବ କୃଷ୍ଣ ଏକାଦଶୀ ଦିନ ଦକ୍ଷିଣି ଘର ଭୋଗ ସରିଲେ ଶ୍ରୀ ମଦନମୋହନ ଓ ଶ୍ରୀରାମକୃଷ୍ଣ ଭିତର ସିଂହାସନକୁ ବିଜେ କରନ୍ତି । ମଧ୍ୟାହ୍ନ ଧୂପ ପରେ ଆଜ୍ଞାମାଳ ପାଇ ମହାଜନେ ହାତରେ ବିଜେ କରାଇ କଳ୍ପବଟ ପାଶ୍ୱର୍ରେ ଥିବା ପାଲିଙ୍କିରେ ବିଜେ ହୁଅନ୍ତି । ବିମାନବଡ଼଼ୁମାନେ ପାଲିଙ୍କିକୁ ଦେଉଳରେ ବେଢ଼ାଏ ବୁଲାଇ ଲୋକନାଥ ମାର୍ଗସ୍ଥିତ ଲବଣିଖିଆରେ ବିଜେ କରାନ୍ତି । ବାଟରୁ ମହାଭୋଇ ଘର ବୋହୂମାନେ ଠାକୁରଙ୍କୁ ପାଛୋଟି ନେଇ ସର ଲବଣୀ ଭୋଗ ସହିତ ଶୀତଳ ଭୋଗ ଓ ବନ୍ଦାପନା ପରେ ପୁନଃ ମାର୍କଣ୍ଡ ପୋଖରୀ କୂଳକୁ ଯାତ୍ରା କରନ୍ତି । ସେଠାରେ କାଳୀୟ ଦଳନ ଲୀଳା ହୁଏ । ସେଥିରେ ମାର୍କଣ୍ଡ ପୋଖରୀ ଦିପିଦାଣ୍ଡି ପାଖରେ ପୂର୍ବ ନିର୍ମିିତ ଗୋଟିଏ ମଞ୍ଚା ଉପରେ କନାରେ ପ୍ରସ୍ତୁତ ହୋଇଥିବା ଏକ ସର୍ପ ଜଣଙ୍କୁ ଆଘାତ କରିବା ପରେ ଅନ୍ୟ ଜଣେ ଗରୁଡ଼ ବେଶରେ ଆସି ଅମୃତ ଲଡ଼ୁ ଦେଇ ବିଷ ଝାଡ଼ନ୍ତି । ଏହା ପରେ ଏଠାରେ କାଳୀୟଦଳନ ପ୍ରସ୍ତୁତ ହୁଏ । କୃଷ୍ଣ ବେଶରେ ଜଣେ କାଳୀନାଗକୁ ଦମନ କରନ୍ତି । ଲୀଳା ସରିବା ପରେ ବିଗ୍ରହମାନେ ବାହୁଡ଼ା ବିଜେ କରିଆସି ଜୟବିଜୟ ଦ୍ୱାରଠାରେ ଏକାଦଶୀ ଭୋଗ ହୋଇ ବନ୍ଦାପନା ଦକ୍ଷିଣି ଘରକୁ ବିଜେ କରନ୍ତି । ଏହା ପରେ ସିଂହାସନରେ ମହାପ୍ରଭୁଙ୍କ ବାଡ଼ରେ କାଳୀ ଦଳନ ବେଶ ହୁଏ । ଏଥିରେ ସୋଲ ଓ କନାରେ ପ୍ରସ୍ତୁତ ଏକ ବୃହତ୍ କଳା ନାଗର ପ୍ରତିକୃତି ମହାପ୍ରଭୁଙ୍କୁ ବେଢ଼େଇ ରହିଥାଏ । ତାହାର ମସ୍ତକ ମହାପ୍ରଭୁଙ୍କ ପାଦ ତଳେ ରହିବା ଭଳି ପ୍ରତ୍ୟୟ ହୁଏ । ସନ୍ଧ୍ୟାଧୂପ ପରେ ଦକ୍ଷିଣି ଘରୁ ମଦନମୋହନ ପ୍ରଥମେ ସିଂହାସନକୁ ଏବଂ ତା’ପରେ ଆଜ୍ଞାମାଳ ନେଇ ମହାଜନଙ୍କ ହାତରେ ଜଗମୋହନରେ ଥିବା ଖଟରେ ବିଜେ ହୁଅନ୍ତି । ଏଠାରେ କୁଣ୍ଢେଇବେଣ୍ଟ ସାହି ଲୋକେ ଧେନୁକାସୁର ବଧ ପ୍ରସ୍ତାବ କରନ୍ତି ଅର୍ଥାତ୍ ଜଣେ ଧେନୁକାସୁର ଓ ଜଣେ କୃଷ୍ଣ ବେଶରେ ଏହି ଲୀଳା କରିଥାଆନ୍ତି ।
