Latest Odisha News

BREAKING NEWS

ପାଇକ ବିଦ୍ରୋହରେ ବୀରତ୍ୱର କାହାଣୀ ’ବିଦ୍ରୋହୀ’

ଭୁବନେଶ୍ୱର: ସାରା ଦେଶ ଦେଖିବ ପାଇକ ବିଦ୍ରୋହ । ପାଇକ ସଂଗ୍ରାମରେ ଦେଖିବ ବିଦ୍ରୋହୀଙ୍କ ବୀରତ୍ୱର କାହାଣୀ । ଏକ ଜାତୀୟ ଚ୍ୟାନେଲରେ ପ୍ରସାରିତ ହେବାକୁୂ ଯାଉଛି ପାଇକ ବିଦ୍ରୋହକୁ ନେଇ ଧାରାବାହିକ ’ବିଦ୍ରୋହୀ’ । ପାଇକମାନଙ୍କର ଅସାଧାରଣ ବୀରତ୍ୱରୁ ନେଇ ରହିଛି କିଛି ଐତିହାସିକ କଥା । ୧୮୧୭ ମସିହାରେ ଓଡ଼ିଶାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ହୋଇଥିବା ବିଦ୍ରୋହର କାହାଣୀ ଚିତ୍ରଣ କରାଯାଇଛି ଏହି ସିରିଆଲ ’ବିଦ୍ରୋହୀ’ ରେ । ଏଥିରେ ଜଣେ ବିଦ୍ରୋହୀ ବକ୍ସି ଜଗବନ୍ଧୁ ଏବଂ ଦୁଇ ରାଜକୁମାରୀ କିଭଳି ବ୍ରିଟିଶ ସରକାର ବିରୋଧରେ ଲଢିଥିଲେ ତାହା ନିଖୁଣ ଭାବେ ଦେଖାହୋଇଛି । ୧୮୧୭ରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଖୋର୍ଦ୍ଧାରେ ହୋଇଥିବା ବିଦ୍ରୋହ ୧୮୫୭ ବିଦ୍ରୋହର ଠିକ୍ ୪୦ ବର୍ଷ ପୂର୍ବରୁ ହୋଇଥିଲା । ଯାହାକି ସ୍ୱାଧୀନତା ପାଇଁ ପ୍ରଥମ ଯୁଦ୍ଧ ଭାବେ ଜଣାଯାଏ ।

ଦୁଇଜଣ ରାଜଜେମା ଏବଂ ଜଣେ ବିଦ୍ରୋହୀ ଯୋଦ୍ଧା ଏକତ୍ର ହୋଇ କିଭଳି ବ୍ରିଟିସ୍‌ ଶାସକଙ୍କ ବିରୋଧରେ ଯୁଦ୍ଧ କରୁଛନ୍ତି, ତାହା ଉପରେ ବିଦ୍ରୋହୀର କଥାବସ୍ତୁ ଆଧାରିତ । ଖୁବ୍‌ ଶୀଘ୍ର ପ୍ରସାରଣ ହେବାକୁ ଯାଉଥିବା ଏହି ଧାରାବାହିକରେ ଓଡ଼ିଶାର ତତ୍କାଳୀନ ଇତିହାସର ଝଲକ ଦେଖିବାକୁ ମିଳିବ । ୧୮୧୭ର ଏହି ବିଦ୍ରୋହ ପ୍ରଥମେ ଘୁମୁସର ଅଞ୍ଚଳରୁ ଆରମ୍ଭ ହୋଇଥିଲା । ଯାହାକି ପରବର୍ତ୍ତୀ ସମୟରେ ବାଣପୁର, ପିପିଲି , କୁଜଙ୍ଗ, ପଟ୍ଟାମୁଣ୍ଡାଇ ଓ କେନ୍ଦୁଝରରେ ବ୍ୟାପିଥିଲା । ସବୁଠୁ ବଡ଼ କଥା ହେଲା ଏହି ପାଇକ ବିଦ୍ରୋହରେ ପାଇକ ମାନଙ୍କ ସହିତ ବହୁ ଜମିଦାର, କୃଷକ ଓ ଆଦିବାସୀ ସବୁ ସାମିଲ ହୋଇଥିଲେ । ବକ୍ସି ଜଗବନ୍ଧୁ ଥିଲେ ରୋଢ଼ଙ୍ଗର ଜମିଦାର ଏବଂ ଖୋର୍ଦ୍ଧା ରାଜା ତାଙ୍କୁ ସେନାପତି ଭାବେ ମନୋନୀତ କରିଥିଲେ । ବକ୍ସିଙ୍କ ନେତୃତ୍ବାଧୀନ ପାଇକ ମେଳି ବ୍ରିଟିସ୍ ଶାସନଦ୍ବାରା ଲାଗୁ ହୋଇଥିବା ମାତ୍ରାଧିକ ଟିକସ ଏବଂ ନିଷ୍କର ଜମି ଜବରଦଖଲ ଏବଂ ଲୁଣ କଟକଣା ବିରୋଧରେ ସ୍ବର ଉତ୍ତୋଳନ କରିଥିଲା । ଯୁଦ୍ଧ ଡାକରା, ବିଦ୍ରୋହ, ମାତୃଭୂମି ଉପରେ ଅଧିକାର ସାବ୍ୟସ୍ତ ଆଦି ବିଷୟ ଆଧାରିତ ଏହି କାହାଣୀରେ ଦେଶପ୍ରୀତିର ଝଲକ ଦେଖିବାକୁ ମିଳିବ ।
ରିଲିଜ୍ ହୋଇଥିବା ଏହି ଧାରାବାହିକର ‘ପ୍ରମୋ’ରେ ନେତା ବକ୍ସି ଜଗବନ୍ଧୁଙ୍କ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି ଶରଦ ମାଲହୋତ୍ରା । ଲୁକ୍ସ ବିଷୟରେ କହିବାକୁ ଗଲେ ଶରଦ  ଲମ୍ବା କେଶର ଚେହେରା ଏବଂ ଦୃଢ ବ୍ୟକ୍ତିତ୍ୱ ସହିତ ନଜର ଆସିଛନ୍ତି । ମଥାରେ ଏକ ବଡ ନାଲି ଟିକା ପିନ୍ଧିଥିବା ବେଳେ ପାଇକ ପୁଅ ପୋଷାକରେ ନଜରକୁ ଆସିଛନ୍ତି  । ତେବେ ଷ୍ଟାର ପ୍ଲସ ସହିତ ଏହି ସିରିଜ୍ ଡିଜ୍‌ନୀ ଓ ହଟଷ୍ଟାରରେ ମଧ୍ୟ ଉପଲବ୍ଧ ହେବ ।

 

Leave A Reply

Your email address will not be published.