ଭାଦ୍ରବ କୃଷ୍ଣ ଦ୍ୱାଦଶୀ ଦିନ ମଧ୍ୟାହ୍ନଧୂପ ପରେ ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ପ୍ରଳମ୍ବାସୁର ବଧ ବେଶ ହୁଏ । ସନ୍ଧ୍ୟାଧୂପ ପରେ ଶ୍ରୀରାମକୃଷ୍ଣ ପୂର୍ବଦିନ ଭଳି ନୀତି ଅନୁସାରେ ଜଗମୋହନରେ ଥିବା ଖଟଉପରେ ବିଜେ ହୁଅନ୍ତି । ସେଠାରେ ଦୋଳମଣ୍ଡପ ସାହି ଲୋକେ ପ୍ରଳମ୍ବାସୁର ବଧ ପ୍ରସ୍ତାବ କରନ୍ତି । ଶ୍ରୀମଦ୍ ଭାଗବତର କଥା ଅନୁସାରେ ଅଗ୍ରଜ ବଳରାମଙ୍କ ଦ୍ୱାରା ପ୍ରଳମ୍ବାସୁରର ନିଧନ ହୋଇଥିଲା ।
ଭାଦ୍ରବ କୃଷ୍ଣ ତ୍ରୟୋଦଶୀ ଦିନ ସନ୍ଧ୍ୟା ଧୂପ ପରେ ରତ୍ନ ସିଂହାସନରେ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହୁଏ । ଏହି ଦିନ ପୂର୍ବ ଦିନମାନଙ୍କ ଭଳି ଜଗମୋହନରେ ଗୌରବାଡ଼ ସାହି ଲୋକେ ଅନ୍ନପ୍ରାଥା ପ୍ରସ୍ତାବ ରଖନ୍ତି ଓ ସେହିଭଳି ଲୀଳା ସମାହିତ ହୋଇଥାଏ ।
ସପ୍ତପୁରୀ ଅମାବାସ୍ୟା ଦିନ ସନ୍ଧ୍ୟାଧୂପ ବଢ଼ିବା ପରେ ଶ୍ରୀମଦନମୋହନ ସିଂହାସନ ଉପରକୁ ବିଜେକରି ଆଜ୍ଞାମାଳ ପାଇ ଉତ୍ତର ପାଶ୍ୱେର୍ ଥିବା ନାଟପା ମନ୍ଦିର ଖଟ ଉପରେ ବିଜେ କରନ୍ତି ଓ ତାହାଙ୍କ ଛାମୁରେ କାଳିକା ଦେବୀ ସାହି ଲୋକେ ବସ୍ତ୍ର ହରଣ ଲୀଳା ପ୍ରସ୍ତାବ କରନ୍ତି । ଦ୍ୱାପର ଯୁଗରେ ଯମୁନା ନଦୀ ତଟରେ ଶ୍ରୀକୃଷ୍ଣ ଗୋପୀମାନେ ସ୍ନାନରତ ଥିବାବେଳେ ସେମାନଙ୍କ ବସ୍ତ୍ର ହରଣ କରିବା ବିଷୟଟି ସାଙ୍କେତିକ ଭାବରେ ଏଠାରେ ଅଭିନୀତ ହେଇଥାଏ ।
ଭାଦ୍ରବ ଶୁକ୍ଳ ପ୍ରତିପଦା ଦିନ ସନ୍ଧ୍ୟାଧୂପ ପରେ ଶ୍ରୀମଦନମୋହନ ପୂର୍ବ କଥିତ ମତେ ନାଟପା ମନ୍ଦିର ଖଟ ଉପରେ ବିଜେ କରନ୍ତି ଏହାଙ୍କ ଛାମୁରେ ମାଟିମଣ୍ଡପ ସାହି ଲୋକେ ଦାବାଗ୍ନି ଲୀଳା ପ୍ରସ୍ତାବ କରନ୍ତି ।
ଭାଦ୍ରବ ଶୁକ୍ଳ ଦ୍ୱିତୀୟା ଦିନ ପୂର୍ବ ଦିନ ଭଳି ଶ୍ରୀମଦନମୋହନ ନାଟପା ମନ୍ଦିରରେ ବିଜେ ହେଲେ ହରଚଣ୍ଡୀ ସାହି ଲୋକେ ନିକୁଞ୍ଜ ଲୀଳା ପ୍ରସ୍ତାବ କରନ୍ତି ।
ଭାଦ୍ରବ ଶୁକ୍ଳ ତୃତୀୟା ଦିନ ସନ୍ଧ୍ୟା ଆଳତି ବଢ଼ିଲା ପରେ ଆଜ୍ଞାମାଳ ପାଇ ଦକ୍ଷିଣି ଘରୁ ଶ୍ରୀରାମକୃଷ୍ଣ ପାଲିଙ୍କିରେ ବିଜେ ହୋଇ ଉତ୍ତର ପାଶ୍ୱେର୍ ନକ୍ଷି ଉଦର ଆଗରେ ରତ୍ନ ସିଂହାସନ ଉପରେ ପାଲିଙ୍କି ସହିତ ବିଜେ କଲେ ଏହାଙ୍କ ଛାମୁରେ ବାସେଳି ସାହି ଲୋକେ ଅନ୍ଧମନ୍ଦିର ହାତୀ ପ୍ରସ୍ତାବ କରନ୍ତି । ସେଠାରେ ଶୀତଳ ଭୋଗ ଓ ବନ୍ଦାପନା ହୋଇ ଦକ୍ଷିଣି ଘରକୁ ବାହୁଡ଼ା ବିଜେ କରନ୍ତି । ସନ୍ଧ୍ୟାଧୂପ ପରେ ଶ୍ରୀମଦନମୋହନ ନାଟପା ମନ୍ଦିର ଖଟ ଉପରେ ବିଜେ ହେଲେ ସେଠାରେ ଅନ୍ଧ ପ୍ରସ୍ତାବ କରାଯାଏ ଅର୍ଥାତ୍ ଅନ୍ଧଲୀଳା ନୀତି ହୋଇଥାଏ ।
ଭାଦ୍ରବ ଶୁକ୍ଳ ପଞ୍ଚମୀ ଦିନ ସନ୍ଧ୍ୟାଧୂପ ବଢ଼ିବା ପରେ ଦକ୍ଷିଣି ଘରୁ ଶ୍ରୀମଦନମୋହନ ଆଜ୍ଞମାଳ ପାଇ ନାଟପା ମନ୍ଦିର ଖଟଉପରେ ବିଜେ ହୁଅନ୍ତି । ଏଠାରେ ଗୌରବାଡ଼ ସାହି ଲୋକେ ଦାହଲୀଳା ପ୍ରସ୍ତାବ କରନ୍ତି ଅର୍ଥାତ୍ ଦାହଲୀଳା ନାଟ ଅଭିନୀତ ହୁଏ ।
ଭାଦ୍ରବ ଶୁକ୍ଳ ଷଷ୍ଠି ଦିନ ପୂର୍ବ ଦିନମାନଙ୍କ ଭଳି ସେହି ନାଟପା ମନ୍ଦିରରେ ଶ୍ରୀମଦନମୋହନଙ୍କ ଛାମୁରେ ମାର୍କଣ୍ଡେଶ୍ୱର ସାହି ଲୋକେ ବିମ୍ବାସୁର ବଧ ପ୍ରସ୍ତାବ କରନ୍ତି ଏବଂ ସେହିପରି ସେହି ସ୍ଥାନରେ ସପ୍ତମୀ ଦିନ କେକେଶି ବଧ ପ୍ରସ୍ତାବ କରନ୍ତି ଅର୍ଥାତ୍ କେକେଶି ବଧ ଲୀଳା ରଚନା କରିଥାଆନ୍ତି ।
ଭାଦ୍ରବ ଶୁକ୍ଳ ଦଶମୀ ଦିନ ମଧ୍ୟାହ୍ନଧୂପ ପରେ ଦକ୍ଷିଣି ଘର ଭୋଗ ସାରି ମହାଜନେ ଶ୍ରୀରାମକୃଷ୍ଣ ଦୁଇଦେବଙ୍କୁ ପ୍ରଥମେ ଭିତର ସିଂହାସନକୁ ନେଇ ଆଜ୍ଞାମାଳ ଲାଗି କରାଇ ପାଲିଙ୍କିରେ ବିଜେ କରାନ୍ତି । ବିମାନବଡ଼ୁମାନେ ପାଲିଙ୍କି କୁଣ୍ଢେଇବେଣ୍ଟ ସାହିରେ ଥିବା ଲବଣୀଖିଆ ମଣ୍ଡପରେ ବିଜେ କରାନ୍ତି । ସେଠାରେ ମହାଭୋଇ ଘର ବୋହୂମାନେ ଆସି ଅର୍ଘ୍ୟ ବନ୍ଦାପନା କରି ପାଛୋଟି ନେଇ ଖଟ ସିଂହାସନ ଉପରେ ବିଜେ କରାନ୍ତି । ମହାଭୋଇ ସର,ଲବଣୀ, ମାଖନ ଭୋଗ କଲା ପରେ ବୋହୂମାନେ ବନ୍ଦାପନା କରନ୍ତି । ଏହି ଲୀଳାରେ ମହାଭୋଇମାନେ ଯାଦବ ବଂଶଜ ଓ ସେମାନଙ୍କ ଘରର ନାରୀମାନେ ମହାପ୍ରଭୁଙ୍କ ଗୋପଲୀଳାର ଗୋପୀମାନଙ୍କ ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି । ଏଠାରେ ଶୀତଳ ଭୋଗ ବଢ଼ି ଭିତରଚ୍ଛ ମହାପାତ୍ରଙ୍କ ଦ୍ୱାରା ବନ୍ଦାପନା କରାଯାଇ ବିଗ୍ରହ ମାନଙ୍କୁ ଜଗନ୍ନାଥବଲ୍ଲଭ ସାମ୍ନା ମହାଖଳାକୁ ନିଆଯାଏ । ସେଠାରେ ଜଣେ ସେବକ ଅକ୍ରୁର ବେଶରେ ଶ୍ରୀକୃଷ୍ଣ ଓ ଶ୍ରୀବଳରାମଙ୍କୁ ମଥୁରା ଯିବା ପାଇଁ ନିମନ୍ତ୍ରଣ ଜଣାନ୍ତି । ସେଠାରୁ ବାହୁଡ଼ା ବିଜେ ସମୟରେ ରଜକ ପ୍ରସ୍ତାବ, ଧନୁଘର ପ୍ରସ୍ତାବ ଓ ମଲ୍ଲ ଯୁଦ୍ଧ ପ୍ରସ୍ତାବ ଇତ୍ୟାଦି ହୋଇଥାଏ । ପାଲିଙ୍କି ଫେରିବା ବାଟରେ ଶ୍ରୀନଅର ସାମ୍ନାରେ ଜଣେ ଘଟୁଆରୀ ସେବକ କୁବୁଜା ବେଶ ସାଜି ଏକ ଡାଲାରେ ଖଇର, ଗୁଆ ଆଣି ଭୋଗ କରନ୍ତି । ପଣ୍ଡାଙ୍କ ଦ୍ୱାରା ଶୀତଳ ଭୋଗ ମଣୋହି କରାଇବା ପରେ ରକ୍ଷକ ପ୍ରସ୍ତାବ ଓ ମଥୁରହାଟ ଯୁର ନୀତି ହୋଇଥାଏ । ଏଠାରୁ ବିଜେକରି ଆସି ଲକ୍ଷିଉଦର ଆଗେ କାଠ ସିଂହାସନ ଉପରେ ପାଲିଙ୍କି ସହିତ ବିଜେ ହେଲେ କୁବଳୟା ଗଜ ପ୍ରସ୍ତାବ ଓ ଶେଷରେ କଂସବଧ ପ୍ରସ୍ତାବ ହୁଏ । ଏହି ଲୀଳାରେ ଶ୍ରୀକୃଷ୍ଣ ଓ ବଳରାମ ତଥା କଂସ ଭୂମିକାରେ ଜୀବନ୍ତ ଚରିତ୍ରମାନେ ବେଶ ହୋଇ ଅଭିନୟ କରିଥାଆନ୍ତି । ଏହି ଲୀଳା ଭକ୍ତଜନଙ୍କ ପାଇଁ ବେଶ୍ ଆକର୍ଷଣୀୟ ହୋଇଥାଏ । କଂସର ନିଧନ ପରେ ଉଗ୍ରସେନ ବେଶରେ ଥିବା ଜଣେ ଲୋକକୁ ମଥୁରା ଗଡ଼ର ସିଂହାସନରେ ପୁନଃସ୍ଥାପନା କରିବା ଉଦ୍ଦେଶ୍ୟରେ ଶାଢ଼ି ପ୍ରଦାନ କରାଯାଇଥାଏ ।
ମହାପ୍ରଭୁଙ୍କ କୃଷ୍ଣବତାରରେ ରଚିତ ଲୀଳା ଭାଗବତ ପୃଷ୍ଠାରୁ ଆସି ଯେତେବେଳେ ପାରମ୍ପରିକ ରୀତିରେ ପ୍ରତ୍ୟକ୍ଷ ଭାବେ ଅଭିନୀତ ହୋଇଥାଏ ତାହା ଭକ୍ତଜନଙ୍କ ମନରେ ଧର୍ମଭାବ ଜାଗରିତ କରିବା ସହିତ ସେହି ଦିବ୍ୟ କିମ୍ବଦନ୍ତୀକୁ କାଳକାଳ ଧରି ଜୀବନ୍ତ ରଖିବାକୁ ସକ୍ଷମ ହୋଇଥାଏ । ଶ୍ରୀମନ୍ଦିରରେ ପ୍ରତିବର୍ଷ ଜନ୍ମାଷ୍ଟମୀ ପରେ ସମ୍ପାଦିତ ଏହି ଲୀଳା ଅତ୍ୟନ୍ତ ରୋଚକ ଶୈଳୀରେ ପାଳନ କରାଯାଇଥାଏ । ଏଥିରେ ବିଭିନ୍ନ ସାହିର ବାସିନ୍ଦାମାନଙ୍କର ପ୍ରତ୍ୟକ୍ଷ ଯୋଗଦାନ ଦ୍ୱାରା ଏହି ପରମ୍ପରା ଉଜ୍ଜିବୀତ ରହିଛି । ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ଯେଉଁସବୁ ନୀତି ପାଳନ କରାଯାଇଛି ତାହା ବ୍ୟତୀତ କିଛି ଅଧିକ ଲୀଳା ମଧ୍ୟ ଭକ୍ତମାନଙ୍କ ଉତ୍ସାହରେ ଯୋଗ କରାଯାଇଛି ଯଥା ପୁତନା ପ୍ରସଙ୍ଗ ସତ୍ୱଲିପିରେ ନଥିଲେ ମଧ୍ୟ ସେହି ଲୀଳା ଅଭିନୀତ ହେଉଅଛି । ମହାପ୍ରଭୁଙ୍କର ଏହିଭଳି ବିିଭିନ୍ନ ଲୀଳା କାହିଁ କେଉଁ କାଳରୁ ସଂଯୋଜିତ ହୋଇ ଚଳିଆସୁଅଛି ଏବଂ ଚାଲିଥିବ ମଧ୍ୟ । ସେହି ଲୀଳାମୟଙ୍କର ଜୟ ହେଉ ।
କୁଣ୍ଢେଇବେଣ୍ଟ ସାହି, ପୁରୀ
Comments are closed.